ଅବିଭକ୍ତ କୋରାପୁଟରେ ଯୁକ୍ତଦୁଇ ପ୍ରତି ଛାତ୍ରଛାତ୍ରୀ ବିମୁଖ, ଖାଲି ପଡିଛି ୧୧ ହଜାର ୧୯୦ ସିଟ୍

୨୦୨୦ରେ ଖାଲି ପଡିଛି ୩୫ ପ୍ରତିଶତ ସିଟ୍, ୨୦୧୯ରେ ଖାଲି ଥିଲା ୨୪ ପ୍ରତିଶତ ସିଟ୍

ଜୟପୁର : ଦିନକୁ ଦିନ ଅବିଭକ୍ତ କୋରାପୁଟ ଜିଲ୍ଲା ଗୁଡିକରେ ଯୁକ୍ତଦୁଇ ପାଠ୍ୟକ୍ରମ ପ୍ରତି ବିମୁଖ ହେଉଛନ୍ତି ଛାତ୍ରଛାତ୍ରୀ। ପଛୁଆ ଜିଲ୍ଲା ଗଣାଯାଉଥିବା କୋରାପୁଟ, ମାଲାକାନଗିରି, ନବରଙ୍ଗପୁର ଓ ରାୟଗଡା ଜିଲ୍ଲାର ୧୪୨ଟି ଯୁକ୍ତଦୁଇ ମହାବିଦ୍ୟାଳୟରେ ପୂର୍ଣ୍ଣ ଭାବେ ସିଟ ପୂରଣ ହେଉନି। ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଧାମୂଳକ ପାଠ୍ୟକ୍ରମରେ ତିନିଟି କଟ୍ ଅଫ ପ୍ରକାଶ ପାଇଛି। ଆସନ୍ତାକାଲି ସ୍ପଟ ଆଡିମିଶନ ରହିଛି। ଏହି ସ୍ପଷ୍ଟ ଆଡିମିଶନରେ କ’ଣ ସବୁ ଛାତ୍ରଛାତ୍ରୀ ଆଡମିଶନ କରିବେ ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଏହି ୪ ଜିଲ୍ଲାରେ ଖାଲି ପଡିଥିବା ୧୧ ହଜାର ୧୯୦ଟି ସିଟ୍ ପୂରଣ ହେବ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହି ୪ଟି ଜିଲ୍ଲାରେ ମୋଟ ୪ଟି ପାଠ୍ୟକ୍ରମ ପାଇଁ ୩୧ହଜାର ୯୦୧ଟି ସିଟ୍ ରହିଥିବାବେଳେ ତିନିଟି କଟ୍ଅଫ୍‌ରେ ୨୦ହଜାର ୭୧୧ ଛାତ୍ରଛାତ୍ରୀ ଭର୍ତ୍ତି ହୋଇଛନ୍ତି। ମୋଟ ସିଟର ମାତ୍ର ୬୫ ପ୍ରତିଶତ ଛାତ୍ରଛାତ୍ରୀ ଯୁକ୍ତଦୁଇରେ ଭର୍ତ୍ତି ହୋଇଥିବାବେଳେ ୩୫ ପ୍ରତିଶତ ସିଟ୍ ଖାଲି ପଡିଛି। କୋରାପୁଟ ଜିଲ୍ଲାରେ ୧୧ ହଜାର ୧୫୪ ସିଟରୁ ୭ ହଜାର ୧୨୨ ସିଟ ଭର୍ତ୍ତି ହୋଇଥିବାବେଳେ ଖାଲି ପଡିଛି ୪ ହଜାର ୦୩୨ଟି ସିଟ୍। ସେହିପରି ନବରଙ୍ଗପୁର ଜିଲ୍ଲାରେ ୮ ହଜାର ୧୧୯ଟି ସିଟରୁ ୪ ହଜାର ୮୨୯ ସିଟ ଭର୍ତ୍ତି ହୋଇଥିବାବେଳେ ଖାଲି ପଡିଛି ୩ ହଜାର ୨୯୦ଟି ସିଟ୍। ରାୟଗଡା ଜିଲ୍ଲାରେ ୭ ହଜାର ୭୩୮ଟି ସିଟରୁ ୫ ହଜାର ୩୩୨ ସିଟ ଭର୍ତ୍ତି ହୋଇଥିବାବେଳେ ଖାଲି ପଡିଛି ୨୪୦୬ଟି ସିଟ। ସେହିପରି ମାଲକାନଗିରି ଜିଲ୍ଲାରେ ମୋଟ ୪ ହଜାର ୮୯୦ଟି ସିଟରୁ ଏବେଯାଏ ୩ ହଜାର ୪୨୮ଟି ସିଟ ଭର୍ତ୍ତି ହୋଇଥିବାବେଳେ ଖାଲି ପଡିଛି ୧ ହଜାର ୪୬୨ଟି ସିଟ୍।

ଅନ୍ୟପକ୍ଷରେ ଗତବର୍ଷ ମଧ୍ୟ ଏହି ୪ଟି ଜିଲ୍ଲାରେ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ଯୁକ୍ତଦୁଇ ଆଡମିଶନରେ ପ୍ରାୟ ୨୪.୭୫ ପ୍ରତିଶତ ଛାତ୍ରଛାତ୍ରୀ ଭର୍ତ୍ତି ହୋଇ ନ ଥିଲାବେଳେ ୭୫.୭୩ ପ୍ରତିଶତ ଭର୍ତ୍ତି ହୋଇଥିଲା। ୨୦୧୯ ଶିକ୍ଷାବର୍ଷରେ କୋରାପୁଟ ଜିଲ୍ଲାରେ ୧୧ ହଜାର ୩୩୪ ସିଟରୁ ୯ ହଜାର ୬୯୩ ସିଟ ଭର୍ତ୍ତି ହୋଇଥିବାବେଳେ ଖାଲି ପଡିଥିଲା ୧୬୪୧ଟି ସିଟ୍। ସେହିପରି ନବରଙ୍ଗପୁର ଜିଲ୍ଲାରେ ୮ହଜାର୧୧୯ଟି ସିଟରୁ ୫ ହଜାର ୫୪୧ ସିଟ ଭର୍ତ୍ତି ହୋଇଥିବାବେଳେ ଖାଲି ପଡିଥିଲା ୨୫୭୮ଟି ସିଟ୍। ରାୟଗଡା ଜିଲ୍ଲାରେ ୮ ହଜାର ୦୭୪ଟି ସିଟରୁ ୫ ହଜାର ୫୮୨ ସିଟ ଭର୍ତ୍ତି ହୋଇଥିବାବେଳେ ଖାଲି ପଡିଥିଲା ୨ହଜାର ୪୯୨ଟି ସିଟ। ସେହିପରି ମାଲକାନଗିରି ଜିଲ୍ଲାରେ ମୋଟ ୪ ହଜାର ୮୯୦ଟି ସିଟରୁ ୩ ହଜାର ୫୭୩ଟି ସିଟ ଭର୍ତ୍ତି ହୋଇଥିବାବେଳେ ଖାଲି ପଡିଥିଲା ୧ ହଜାର ୩୧୭ ଟି ସିଟ୍।

ତେବେ ଏହି ଜିଲ୍ଲା ଗୁଡିକରେ ବର୍ଷକୁ ବର୍ଷ ସିଟ୍ ଖାଲି ରହିବା ହାର ବୃଦ୍ଧି ପାଇବାରେ ଲାଗିଛି। ଗତବର୍ଷ ୨୪.୭୬ ପ୍ରତିଶତ ସିଟ୍ ଖାଲି ପଡିଥିବାବେଳେ ଚଳିତବର୍ଷ ଏହା ୩୫ ପ୍ରତିଶତକୁ ବୃଦ୍ଧି ପାଇଛି। ଆସନ୍ତାବର୍ଷ ଏହା କେତେ ରହିବା ତାହା ଏବେଠୁ କହି ହେବ ନାହିଁ। ଏଥିରେ ଉଚ୍ଚଶିକ୍ଷା ବିଭାଗର ଚିନ୍ତା ବଢାଇ ଦେଇଥିବାବେଳେ ସେହି ତୁଳନାରେ ପରୀକ୍ଷା ଫଳ ମଧ୍ୟ ବର୍ଷକୁ ବର୍ଷ ଖରାପ ହେଉଥିବା ଦେଖିବାକୁ ମିଳିଛି। ତେବେ କାହିଁକି ଯୁକ୍ତଦୁଇ ପାଠ୍ୟକ୍ରମ ପ୍ରତି ଏହି ଜିଲ୍ଲାଗୁଡିକର ଛାତ୍ରଛାତ୍ରୀ ବିମୁଖ ହେଉଛନ୍ତି ତାହା ରାଜ୍ୟ ସରକାରଙ୍କର ଉଚ୍ଚ ମାଧ୍ୟମିକ ଶିକ୍ଷା ପ୍ରତି ପ୍ରଶ୍ନ ଉଠିଛି।

ଏନେଇ ପ୍ରଫେସର ଗୋପାଳ ହଳଦାର କହିଛନ୍ତି ଯେ ଏହି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡିକରେ ବିଭିନ୍ନ ରେସିଡେଣ୍ଟାଲ କଲେଜ ଓ ଏସଏସଡି (୧୦+୨)ଖୋଲିବାରୁ ସେଠାରେ ପିଲାମାନେ ପଢୁଛନ୍ତି। ଏହାସହ ଶିକ୍ଷକ ଅଭାବ ଓ କଲେଜର ଗତବର୍ଷର ପରୀକ୍ଷା ଫଳକୁ ଦେଖି ଅଭିଭାବକମାନେ ସରକାରୀ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଗ୍ରହଣ କରିବାକୁ ଦେଉନାହାନ୍ତି। ଏହାସହ ଏହି ୪ଟି ଜିଲ୍ଲା ଗୁଡିକରେ ଏକାଧିକ ଡିପ୍ଲୋମା କଲେଜ ଖୋଲିବାରୁ ଛାତ୍ରଛାତ୍ରୀମାନେ ଦଶମ ପରେ ଡିପ୍ଲୋମା ପାଇଁ ଛାଡି ଦେଉଛନ୍ତି। ତେଣୁ ଏହି ୪ ଜିଲ୍ଲାରେ ସିଟ ଖାଲି ପଡୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର