ଶାରଳା ସୂତାକଳ ପାଇଁ ୧୧୦ କିମି ପଦଯାତ୍ରା: ମୁଖ୍ୟମନ୍ତ୍ରୀଙ୍କୁ ୧୦ ହଜାର ଲୋକଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର

ଋଣମୁକ୍ତ କରି ପୁନରୁଦ୍ଧାର କରିବାକୁ ଦାବି

ଭୁବନେଶ୍ବର: ଜଗତସିଂହପୁର ଶାରଳା ସୂତାକଳ ପ୍ରସଙ୍ଗ ରାଜଧାନୀରେ ପହଞ୍ଚିଛି। ଋଣମୁକ୍ତ କରି ସୂତାକଳର ପୁନରୁଦ୍ଧାର କିମ୍ବା ସେଠାରେ ଅନ୍ୟ କିଛି ଶିଳ୍ପ ପ୍ରତିଷ୍ଠା ସହ ନିଯୁକ୍ତି ସୃଷ୍ଟି ଦାବିରେ ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ୧୧୦ କିମି ‘ଐତିହାସିକ ପଦଯାତ୍ରା’ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟାଳୟରେ ପହଞ୍ଚିଛି। ପଦଯାତ୍ରାରେ ଆସିଥିବା କଂଗ୍ରେସର ଯୁବନେତା ହିମାଂଶୁ ଭୂଷଣ ମଲ୍ଲିକ ଓ ତାଙ୍କ ସହଯୋଗୀମାନେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ପ୍ରାୟ ୧୦ ହଜାର ଲୋକଙ୍କ ଦସ୍ତଖତ ସମ୍ବଳିତ ୫ଦଫା ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଏହି ଦାବିପତ୍ର ଗ୍ରହଣ କରିଥିଲେ।
‘ଶ୍ରୀ ଶାରଳା ୱେଭର୍ସ କୋଅପରେଟିଭ୍‌ ସ୍ପିନିଂ ମିଲ୍‌ ଲିମିଟେଡ୍‌’ ୧୯୮୨ ମସିହାରେ ପ୍ରତିଷ୍ଠା ହୋଇଥିବା ବେଳେ ୧୯୮୪ରେ କାର୍ଯ୍ୟକ୍ଷମ ହୋଇଥିଲା। ସୂତାକଳରେ ୧୬୦୦ରୁ ଅଧିକ କର୍ମକାରୀ କାମ କରୁଥିଲେ। କିନ୍ତୁ ୧୯୯୯ ମହାବାତ୍ୟା ପରେ ବିଭିନ୍ନ କାରଣରୁ ଏହା ବନ୍ଦ ହୋଇଯାଇଥିଲା। ଭୁବନେଶ୍ବର ଏସ୍‌ବିଆଇ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା କିଛି ଦିନ ତଳେ ୪ କୋଟି ୭୪ ଲକ୍ଷ ୩୭ ହଜାର ୮୬୫ ଟଙ୍କା ବକେୟା ଥିବା ଦର୍ଶାଇ ସୂତାକଳର ୧୫ଏକର ଜମି ଓ ଅନ୍ୟ ଯନ୍ତ୍ରାଂଶକୁ ସିଲ୍ କରିଥିଲା। ଏହାପରେ କଂଗ୍ରେସ ସୂତାକଳକୁ ଋଣମୁକ୍ତ କରିବା ଦାବି ଜୋରଦାର କରି ପ୍ରତିବାଦ କରି ଆସୁଛି।

ଗତ ଶନିବାର ସୂତାକଳଠାରୁ ପଦଯାତ୍ରା ଆରମ୍ଭ ହୋଇ ତିର୍ତ୍ତୋଲ, ରଘୁନାଥପୁର, ବିରିଡି ବ୍ଲକ୍‌ର ବିଭିନ୍ନ ଅଞ୍ଚଳ ବୁଲି ଗତରାତିରେ ଭୁବନେଶ୍ବରରେ ପହଞ୍ଚିଥିଲା। ଆଜି ସକାଳେ ହଂସପାଳ ସପ୍ତସତୀ ମନ୍ଦିର ନିକଟରୁ ବାହାରି ବାଣୀବିହାର ଦେଇ ବିଧାନସଭା ଆଡ଼କୁ ଯିବା ବେଳେ ଲୋୟର୍‌ ପିଏମ୍‌ଜି ନିକଟରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଏହାପରେ ଶ୍ରୀ ମଲ୍ଲିକଙ୍କ ସମେତ ପଦଯାତ୍ରୀ ସୁନୀଲ ରାଣା, ରବୀନ୍ଦ୍ର ମଲ୍ଲିକ, ଜ୍ୟୋତି ମଲ୍ଲିକ, କ୍ଷୀରୋଦ ସାମଲ, ସମରେନ୍ଦ୍ର ମହାପାତ୍ର, ଦୀପ୍ତି ନାୟକ, ତର୍ପଣ ଶତପଥୀ, କିଶୋର ପଟ୍ଟନାୟକ, ରାକେଶ ସ୍ବାଇଁ, ସାଇ ମହାପାତ୍ର, ନାରାୟଣ ନାୟକ ଓ ସୁଶୀଲ ଦାଶ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି କାର୍ଯ୍ୟଳୟ ଯାଇ ଦାବିପତ୍ର ଦେଇଥିଲେ। ଗୋବିନ୍ଦପୁର ପଞ୍ଚାୟତ ସମିତିସଭ୍ୟ ଦେବପ୍ରସାଦ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିସିସି ମୁଖପାତ୍ର ନାରାୟଣ ଜେନା, ନିହାର ନାୟକ, ଧନଞ୍ଜୟ ସୂତାର, ସତ୍ୟପ୍ରକାଶ, ସର୍ବେଶ୍ୱର ପଣ୍ଡା, ବ୍ରଜ ମଲ୍ଲିକ, ପ୍ରଦ୍ୟୁମ୍ନ ଚୟନି, ପ୍ରାଚୀ ଚୟନି, ମହମ୍ମଦ ଅତଅର ଅଲ୍ଲୀ, ପବିତ୍ର ଦାସ, ଲକି ସ୍ବାଇଁ, ଶୁଭେନ୍ଦ୍ର ରାଉତରାୟ, ସମୀର ଖୁଣ୍ଟିଆଙ୍କ ସମେତ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର