ପାର୍ବଣ ପାଇଁ ନିଶା, ଲୁଟେରାଙ୍କ ଉପରେ ନଜର; ଦେଢ଼ କୋଟିର ଚୋରା ସମ୍ପତ୍ତି ଜବତ, ୧୧୪ ନିଶା-ବନ୍ଧୁକ ମାଫିଆ ଗିରଫ

କଟକ: କଟକ ସହରରେ ମେ’-ଜୁଲାଇ ଦୁଇ ମାସ ଭିତରେ ପୁଲିସ ୧ କୋଟି ୪୨ ଲକ୍ଷ ୭୫ ହଜାର ୬୧୯ ଟଙ୍କାର ଚୋରା ସମ୍ପତ୍ତି ଜବତ କରିଛି। ସମ୍ପତ୍ତି ଜନିତ ମାମଲା ମୋଟ ୨୬୦ଟି ତଦନ୍ତ କରାଯାଇଥିବା ବେଳେ ୧୧୦ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି। ୧୭୨ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ଏକ ରିପୋର୍ଟ କମିସନରେଟ୍ ପୁଲିସ ପ୍ରକାଶ କରିଛି। ଏହି ରିପୋର୍ଟ ବାଦ୍ ବାର୍ଷିକ ରେକର୍ଡ ଯଦି ଦେଖାଯାଏ ତେବେ ପୁଲିସ ଚାର୍ଜସିଟ୍, ଗିରଫଦାରୀ ଏବଂ ସମ୍ପତ୍ତି ଠାବ କ୍ଷେତ୍ରରେ ହାରାହାରି ୫୦ ପ୍ରତିଶତ ସଫଳ ହେଉଥିବା ବେଳେ ଅବଶିଷ୍ଟ ଅଧା ମାମଲାରେ ପଛୁଆ ରହୁଛି।

ସୂଚନା ଅନୁଯାୟୀ, ସମ୍ପତ୍ତି ଜନିତ ଅପରାଧୀକ ମାମଲାରେ ୨୦୧୭ରୁ ୨୦୨୦ ବର୍ଷରେ ଦୁର୍ବଳ ସ୍ଥିତିରେ ରହିଛି କମିସନରେଟ୍ ପୁଲିସ। ଚୋରି, ଛିନତାଇ, ସିନ୍ଧିଚୋରି, ଠକେଇ ଭଳି ସମ୍ପତ୍ତି ଜନିତ ଅପରାଧୀକ ମାମଲାରେ ମୋଟ ୪ ହଜାର ୧୧୫ଟି ରୁଜୁ ହୋଇଛି। ମାତ୍ର ୨୭ଶହ ୫୨ ଅପରାଧୀଙ୍କୁ ପୁଲିସ ଗିରଫ କରିଛି। ରୁଜୁ ହୋଇଥିବାରୁ ମାମଲାରୁ ପୁଲିସ ୧୯ଶହ ୯ଟି ମାମଲାରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିପାରିଛି।

କମିସନରେଟ୍ ପୁଲିସ ଜାରି କରିଥିବା ଏକ ରିପୋର୍ଟ ଅନୁଯାୟୀ, ଗଲା ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ କଟକ ସହରରେ ସମ୍ପତ୍ତି ଜନିତ ଅପରାଧୀକ ମାମଲା ବାଦ୍ ୧୭୨ଟି ଅବକାରୀ ମାମଲା ଠାବ ହୋଇଛି। ୨ ହଜାର ୭୪ ବୋତଲ ଆସ୍କା ଫର୍ଟି ମଦ, ୧ହଜାର ୭୯୫ ଲିଟର ଆଇଡି ଲିକର୍, ୧୭୩ ବୋତଲ ବିଦେଶୀ ମଦ ଜବତ ହୋଇଛି। ଏହି ମାମଲାରେ ୧୧୨ ଜଣ ନିଶା ମାଫିଆଙ୍କୁ ଗିରଫ କରାଯାଇଛି। ଏହାବାଦ୍ ୭ଟି ଏନଡିପିଏସ୍ ମାମଲା ଠାବ ହୋଇଛି। ଏଥିରେ ୩୭ କେଜି ୪୮୦ ଗ୍ରାମ ଗଞ୍ଜେଇ, ୨୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି।

ଏନଡିପିଏସ୍ ମାମଲାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବନ୍ଧୁକ କାରବାର କ୍ଷେତ୍ରରେ ଯଦି ଦେଖାଯିବ, ତେବେ ୨ଟି ବନ୍ଧୁକ, ୪ ରାଉଣ୍ଡ ଗୁଳି ଜବତ ହୋଇଥିବା ବେଳେ ୨ ଜଣ ବନ୍ଧୁକ ବ୍ୟବସାୟୀ ଗିରଫ ହୋଇଛନ୍ତି। ମୋଟ ୭୧୬ଟି ଏନବିଡବ୍ଲୁ କାର୍ଯ୍ୟକାରୀ ହୋଇଛି। ୩୪ ଜଣ ପେଶାଦାର ଅପରାଧୀଙ୍କ ବିରୋଧରେ ସିଆରପିସିର ଧାରା ୧୧୦ ଲାଗିଛି। ସହରରେ ଟ୍ରାଫିକ ନିୟମ ଭାଙ୍ଗିଥିବା ଖିଲାପୀଙ୍କ ସଂଖ୍ୟା ଅଧିକ ରହିଛି। ମୋଟ ୬୧ ହଜାର ୫୨ ଜଣ ଗାଡ଼ି ଚାଳକ ସହରରେ ଟ୍ରାଫିକ ନିୟମ ଭାଙ୍ଗିଛନ୍ତି। ଏମାନଙ୍କ ନିକଟରୁ ୫ କୋଟି ୧୧ ଲକ୍ଷ ୭୩ ହଜାର ଟଙ୍କା ଜବତ ହୋଇଛି। ପାର୍ବଣ ଆଗକୁ ଆସୁଥିବାରୁ ଚୋରି, ଛିନତାଇ, ଲୁଟ୍ ଏବଂ ଚୋରା ନିଶା କାରବାର ଭଳି ଅପରାଧ ଅଧିକ ହେବାର ଆଶଙ୍କା ଥିବାରୁ ଏବେଠାରୁ ପୁଲିସ ଏହି ସମ୍ପତ୍ତି ଜନିତ ଅପରାଧୀକ ମାମଲାରେ ଅଧିକ ସକ୍ରିୟ ହୋଇପଡ଼ିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର