ଭୁବନେଶ୍ୱର : ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ। ହାଇସ୍କୁଲରେ ୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ପଦବି ପୂରଣ ହେବା ପରେ ଆହୁରି ସାଢ଼େ ୧୧ ହଜାର ଶିକ୍ଷକ ପଦବି ଲାଗି ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପଦବି ପୂରଣ ପାଇଁ ଗଣଶିକ୍ଷା ବିଭାଗ ପଦକ୍ଷେପ ନେବାକୁ ଯାଉଛି। ଏଥିସହ ଶିକ୍ଷକତା ପାଇଁ ଆବଶ୍ୟକ ସଂଖ୍ୟକ ପ୍ରାର୍ଥୀ ମିଳୁ ନ ଥିବାରୁ ପରୀକ୍ଷା ଓ ନିଯୁକ୍ତି ନିୟମାବଳୀରେ ସଂଶୋଧନ କରାଯାଇଛି। ଯେପରି ଅଧିକ ସଂଖ୍ୟକ ପ୍ରାର୍ଥୀ ଅଂଶଗ୍ରହଣ କରିପାରିବେ ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।
ଏଥିସହ ବର୍ଦ୍ଧିତ ଛାତ୍ରଛାତ୍ରୀ ସଂଖ୍ୟା ଦୃଷ୍ଟିରୁ ଅଧିକ ୩୪୬୨ଟି ଶିକ୍ଷକ ପଦବି ମଧ୍ୟ ମଞ୍ଜୁର କରାଯାଇଛି। ଏବେ ଖାଲି ପଦବି ତଥା ନୂତନ ମଂଜୁରୀପ୍ରାପ୍ତ ପଦବିକୁ ମିଶାଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୧୧ ହଜାର ୪୦୩ ଶିକ୍ଷକ ପଦବି ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏପ୍ରିଲ ୨୦୨୨ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ କରି ବିଦ୍ୟାଳୟଗୁଡ଼ିକରେ ନୂତନ ଶିକ୍ଷକ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି।
ସୂଚନାଯୋଗ୍ୟ ଯେ ନିକଟରେ ଗୋଟିଏ ଦିନରେ ୬୧୩୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏବର୍ଷ ପ୍ରଥମ ପର୍ଯ୍ୟାୟରେ ୪୬୧୯ ଜଣ ହିନ୍ଦୀ, ସଂସ୍କୃତ ଓ କ୍ରୀଡ଼ା ଶିକ୍ଷକ ପଦବି ପୂରଣ ନିମନ୍ତେ ଅଗଷ୍ଟ ୧୩ରେ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୬୭୨୦ ଜଣ ଟିଜିଟି କଳା ଶିକ୍ଷକ ଓ ତେଲୁଗୁ ଶିକ୍ଷକ ପାଇଁ ଅଗଷ୍ଟ ୨୮ରେ ବିଜ୍ଞାପନ ପ୍ରକାଶିତ ହୋଇଥିଲା।