ଜେଇଇ ଦେଲେନି ୧୧ ହଜାର ପରୀକ୍ଷାର୍ଥୀ, ଦେଶରେ ଆଶାନୁରୂପ ହେଲାନି ପରୀକ୍ଷାର୍ଥୀଙ୍କ ଉପସ୍ଥାନ

ସରକାରୀ ରହଣୀ ସୁବିଧା ନେଲେ ୪ ହଜାର, ହୋଟେଲରେ ରହିବାକୁ ପସନ୍ଦ କଲେନି ଛାତ୍ରଛାତ୍ରୀ

ଭୁବନେଶ୍ୱର: ବାଦ ବିବାଦ ମଧ୍ୟରେ ସାରା ଦେଶରେ ଶେଷ ହୋଇଛି ଜେଇଇ(ଯୁଗ୍ମ ପ୍ରବେଶିକା ପରୀକ୍ଷା) ମେନ୍‌। କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ସମସ୍ତ ସହଯୋଗ ମଧ୍ୟରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲେ ମଧ୍ୟ ପରୀକ୍ଷାର୍ଥୀଙ୍କ ଉପସ୍ଥାନ ଆଶାନୁରୂପକ ହୋଇପାରି ନାହିଁ। କୌଣସି ବି ରାଜ୍ୟରେ ୯୫ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ଭାଗନେଇ ନାହାନ୍ତି। ଏମିତି କି ଓଡ଼ିଶା ସମେତ କେତେକ ରାଜ୍ୟରେ ୭୫% ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଜଣାପଡ଼ିଛି।

ପରୀକ୍ଷାର୍ଥୀଙ୍କୁ ରହିବା, ଖାଇବା, ପରିବହନ ସୁବିଧା ଯୋଗାଇ ଦେଇ ଅନ୍ୟ ରାଜ୍ୟମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିଥିବା ଓଡ଼ିଶାରେ ୧୧ ହଜାର ପରୀକ୍ଷାର୍ଥୀ ଜେଇଇ ମେନ ପରୀକ୍ଷାରେ ଅଂଶ ଗ୍ରହଣ କରିନାହାନ୍ତି। କୌଣସି ବର୍ଷ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା ଆଗରୁ କେବେ ଦେଖିବାକୁ ମିଳି ନ ଥିଲା। କରୋନା ଭୟ ନା ଆଉ କୌଣସି କାରଣ ପାଇଁ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଭାଗ ନେଲେ ନାହିଁ ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏମିତିକି କରୋନା ଭୟରେ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଛାଡ଼ି ନ ଥିବା କୁହାଯାଉଛି। ଆଉ କିଛି ଶିକ୍ଷାବିତ୍ ମତପ୍ରକାଶ କରିଛନ୍ତି ଯେ ଯେଉଁ ଛାତ୍ରଛାତ୍ରୀ ଜାନୁଆରୀ ମାସରେ ଅନୁଷ୍ଠିତ ଜେଇଇ ମେନ୍‌ରେ ଭାଗ ନେଇଥିଲେ ସେମାନେ ଏଥର ଆଉ ମନୋବଳାଇ ନାହାନ୍ତି। ପୂର୍ବ ରାଙ୍କ ଅନୁଯାୟୀ ସେମାନେ ନାମ ଲେଖାଇବାକୁ ମନସ୍ଥ କରିଥାଇପାରନ୍ତି। ରାଜ୍ୟରେ ବି. ଟେକ୍‌ ନାମଲେଖା ପାଇଁ ଓଜେଇଇ ଅନୁଷ୍ଠିତ ହେବ। ତେଣୁ ସେଥିରେ ଭାଗ ନେବା ପାଇଁ କିଛି ଛାତ୍ରଛାତ୍ରୀ ଜେଇଇ ମେନ ଦେଇ ନ ଥାଇ ପାରନ୍ତି।

‘ସମ୍ବାଦ’ର ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ଏଥର ରାଜ୍ୟର ୭ଟି ସହରର ୨୬ଟି ପରୀକ୍ଷା କେନ୍ଦ୍ରରେ ୩୮ ହଜାର ୨୩୬ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା ହୋଇଥିଲା। ତେବେ ସେମାନଙ୍କ ମଧ୍ୟରୁ ପ୍ରାୟ ୨୭ ହଜାର ୫୦୦ ଅର୍ଥାତ ୭୧% ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶ ଗ୍ରହଣ କରିଛନ୍ତି। ଆହୁରି ୨୯% ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଯଦି ପରୀକ୍ଷା କେନ୍ଦ୍ର ଅନୁଯାୟୀ ହିସାବ ଦେଖାଯାଏ ତେବେ ଭୁବନେଶ୍ୱର ସହରରେ ହୋଇଥିବା ୬ଟି ପରୀକ୍ଷା କେନ୍ଦ୍ରରେ ସର୍ବାଧିକ ୧୬ ହଜାର ୧୭୯ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ୧୧ ହଜାର ୧୭୦ ଜଣ ଭାଗ ନେଇଛନ୍ତି। କଟକ ସହରରେ ୪ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାକୁ ଥିବା ୪୯୭୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୫୮୨ ଜଣ ଦେଇଥିବା ବେଳେ ବାଲେଶ୍ୱରରେ ୫ଟି ପରୀକ୍ଷା କେନ୍ଦ୍ରରେ ୪୫୫୨ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୨୫୮ ଜଣ ଭାଗ ନେଇଛନ୍ତି। ଅନୁରୂପ ଭାବେ ବ୍ରହ୍ମପୁର ସହରରେ ପରୀକ୍ଷା ଦେବାକୁ ଥିବା ୪୧୩୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୨୩୭ ଜଣ ପରୀକ୍ଷା ଦେଇଛନ୍ତି। ସମ୍ବଲପୁର ସହରରେ ହୋଇଥିବା ୪ଟି ପରୀକ୍ଷା କେନ୍ଦ୍ରରେ ୩୫୬୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ୨୮୮୪ ଜଣ ଭାଗ ନେଇଥିଲେ। ଢେଙ୍କାନାଳ ସହରରେ ହୋଇଥିବା ୨ଟି ପରୀକ୍ଷା କେନ୍ଦ୍ରରେ ୨୧୩୪ ଜଣ ପରୀକ୍ଷାର୍ଥୀ ଥିବା ବେଳେ ୧୬୭୯ ଜଣ ଅଂଶ ଗ୍ରହଣ କରିଛନ୍ତି। ରାଉରକେଲା ସହରରେ ହୋଇଥିବା ପରୀକ୍ଷା କେନ୍ଦ୍ରଗୁଡ଼ିକ ପାଇଁ ପ୍ରାୟ ୨୫୦୦ ପରୀକ୍ଷାର୍ଥୀ ଥିବା ବେଳେ ୨୦୨୦ ଜଣ ପରୀକ୍ଷା ଦେଇଥିବା ସୂଚନା ମିଳିଛି। ବିଗତ ବର୍ଷଗୁଡ଼ିକ ତୁଳନାରେ ଏଥର ଓଡ଼ିଶାରୁ କମ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶ ଗ୍ରହଣ କରିଥିବା ଏନଟିଏ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ପରୀକ୍ଷାର୍ଥୀଙ୍କ ପାଇଁ କରାଯାଇ ଥିବା ସୁବିଧା ଉଠାଇଛନ୍ତି ୪ ହଜାର ଛାତ୍ରଛାତ୍ରୀ। ଭୁବନେଶ୍ୱରରେ ସର୍ବାଧିକ ୩ ହଜାର ଛାତ୍ରଛାତ୍ରୀ ସରକାରଙ୍କ ପକ୍ଷରୁ ହୋଇଥିବା ରହଣୀ ବ୍ୟବସ୍ଥାରେ ରହିଥିଲେ। ସମ୍ବଲପୁରରେ ପ୍ରାୟ ୩୦୦, ବାଲେଶ୍ଵରରେ ୧୫୦ରୁ ଅଧିକ, କଟକରେ ୬୦, ଢେଙ୍କାନାଳରେ ୪୦ରୁ ଅଧିକ ଛାତ୍ରଛାତ୍ରୀ ସରକାରଙ୍କ ପକ୍ଷରୁ ହୋଇଥିବା ରହଣୀ ବ୍ୟବସ୍ଥାର ଉପଯୋଗ କରିଥିଲେ। ଭୁବନେଶ୍ୱରରେ ବିଏମସି ପକ୍ଷରୁ ୨୦ଟି ହୋଟେଲରେ ରହଣୀ ସୁବିଧା କରାଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀ ସେଥିପ୍ରତି ଆଗ୍ରହ ପ୍ରକାଶ କରି ନ ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର