ବେଆଇନ ବାଲିଘାଟରେ ଚଢ଼ଉ, ମେସିନ ସହ ୧୧ ଗାଡ଼ି ଜବତ

କବାଟବନ୍ଧ: ବ୍ରାହ୍ମଣୀ ନଦୀର ମର୍ଜିତାପୁର ପଞ୍ଚାୟତ ଅନ୍ତର୍ଗତ ଚଉଷଠିପଡ଼ା ନିକଟରେ ମାସେ ହେଲା ଚାଲିଥିବା ଏକ ବେଆଇନ ବାଲିଘାଟ ଉପରେ ଆଜି ସକାଳେ ରାଜସ୍ବ ବିଭାଗ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇଛି। ଏଥିରେ ଗୋଟିଏ ପୋକଲିନ ମେସିନ, ୮ଟି ହାଇୱା ଓ ୨ଟି ଟ୍ରାକ୍ଟର ଜବତ କରାଯାଇ ଜେନାପୁର ପୁଲିସ ଜିମା ଦିଆଯାଇଛି। ସୂଚନା ମୁତାବକ ଏହି ବେଆଇନ ବାଲିଘାଟଟି ମାସେ ହେଲା ଚାଲିଥିବା ବେଳେ ଏହାକୁ ବନ୍ଦ କରିବା ପାଇଁ ରାଜସ୍ବ ବିଭାଗ ନିକଟରେ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରିଆସୁଥିଲେ।

ଆଜି ସକାଳ ୭ଟା ବେଳେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସ, ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ମହାନ୍ତି, ଆରଆଇ ବିରଞ୍ଚି ନାରାୟଣ ବୋଇତେଇ, ଏଆରଆଇ ଜଗବନ୍ଧୁ ଜେନା ପ୍ରମୁଖ ସ୍ବତନ୍ତ୍ର ପୁଲିସ ଫୋର୍ସ ସହ ଏହି ବେଆଇନ ବାଲିଘାଟ ଉପରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ କିଛି ଗାଡ଼ିରେ ବାଲି ବୋଝେଇ ହୋଇଥିବା ବେଳେ ଅନ୍ୟକିଛି ଗାଡ଼ି ଅପେକ୍ଷା କରିଥିଲେ। ସେଥିମଧ୍ୟରୁ  ୮ଟି ହାଇୱା, ୨ଟି ଟ୍ରାକ୍ଟର ଏବଂ ବାଲି ବୋଝେଇରେ ବ୍ୟବହାର ହେଉଥିବା ଏକ ପୋକଲିନ ମେସିନକୁ ଜେନାପୁର ପୁଲିସ ଜିମା ଦିଆଯାଇଛି।

ପରେ ଏ ସଂପର୍କରେ ତହସିଲଦାର ଜେନାପୁର ଥାନାରେ ଏକ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଜେନାପୁର ପୁଲିସ ନଂ.୧୫୮/୨୨ ଦଫା ୩୭୯, ୩୪ ଆଇପିସି ଏବଂ ୨୧ ଏମ୍ଏମ୍‌ଡିଆର ଆକ୍ଟ ବଳରେ ଗାଡ଼ିଚାଳକ କୃଷ୍ଣଚନ୍ଦ୍ର ରାଉତ, ରାମଚନ୍ଦ୍ର ରାଉତ, ପବିତ୍ର କୁମାର ଦଳାଇ ଓ ନିଖିଲ କୁମାର ମିଶ୍ରକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ମୋଟ ୧୧ ଗାଡ଼ିକୁ ରାଜସ୍ବ ବିଭାଗ ଥାନାରେ ଜିମା ଦେଇଥିବା ବେଳେ ପୁଲିସ ତଦନ୍ତ ପରେ ଦୁଇଟି ଟ୍ରାକ୍ଟର ଓଡି-୦୪ଜି-୬୦୧୩, ଓଡି-୦୪କିୟୁ-୭୩୭୨ ଏବଂ ଦୁଇଟି ହାଇୱା ଓଡି-୦୫ଏଚ୍-୯୬୬୩ ଏବଂ ଓଡି-୦୪ଏମ୍-୯୬୬୩ କୁ ଜବତ କରାଯାଇଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର