ଭୁବନେଶ୍ୱର: ଆଜି ୧ ଲକ୍ଷ ୬୩ ହଜାର ୭୫୭ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଙ୍କ ଆକାଉଣ୍ଟକୁ ବ୍ୟାଙ୍କ ଋଣ ଫେରସ୍ତ ବାବଦରେ ୧୧୦ କୋଟି ୯୭ ଲକ୍ଷ ୫୮ ହଜାର ୮୬୦ ଟଙ୍କା ଆର୍ଥିକ ଅନୁଦାନ ପ୍ରେରଣ କରାଯାଇଛି। ଏଥିସହ ମିସନ ଶକ୍ତି ବିଭାଗ ସହ ଫିକ୍‌ସି, ଟିଏସ୍‌ଏସ୍‌ସି, ଜିଜେଏସ୍‌ସିଆଇ ଓ ଏନ୍‌ସିଡବ୍ଲ୍ୟୁର ୪ଟି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଏହି ପଦକ୍ଷେପ ଏସ୍‌ଏଚ୍‌ଜି ଉଦ୍ୟୋଗକୁ ଆହୁରି ପ୍ରୋତ୍ସାହନ ଯୋଗାଇବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

Advertisment

ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଶ୍ରୀମତୀ ପରିଡ଼ା କହିଲେ, ତୃଣମୂଳ ସ୍ତରରେ ମହିଳା ନେତୃତ୍ୱାଧୀନ ଉଦ୍ୟୋଗ ସୃଷ୍ଟି କରିବା ପାଇଁ ମିସନ ଶକ୍ତି ବିଭାଗ ପଦକ୍ଷେପ ନେଉଛନ୍ତି। ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ପାଇଁ ମିସନ୍‌ ଶକ୍ତି ବିଭାଗ ଫୁଡ୍‌ ଇଣ୍ଡଷ୍ଟ୍ରି କାପାସିଟି ଆଣ୍ଡ୍‌ ସ୍କିଲ୍‌ ଇନିସିଏଟିଭ୍‌ (ଫିକ୍‌ସି) ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୧୦ ହଜାର ଏସ୍‌ଏଚ୍‌ଜିଙ୍କୁ ଫଳରସ ପ୍ରକ୍ରିୟାକରଣ, ମସଲା ପ୍ରକ୍ରିୟାକରଣ, ତୈଳ ପ୍ରସ୍ତୁତି, ବହୁବିଧ କାରିଗରୀ କୌଶଳ, ଫଳ ଓ ପନିପରିବା ନିର୍ଜଳୀକରଣର ଆବାସିକ ପ୍ରଶିକ୍ଷଣ ପ୍ରଦାନ କରାଯିବ। ପୁନଶ୍ଚ, ମିସନ୍‌ ଶକ୍ତି ବିଭାଗ ଟେଲିକମ୍‌ ସେକ୍ଟର ସ୍କିଲ୍‌ କାଉନ୍‌ସିଲ୍‌ (ଟିଏସ୍‌ଏସ୍‌ସି) ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ପ୍ରଥମେ କଟକ ଜିଲ୍ଲାର ୩୦ଟି ଗ୍ରାମ ପଞ୍ଚାୟତରେ ୬୦ ଜଣ ମହିଳାଙ୍କୁ ମୋବାଇଲ୍‌ ହ୍ୟାଣ୍ଡସେଟ୍‌ ମରାମତି ପ୍ରଶିକ୍ଷଣ ଦିଆଯିବ। ଗ୍ରାମପଞ୍ଚାୟତରେ ମହିଳାମାନଙ୍କ ନେତୃତ୍ୱରେ ଅଣୁଉଦ୍ୟୋଗ ସୃଷ୍ଟି କରିବା ଏହାର ଲକ୍ଷ୍ୟ। ଏହି ପାଇଲଟ୍‌ ପ୍ରୋଜେକ୍ଟ ସଫଳ ହେଲେ ଏହାକୁ ସମଗ୍ର ରାଜ୍ୟରେ ଲାଗୁ କରାଯିବ। ସେହିଭଳି ମିସନ୍‌ ଶକ୍ତି ବିଭାଗ ପକ୍ଷରୁ ଜେମ୍‌ସ ଆଣ୍ଡ୍‌ ଜୁଏଲାରି ସ୍କୁଲ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ଜିଜେଏସ୍‌ସିଆଇ) ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି। ୧୪୪୦ ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ରୁପା ତାରକସି ନିର୍ମାଣ କଳାରେ ପ୍ରଶିକ୍ଷିତ କରାଯିବା ସହ ଇ-କମର୍ସ ସାଇଟ୍‌ ଓ ବଜାରର ସଂଯୋଗ କରାଯିବ। 

ଏହାସହ ମିସନ୍‌ ଶକ୍ତି ବିଭାଗ ଆଜି ଜାତୀୟ ମହିଳା ଆୟୋଗଙ୍କ ସହିତ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ପ୍ରୟୋଗାତ୍ମକ ଭାବରେ ରାଜ୍ୟର ୫ଟି ଜିଲ୍ଲାରେ ୧୮-୪୦ ବୟସର ସମସ୍ତ ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରାଯିବ। ମହିଳାଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ସେମାନଙ୍କ ସୁରକ୍ଷା ପ୍ରତି ସଚେତନତା ଓ ଗୋଷ୍ଠୀ ଏକତାକୁ ପ୍ରୋତ୍ସାହନ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ସେହିଭଳି ହିନ୍ଦୁସ୍ତାନ କୋକାକୋଲା ବେଭେରେଜେସ୍‌ ପ୍ରାଇଭେଟ୍‌ ଲିମିଟେଡ(ଏଚ୍‌ସିସିବି) ସୁଭଦ୍ରା ଶକ୍ତି କାଫେକୁ ଫ୍ରିଜ ପ୍ରଦାନ କରିଛି। ଆଜିର କାର୍ଯ୍ୟକ୍ରମରେ ମିସନ୍‌ ଶକ୍ତି ବିଭାଗର ଶାସନ ସଚିବ ଶାଳିନୀ ପଣ୍ଡିତ, ବିଭାଗୀୟ ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ, ଜାତୀୟ ମହିଳା ଆୟୋଗଙ୍କ ଉପସଚିବ ଶିବାନୀ ଦେ, ‌ଜିଜେଏସ୍‌ସିଆଇର ପ୍ରତିନିଧି ରାଜୀବ ଗର୍ଗ, ଟିଏସ୍‌ଏସ୍‌ସିର ପ୍ରତିନିଧି ଧ୍ୟାନ ଭଟ୍ଟାଚାର୍ଜୀ, ଫିକ୍‌ସିର ପ୍ରତିନିଧି ତରୁଣ ପରିହାର ଓ କୋକାକୋଲା କମ୍ପାନିର ଶ୍ୱେତା ପୁନେଥା ପ୍ରମୁଖ ଉପସ୍ଥିତ ଥିଲେ।