ମା’ ତାରିଣୀ ଦର୍ଶନ ସାରି ଘରକୁ ଫେରୁଥିଲେ ପରିବାରର ଲୋକେ; ବୋଲେରୋ ଦୁର୍ଘଟଣାରେ ୧୧ ବର୍ଷର ପୁଅ ମୃତ

ହାଟଡିହି: ପୁଅର ବ୍ରତଘର ସରିବା ପରେ ମାନସିକ ପୂରଣ ପାଇଁ ତରିଣୀଙ୍କ ପାଖକୁ ଯାଇଥିଲେ। ସେଠାରେ ମା’ଙ୍କ ଦର୍ଶନ ସାରି ପୂଜାର୍ଚ୍ଚନା କରି ଘରକୁ ଫେରିବା ବାଟରେ ଗାଡି ଦୁର୍ଘଟଣା ହେବାରୁ ୧୧ବର୍ଷ ପୁଅର ଜୀବନ ଯାଇଛି। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର-ଭଦ୍ରକ ରାସ୍ତାର ବେତିରା ଛକ ନିକଟରେ। ବାଲେଶ୍ବର ଜିଲ୍ଲା ସୋର ବ୍ଲକ କାନ୍ଥିଗଡ଼ିଆ ଗାଁର ପରିତୋଷ ପାଢ଼ୀଙ୍କ ପୁଅ ପ୍ରିୟବ୍ରତର ଗତ କିଛିଦିନ ପୂର୍ବେ ବ୍ରତଘର ସରିଥିଲା। ମାନସିକ ଥିଲା ଘଟ ଗାଁ ଜାଇ ତାରିଣୀ ଦର୍ଶନ କରିବେ।

ଆଜି ଗ୍ରାମର କିଛି ଲୋକ ଓ ନିଜ କିଛି ସମ୍ପର୍କୀୟଙ୍କ ସହ ତାରିଣୀ ଦର୍ଶନ କରିବାକୁ ଆସି ପୂଜାର୍ଚ୍ଚନା ପରେ ୪ଟା ବେଳେ ଘରକୁ ଫେରୁଥିଲେ। ବେତିରା ଛକ ନିକଟରେ ରାସ୍ତା କଡରେ କୁଢ଼ ହୋଇଥିବା ମେଣ୍ଟାଲ, ଚିପିସ ଉପରେ ବୋଲେରୋଟି ଚଢି ଯିବାରୁ ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଯାଇ ପିଟି ହୋଇଯାଇଥିଲା। ଫଳରେ ଗାଡ଼ିରେ ବସିଥିବା ପ୍ରିୟବ୍ରତର ଘଟଣାସ୍ଥରେ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଯାତ୍ରୀ ଆହତ ହୋଇଛନ୍ତି। ଖବର ପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ପୋଷ୍ଟମଟମ ପାଇଁ ଆନନ୍ଦପୁର ଡ଼ାକ୍ତରଖାନାକୁ ପଠାଇବା ସହ ଆହତ ମାନଙ୍କୁ ଚିକିତ୍ସା ପାଇଁ ପଠାଇଛି।

ସମ୍ବନ୍ଧିତ ଖବର