ଭୁବନେଶ୍ବର: ୧୧୫୨ଜଣ ନୂତନ ଅଧ୍ୟାପକ, ଅଧିକାରୀ ଓ କର୍ମଚାରୀ ଆଜି ରାଜ୍ୟ ସରକାରଙ୍କ ଅଧୀନରେ ଯୋଗ ଦେଇଛନ୍ତି। ଏଥିରେ ୯୯୭ଜଣ ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକ, ସମବାୟ ସମିତିରେ ୫୭ଜଣ ଇନ୍‌ସପେକ୍ଟର, ୫୭ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଓ ସୂଚନା ଓ ଲୋକସଂପର୍କ ବିଭାଗରେ ଗ୍ରୁପ୍-ସି ଅଧୀନରେ ୩୧ଜଣ ଜିଲ୍ଲାସ୍ତରୀୟ ଅଧିକାରୀ ରହିଛନ୍ତି। ଏଥିପାଇଁ ରବୀନ୍ଦ୍ର ମଣ୍ଡପରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Advertisment

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କହିଲେ, ନବନିଯୁକ୍ତ କର୍ମଚାରୀମାନଙ୍କ ପ୍ରତିଭା, ପ୍ରତିବଦ୍ଧତା ଓ ପରିଶ୍ରମ ସେମାନଙ୍କ ନିଜ କର୍ମ କ୍ଷେତ୍ରରେ ଅଧିକ ପାରଦର୍ଶିତା ଆଣିବ। ୫-ଟି ଉପକ୍ରମରେ ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ଆସିବା ସହ ତଳସ୍ତରରେ ଥିବା ଲୋକମାନଙ୍କୁ ସଶକ୍ତ କରିପାରିଛି। ଓଡ଼ିଶା ଏବେ ଦେଶର ଏକ ଦ୍ରୁତ ବିକାଶଶୀଳ ରାଜ୍ୟରେ ପରିଣତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ କହିଥିଲେ, ଦୁଇ ଦଶନ୍ଧି ତଳେ ରାଜ୍ୟର ଆର୍ଥିକ ସ୍ଥିତି ଦୁର୍ବଳ ରହିଥିଲା। କୌଣସି ନୂଆ ନିଯୁକ୍ତି ହୋଇପାରୁ ନ ଥିଲା।

ଏପରିକି କାର୍ଯ୍ୟରତ ସରକାରୀ କର୍ମଚାରୀ ଠିକ୍ ସମୟରେ ବେତନ ପାଇପାରୁ ନ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଦେଶରେ ଓଡ଼ିଶା ଏକ ଅଗ୍ରଣୀ ଅର୍ଥନୈତିକ ରାଜ୍ୟରେ ପରିଣତ ହୋଇଛି। ଯାହାଫଳରେ ନିୟମିତଭାବେ ନିଯୁକ୍ତି ସମ୍ଭବ ହୋଇପାରୁଛି ବୋଲି ଶ୍ରୀ ଅମାତ କହିଥିଲେ। ପ୍ରାରମ୍ଭରେ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ।