ଖଣିଖାଦାନ ହାତୀକୁ କରିଛି ବାସହରା, ସୁନ୍ଦରଗଡ଼ରେ ଥମୁନି ହାତୀ-ମଣିଷ ଲଢ଼େଇ

୮ ବର୍ଷରେ ହାତୀ ଆକ୍ରମଣରେ ୧୧୦ ମୃତ

ସୁନ୍ଦରଗଡ଼/ରାଉରକେଲା: ଖଣି ଓ ଶିଳ୍ପରେ ଭରପୂର ସୁନ୍ଦରଗଡ଼ ଜିଲ୍ଲାରେ ଅବିଚାରିତ ଖଣିଖାଦାନ ଓ ଶିଳ୍ପାୟନ ଯୋଗୁଁ ଜଙ୍ଗଲର ଦ୍ରୁତ ଅବକ୍ଷୟ ଘଟୁଛି। ଧ୍ବସ୍ତ ହେବାରେ ଲାଗିଛି ବନ୍ୟଜନ୍ତୁଙ୍କ ଆହାର ଓ ଆଶ୍ରୟ। ସବୁଠାରୁ ଅଧିକ କଲବଲ ହେଉଛନ୍ତି ହାତୀ ଭଳି ବନ୍ୟପ୍ରାଣୀ। ଖାଦ୍ୟ ପାଇଁ ଧାନ କ୍ଷେତ ଓ ଗାଁକୁ ପଶିଲା ବେଳେ ମଣିଷ ସହିତ ମୁହାଁମୁହିଁ ହେଉଛନ୍ତି। ପ୍ରତିରୋଧରେ କେତେବେଳେ ହାତୀ ମରୁଛି ତ କେତେବେଳେ ମଣିଷ। ହେଲେ ଏ ଲଢ଼େଇରେ କେବଳ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଓ ହାତୀଙ୍କୁ ଜଙ୍ଗଲ ଆଡ଼କୁ ଘଉଡ଼ାଇବାରେ ବନ ବିଭାଗର ପଦକ୍ଷେପ ସୀମିତ ରହୁଛି।

ସରକାରୀ ହିସାବରେ ସୁନ୍ଦରଗଡ଼ ଜିଲ୍ଲାରେ ହାତୀ-ମଣିଷ ଲଢ଼େଇ ମଧ୍ୟରେ ଗତ ୮ ବର୍ଷରେ ଜିଲ୍ଲାରେ ୧୧୦ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରକୃତ ସଂଖ୍ୟା ଆହୁରି ଅଧିକ ହୋଇପାରେ। ୩ ବର୍ଷ ତଳେ ସୁନ୍ଦରଗଡ଼ ଜିଲ୍ଲାରେ ଏହି ଲଢ଼େଇର ସ୍ବରୂପ ଦୁଇଟି ହୃଦୟବିଦାରକ ଘଟଣା ଘଟିଥିଲା। ବାଙ୍କି ରେଞ୍ଜରେ ବାପାଙ୍କ କୋଳରୁ ୨ ବର୍ଷର ଶିଶୁ କନ୍ୟାଙ୍କୁ ଟାଣି ନେଇ ହାତୀ ଦଳି ଦେଇଥିବା ବେଳେ କୁଆରମୁଣ୍ଡା ବନାଞ୍ଚଳ କଚାରୁ ଗାଁରେ ହାତୀ ରାତି ଅଧରେ ପଶି ମା ଓ ପାଞ୍ଚ ବର୍ଷର ପୁଅକୁ ଟାଣି ନେଇ ଦଳି ଦେଇଥିଲା। ଏଯାବତ ହାତୀ ଆକ୍ରମଣରେ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ ହାତୀପଲ ବ୍ୟାପକ ଫସଲହାନି କରିବା ସହ ବହୁ ଘରକୁ ମାଟିରେ ମିଶାଇ ଦେଇଛନ୍ତି। ପ୍ରାୟ ୨୫୦୦ରୁ ଅଧିକ ପରିବାରର ମୁଣ୍ଡ ଉପରୁ ଛାତକୁ ହାତୀ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି। ଏହି ସମୟସୀମା ମଧ୍ୟରେ କେବଳ ସୁନ୍ଦରଗଡ଼ ଅଞ୍ଚଳରେ ୨୬୦୦ ଏକର ଫସଲ ନଷ୍ଟ କରିଥିବା ବେଳେ ବଣାଇଁରେ ପ୍ରାୟ ୨୦୦୦ ଏକର ଓ ରାଉରକେଲାରେ ୪୦୦୦ରୁ ଅଧିକ ଏକର ଫସଲ ନଷ୍ଟ କରିଛନ୍ତି।

ଅନ୍ୟପଟେ ୨୦୧୨-୧୩ ବର୍ଷରୁ ଏଯାବତ ମଣିଷ ହାତରେ ମୋଟ୍‌ ୩୫ଟି ହାତୀ ମରିଛନ୍ତି। ଟ୍ରେନ ଧକ୍କା ଓ ଶିକାର ଯୋଗୁଁ ହାତୀଙ୍କ ଶୋଚନୀୟ ମୃତ୍ୟୁ ଘଟୁଛି। ୨୦୧୭ରେ ଜିଲ୍ଲାର ୩ଟି ବନଖଣ୍ଡରେ ୧୭୨ ହାତୀ ଥିଲେ। ସୁନ୍ଦରଗଡ଼ ବନଖଣ୍ଡରେ ୬୦ ହାତୀ ଥିଲେ। କିନ୍ତୁ ୨୦୨୦ ଆଜି ତାରିଖ ସୁଦ୍ଧା ଏହା ୧୩ ସଂଖ୍ୟାକୁ ଖସି ଆସିଛି। ସେହିପରି ୨୦୧୮ରେ ରାଉରକେଲା ବନଖଣ୍ଡରେ ୬୯ ହାତୀ ଥିଲେ। କିନ୍ତୁ ଏବେ ତାହା ୨୦କୁ ହ୍ରାସ ଘଟିଛି। ତେବେ ବଣାଇଁ ବନଖଣ୍ଡରେ ଦୁଇ ବର୍ଷରେ ହାତୀ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୮ରେ ଏଠାରେ ୪୩ ହାତୀ ଥିବାବେଳେ ଆଜି ସୁଦ୍ଧା ତାହା ୬୩କୁ ବଢ଼ିଛି। ‘ହାତୀ ଆମର ସାଥୀ’କାର୍ଯ୍ୟକ୍ରମରେ ରାଉରକେଲା ବନଖଣ୍ଡର ୬ଟି ରେଞ୍ଜରୁ ବିଶ୍ରା, ପାନପୋଷ, ବାଙ୍କିରେ ୩୦ କିଲୋମିଟର ସୋଲାର୍‌ ଫେନ୍‌ସିଂ କରାଯାଇଛି। କିନ୍ତୁ ଏସବୁ ଜନବସତି ମୁହାଁ ହାତୀଙ୍କୁ ରୋକିବାରେ କେତେ ସହାୟକ ହେବ ତାହା ସମୟ କହିବ।

ସମ୍ବନ୍ଧିତ ଖବର