୧୪ ଜିଲ୍ଲାରେ ଟିକାକରଣର ସୁଯୋଗ ପାଇ ନାହାନ୍ତି ୧୧ହଜାର ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ବର : ରାଜ୍ୟ ସରକାର ସ୍ବାସ୍ଥ୍ୟକର୍ମୀଙ୍କ ପ୍ରଥମ ଡୋଜ୍ ଟିକାକରଣ ଅବଧି ଦୁଇ ଦୁଇ ଥର ବଢ଼ାଇଲେ। ଏପରିକି ପଞ୍ଜୀକରଣ କରି ଟିକା ନ ନେଲେ କରୋନା ସଂକ୍ରମଣ ଜନିତ ସୁବିଧା ସୁଯୋଗ ମିଳିବନି ବୋଲି ଚେତାବନୀ ମଧ୍ୟ ଦେଲେ। ଏହାସତ୍ବେ ମଧ୍ୟ ରାଜ୍ୟରେ ସ୍ବାସ୍ଥ୍ୟକର୍ମୀଙ୍କ ଶତ ପ୍ରତିଶତ ଟିକାକରଣ ହୋଇପାରିଲା ନାହିଁ।

ଅପରପକ୍ଷରେ ରାଜ୍ୟର ୧୪ଟି ଜିଲ୍ଲାରେ ପଞ୍ଜୀକୃତ କିଛି ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ନେବା ପାଇଁ ଥରେ ହେଲେ ଡକା ନ ଯିବାକୁ ନେଇ ସ୍ବାସ୍ଥ୍ୟ ବିଭାଗ କ୍ଷୁବ୍ଧ ହୋଇଛି। ରାଜ୍ୟରେ ଗୋଟିଏ ପଟେ ଶତ ପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ ହେଉ ନ ଥିବା ବେଳେ ୧୪ ଜିଲ୍ଲାରେ କିଛି ସ୍ବାସ୍ଥ୍ୟକର୍ମୀ ଟିକା ନେବାରୁ ବଳି ପଡ଼ିବା ଘଟଣା ସ୍ବାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର ବିଷୟ ହୋଇଛି। ତେଣୁ ଯେଉଁ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଥରେ ହେଲେ ମଧ୍ୟ ଟିକାକରଣ ପାଇଁ ଡକାଯାଇ ନାହିଁ ସେମାନଙ୍କୁ ଆସନ୍ତା ୩ ଦିନ ଭିତରେ ଟିକା ଦେବାର ବ୍ୟବସ୍ଥା କରିବା ଲାଗି ବିଭାଗ ପକ୍ଷରୁ କୁହାଯାଇଛି।

ଟିକା ନେବାକୁ ଡକାଯାଇ ନ ଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ସର୍ବାଧିକ ରହିଛନ୍ତି ଭୁବନେଶ୍ବରରେ। ଏଠାରେ ପ୍ରାୟ ୧୫ ପ୍ରତିଶତ ଅର୍ଥାତ୍ ୪୭୨୧, ସୁନ୍ଦରଗଡ଼ରେ ୨୫୪୫ ବା ୧୩ ପ୍ରତିଶତ, ନୂଆପଡ଼ାରେ ୩୧୮, ସମ୍ବଲପୁରରେ ୭୧୬, ମୟୂରଭଞ୍ଜରେ ୯୮୦ଜଣ ବା ୫ ପ୍ରତିଶତ ଲେଖାଏଁ, ବରଗଡ଼ରେ ୪ ପ୍ରତିଶତ ବା ୩୮୦ଜଣ, ବାଲେଶ୍ବରରେ ୪୬୬ ଓ ଅନୁଗୁଳରେ ୨୬୫ ବା ୩ ପ୍ରତିଶତ ଲେଖାଏଁ, ଭଦ୍ରକ ୧୭୯, ଯାଜପୁର ୨୦୫, ଦେବଗଡ଼ରେ ୪୨ଜଣ ବା ୨ପ୍ରତିଶତ ଲେଖାଏଁ, ନୟାଗଡ଼ରେ ୬୭, ଢେଙ୍କାନାଳରେ ୩୯ ଓ ବୌଦ୍ଧରେ ୧୦ଜଣ ଟିକାକରଣରୁ ଏକପ୍ରକାର ବାଦ୍ ପଡ଼ିଛନ୍ତି। ତେଣୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କୋ-ୱିନ୍ ଡ୍ୟାସ୍ ବୋର୍ଡ ବନ୍ଦ ହେବା ପୂର୍ବରୁ ଏସବୁ ବ୍ୟକ୍ତିମାନଙ୍କୁ ଟିକାକରଣ କରାଇବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳ ଓ ନଗର ନିଗମକୁ ଚିଠି ଜାରି ହୋଇଛି।

ରାଜ୍ୟରେ ସମୁଦାୟ ୩ଲକ୍ଷ ୩୮ହଜାର ୭ଶହ ସ୍ବାସ୍ଥ୍ୟକର୍ମୀ ପଞ୍ଜୀକୃତ ହୋଇଥିବା ବେଳେ ୮୮ପ୍ରତିଶତ ହାରରେ ୨ଲକ୍ଷ ୯୮ହଜାର ୨୧୭ଜଣ ଟିକା ନେଇଛନ୍ତି। ଏହାସହ ୮୭ପ୍ରତିଶତ ହାରରେ ୧ଲକ୍ଷ ୫୪ହଜାର ୪୩୪ଜଣ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ଧାର୍ଯ୍ୟ ଅବଧିର ଅନ୍ତିମ ଦିବସରେ ଆଜି ପ୍ରଥମ ଡୋଜ୍ ପାଇଁ ୯୫ ପ୍ରତିଶତ ଓ ଦ୍ବିତୀୟ ଡୋଜ୍ ପାଇଁ ୯୨ ପ୍ରତିଶତ ଟିକାକରଣ ସମ୍ଭବ ହୋଇପାରିଛି। ଏହାସହ ରାଜ୍ୟରେ ୨ଲକ୍ଷ ୪ହଜାର ୪୬୯ଜଣ ଆଗଧାଡ଼ିର ଯୋଦ୍ଧା ପଞ୍ଜୀକୃତ ହୋଇଥିବା ବେଳେ ତହିଁରୁ ୭୮ ପ୍ରତିଶତ ହାରରେ ୧ଲକ୍ଷ ୬୦ହଜାର ୧୫୧ଜଣ ଟିକା ନେଇ ସାରିଲେଣି। ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ଯେଉଁ ସ୍ବାସ୍ଥ୍ୟକର୍ମୀମାନେ ଟିକା ନେଇ ପାରି ନାହାନ୍ତି ସେମାନେ ଆସନ୍ତାକାଲି ମଧ୍ୟ ଟିକା ନେଇପାରିବେ। ଆସନ୍ତାକାଲି ସ୍ବାସ୍ଥ୍ୟକର୍ମୀଙ୍କ ଦ୍ବିତୀୟ ଡୋଜ୍ ଓ ଆଗଧାଡ଼ିର ଯୋଦ୍ଧାଙ୍କ ପାଇଁ ଟିକାକରଣ ଅଧିବେଶନ ଆୟୋଜିତ କରାଯାଉଥିବାରୁ ପ୍ରଥମ ଡୋଜ୍ ଟିକା ନେବାରେ କୌଣସି ସମସ୍ୟା ହେବ ନାହିଁ ବୋଲି ଡା.ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର