ଭୁବନେଶ୍ବର: ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ବଜେଟ୍ ଆବଣ୍ଟିତ ଅର୍ଥର ୪୧.୬୬% ଖର୍ଚ୍ଚ ହୋଇଛି। ଗତବର୍ଷ (୩୪.୭୬%) ଠାରୁ ଏହା ଅଧିକ। ସେପ୍ଟେମ୍ବର ସୁଦ୍ଧା ୪୦% ଅର୍ଥ ଖର୍ଚ୍ଚ ଲାଗି ଅର୍ଥ ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଅଧିକାଂଶ ବିଭାଗ ଠାରୁ କୃଷି କ୍ଷେତ୍ରରେ ଖର୍ଚ୍ଚ ହାର ଅଧିକ। ହେଲେ ଚାଷ ଓ ଚାଷକୁ ନେଇ ଲାଗି ରହିଥିବା ସମସ୍ୟା ଏବେ ବି ଦୂର ହୋଇପାରୁନାହିଁ। ଏପରିକି ରାଜ୍ୟ ସରକାର ୧୧ ବର୍ଷ ହେଲା ସ୍ବତନ୍ତ୍ର କୃଷି ବଜେଟ୍ ପରେ ବି ବିଭାଗମାନଙ୍କ ମଧ୍ୟରେ ସମନ୍ବୟର ଅଭାବ ଜଳ ଜଳ। ପରିଣାମ ହେଲା, ଓଡ଼ିଶା ସରକାର ଏ କ୍ଷେତ୍ରରେ ଯେତେ ଅଧିକ ପୁଞ୍ଜିନିବେଶ କଲେ ବି ପ୍ରତିବଦଳରେ ସଫଳତା ହାର ସେତିକି ଉତ୍ସାହଜନକ ନୁହେଁ। ୨୦୧୩ ମସିହାରେ ୭୧୬୨ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା ସହିତ ରାଜ୍ୟରେ ସ୍ବତନ୍ତ୍ର କୃଷି ବଜେଟ୍ ଆରମ୍ଭ କରିଥିଲେ ସରକାର। ଚଳିତ ବର୍ଷ ଏହାର ପରିମାଣ ୨୪ ହଜାର ୮୨୯ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏଥିପୂର୍ବରୁ ୨୦୧୧ ମସିହାରେ କର୍ଣ୍ଣାଟକ ଏବଂ ୨୦୧୩ ମସିହାରେ ଆନ୍ଧ୍ରପ୍ରଦେଶରେ ସ୍ବତନ୍ତ୍ର କୃଷି ବଜେଟ୍ କରିଛନ୍ତି।
କୃଷି ବିଶେଷଜ୍ଞଙ୍କ କହିବା ଅନୁସାରେ, କୃଷି ସହିତ ଯୋଗାଣ, ସମବାୟ, ଜଳସମ୍ପଦ, ପଶୁପାଳନ ବିଭାଗର ସଂପର୍କ ବେଶ୍ ନିବିଡ। ଏହି ସମସ୍ତ ବିଭାଗ ପାଇଁ ଅଲଗା ଭାବରେ ଟଙ୍କା ବ୍ୟବସ୍ଥା ଏବଂ ଯୋଜନା ପ୍ରସ୍ତୁତ କାରଣରୁ ସମନ୍ବୟର ଅଭାବ ଏ କ୍ଷେତ୍ରକୁ ବିଗାଡି ଦେଉଥିଲା। ଉତ୍ପାଦନ ସ୍ଥିତି ନଜାଣି ସମବାୟ ବିଭାଗ ପକ୍ଷରୁ ଗୋଦାମ ଏବଂ ବିକ୍ରି ବ୍ୟବସ୍ଥା କରାଯାଉଥିଲା। ଜଳସେଚନ ସ୍ଥିତି ସମ୍ପର୍କରେ ଅବଗତ ନ ଥାଇ କୃଷି ଯୋଜନା ପ୍ରସ୍ତୁତ ହେଉଥିଲା। ଏସବୁକୁ ଦୃଷ୍ଟିରେ ରଖି କୃଷି ଏବଂ ଆନୁଷଙ୍ଗିକ ବିଭାଗକୁ ମିଶାଇ ସ୍ବତନ୍ତ୍ର କୃଷି ବଜେଟ୍ କରାଗଲା।
ବିଭାଗ ମଧ୍ୟରେ ସମନ୍ବୟ ନାହିଁ
ଏବର୍ଷ ସେପ୍ଟେମ୍ବର ସୁଦ୍ଧା ୪୧.୬୬% ଖର୍ଚ୍ଚ
ପଶୁପାଳନ, ବଜାରକୁ ଗୁରୁତ୍ବ ମିଳୁନି
ହେଲେ ସ୍ବତନ୍ତ୍ର କୃଷି ବଜେଟ୍ ପରେ ଯୋଜନା କାର୍ଯ୍ୟକାରୀ ବେଳେ ସମନ୍ବୟର ଯେଉଁ ସମସ୍ୟା ଦୂର ହେବ ବୋଲି ଆଶା ରହିଥିଲା, ସେଥିରେ ସାମାନ୍ୟ ସୁଧାର ଆସିଛି। କିନ୍ତୁ ଏବେ ବି ମୁଖ୍ୟ ସମସ୍ୟାର ସମାଧାନ ହୋଇପାରିନାହିଁ। ଏ ସମସ୍ତ ବିଭାଗ ଏକାଠି ବସି ଖସଡ଼ା ପ୍ରସ୍ତୁତ କରୁନାହାନ୍ତି। ପରିଣାମ ହେଲା, ଆଜି ବି ଉତ୍ପାଦନ, ବଜାର, ଜଳସେଚନ ଆଦି କାହାର କାହା ସହ ସର୍ବନିମ୍ନ ତାଳମେଳ ନାହିଁ। ଜଣେ କୃଷି ବିଶେଷଜ୍ଞଙ୍କ କହିବା ଅନୁସାରେ, କୃଷି ଏବଂ ଆନୁଷଙ୍ଗିକକୁ ଗୋଟିଏ ପରିଧିରେ ଆଣିବା ପରେ କୃଷି ବିଭାଗ ଉପରେ ହିଁ ସମସ୍ତଙ୍କ ନଜର ରହିଲା। ପଶୁ ପାଳନ କ୍ଷେତ୍ରରେ ବ୍ୟାପକ ବ୍ୟବସାୟ ସୁଯୋଗ ରହିଥିଲେ ମଧ୍ୟ ଏହାକୁ ନେଇ ସେତେଟା ଆଶାନୁରୂପ ପଦକ୍ଷେପ ନିଆଯାଇ ପାରି ନାହିଁ। ସେହିଭଳି କୃଷି କ୍ଷେତ୍ରରେ ସରକାର ଯେଉଁ ପରିମାଣର ଅର୍ଥ ଖର୍ଚ୍ଚ କରୁଥିବା ଦର୍ଶାଉଛନ୍ତି, ବାସ୍ତବିକ କ୍ଷେତ୍ରରେ ତାର ଚିତ୍ର ଅଲଗା। ଡାଲି ଠାରୁ ପରିବା ଉତ୍ପାଦନ ପର୍ଯ୍ୟନ୍ତ ସବୁରେ ଓଡ଼ିଶା ଆତ୍ମନିର୍ଭରଶୀଳ କୁହାଯାଉଛି। ହେଲେ ଏସବୁରେ ରାଜ୍ୟ ପରନିର୍ଭରଶୀଳ ହୋଇ ରହିଛି। ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ରରେ ପ୍ରାକୃତିକ ବିପର୍ଯ୍ୟୟ ହେଲେ ଓଡ଼ିଆ ଖାଉଟି କ୍ଷତିଗ୍ରସ୍ତ ହେଉଛି। ଅଣ୍ଡା ଉତ୍ପାଦନ ଆଜି ପର୍ଯ୍ୟନ୍ତ ଆଖି ଦୃଶିଆ ହୋଇ ପାରି ନାହିଁ। କୃଷି ଯାନ୍ତ୍ରିକୀକରଣରେ ସର୍ବାଧିକ ଟଙ୍କା ଖର୍ଚ୍ଚ ହେଉଛି। ଏହାର ପରିଚାଳନାଗତ ଅନେକ ଅବ୍ୟବସ୍ଥା ଦୃଷ୍ଟି ଗୋଚର ହେଉଛି। କୃଷିଜାତ ଦ୍ରବ୍ୟର ମାର୍କେଟିଂ ସଦୃଢ ହୋଇ ପାରିନଥିବାରୁ ଅଧିକ ଉତ୍ପାଦନ ଚାଷୀକୁ କାଳ ହେଉଛି।