୬୫୨୪ କୋଟିରେ ୧୯୮ ମେଗା ଉଠାଜଳସେଚନ ପ୍ରକଳ୍ପ : ଜୁନ୍‌ ସୁଦ୍ଧା ସରିବ ୧୧୦ ପ୍ରକଳ୍ପ

ଭୁବନେଶ୍ୱର : ରାଜ୍ୟରେ ୬୫୨୪ କୋଟି ବ୍ୟୟରେ ୧୯୮ଟି ବୃହତ୍‌ (ମେଗା) ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏଥିପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଅର୍ଥ ମଂଜୁର କରିଛନ୍ତି। ସମସ୍ତ ପ୍ରକଳ୍ପ ମଧ୍ୟରୁ ୭୦ଟି ପ୍ରକଳ୍ପ ୨୦୧୮ ମାର୍ଚ ମାସ ଏବଂ ଆଉ ୪୦ଟି ପ୍ରକଳ୍ପ ଜୁନ୍‌ ମାସ ସୁଦ୍ଧା ସରିବ। ଅବଶିଷ୍ଟ ପ୍ରକଳ୍ପଗୁଡ଼ିକୁ ନିର୍ଧାରିତ ସମୟସୀମା ମଧ୍ୟରେ ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତିି। ଏହି ପରିପ୍ରେକ୍ଷୀରେ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିର ତଦାରଖ କରିବା ପାଇଁ ଜଳସଂପଦ ବିଭାଗ ପ୍ରମୁଖ ସଚିବ ପ୍ରତି ସପ୍ତାହର ସୋମବାର ସମୀକ୍ଷା କରିବେ ବୋଲି ନିଷ୍ପତ୍ତି ନିଆଯାଇଛି।

ଆଜି ମୁଖ୍ୟ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବୃହତ୍‌ ଉଠାଜଳସେଚନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସଂପର୍କରେ ସୂଚନା ମିଳିଛି। ସୂଚନା ମୁତାବକ ସୁନ୍ଦରଗଡ଼, ମାଲକାନଗିରି, କଟକ, ସମ୍ବଲପୁର, କେନ୍ଦ୍ରାପଡ଼ା, ନବରଙ୍ଗପୁର, ନୂଆପଡ଼ା, ଗଞ୍ଜାମ, ଯାଜପୁର, ବଲାଙ୍ଗୀର, ଝାରସୁଗୁଡ଼ା, ଅନୁଗୁଳ, କୋରାପୁଟ, କଳାହାଣ୍ଡି ଆଦି ଜିଲ୍ଲାରେ ୧୯୮ଟି ବୃହତ୍‌ ଉଠାଜଳସେଚନ ପ୍ରକଳ୍ପ କରାଯାଉଛି। ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରାୟ ୨ ଲକ୍ଷ ୬୦ ହଜାର ହେକ୍ଟର ଜମି ଜଳସେଚିତ ହେବାର ଲକ୍ଷ୍ୟ ରହିଛି।

ଏଥିମଧ୍ୟରୁ ୧୭୦ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଅବଶିଷ୍ଟ ୨୮ଟି ପ୍ରକଳ୍ପର ଟେଣ୍ଡର କାର୍ଯ୍ୟ ମାର୍ଚ ସୁଦ୍ଧା ସଂପନ୍ନ କରିବାକୁ ବୈଠକରେ ସ୍ଥିର କରାଯାଇଥିଲା। କାର୍ଯ୍ୟାରମ୍ଭ କରିଥିବା ୧୭୦ ପ୍ରକଳ୍ପ ମଧ୍ୟରୁ ଆସନ୍ତା ବର୍ଷ ମାର୍ଚ ସୁଦ୍ଧା ୭୦ଟି, ଜୁନ୍‌ ସୁଦ୍ଧା ଆଉ ୪୦ଟି ଏବଂ ଅବଶିଷ୍ଟ ପ୍ରକଳ୍ପ ୨୦୧୯ ମାର୍ଚ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏସବୁ ପ୍ରକଳ୍ପର କାର୍ଯ୍ୟାନ୍ଵୟନ କ୍ଷେତ୍ରରେ ଯେତେ କ୍ଷେତ୍ରୀୟ ପ୍ରତିବନ୍ଧକମାନ ରହିଛି, ସେଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବାକୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପିମାନଙ୍କୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ। ବୈଠକରେ ପ୍ରତି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ଏବଂ କାର୍ଯ୍ୟକ୍ଷମ ହେବାର ସମୟସୀମା ନିର୍ଧାରିତ କରାଯାଇଥିଲା। ନିର୍ଧାରିତ ସମୟସୀମା ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଶ୍ରୀ ପାଢ଼ୀ ତାଗିଦ୍‌ କରିଥିଲେ। ଜଳସେଚନ କୃଷି କାର୍ଯ୍ୟର ଏକ ମୌଳିକ ଆବଶ୍ୟକତା ହୋଇଥିବାରୁ ଏ କ୍ଷେତ୍ରରେ ବିଳମ୍ବ ଗ୍ରହଣୀୟ ନୁହେଁ ବୋଲି ସେ ଠିକାସଂସ୍ଥାମାନଙ୍କୁ ସ୍ପଷ୍ଟ କରିଦେଇଥିଲେ। ବୈଠକରେ ବିଭାଗୀୟ ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା ତଥ୍ୟାବଳୀ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର