ବାଲେଶ୍ବର/ସୋର : ସାଂପ୍ରତିକ ଯୁବପିଢ଼ି ଆଉ ଏକ ‘ଦରବାର’ କାବ୍ୟ ଲେଖି ଓଡ଼ିଆ ଜାତିକୁ ଉପହାର ଦେଲେ, ତାହା କବିବରଙ୍କ ପାଇଁ ଶ୍ରେଷ୍ଠ ଉପହାର ହେବ। କେବଳ ମୂର୍ତ୍ତି ପ୍ରତିଷ୍ଠା ନୁହେଁ, କବିବରଙ୍କ କୀର୍ତ୍ତିକୁ ବୁଝିଲେ ତାଙ୍କ ସାରସ୍ବତ ପ୍ରତିଭା ପ୍ରତି ଏହା ଶ୍ରେଷ୍ଠ ସମ୍ମାନ ହେବ। କବିବରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପାଇଁ ଯେଉଁମାନେ ଏକାଠି ହୋଇଛନ୍ତି, ସେମାନେ ପ୍ରଥମେ ନିଜ ପିଲାମାନଙ୍କୁ ଓଡ଼ିଆ ଭାଷା ପ୍ରତି ସଚେତନ କରିବା ଆବଶ୍ୟକ। ବାଲେଶ୍ବର ଜିଲ୍ଲା ସୋରସ୍ଥିତ ରାଧାନାଥ ପାଠାଗାର ଆନୁକୂଲ୍ୟରେ ଆୟୋଜିତ କବିବର ରାଧାନାଥ ରାୟଙ୍କ ୧୧୫ତମ ଶ୍ରାଦ୍ଧବାର୍ଷିକୀ ଓ ୭୮ତମ ସାଂସ୍କୃତିକ ସମାରୋହର ଆଜି ଦ୍ବିତୀୟ ସାନ୍ଧ୍ୟ ଅଧିବେଶନରେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।

Advertisment

ରାଧାନାଥ ପାଠଗାରର ସଭାପତି ତଥା ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ଶ୍ରୀ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସେ କହିଥିଲେ, କବିବର ରାଧାନାଥ ହେଉଛନ୍ତି ଆଧୁନିକ ଓଡ଼ିଆ ସାହିତ୍ୟର ସ୍ରଷ୍ଟା ତଥା ଜାତୀୟ ଚେତନା ଓ ସାହିତ୍ୟର କର୍ଣ୍ଣଧାର। ୧୭୫ ବର୍ଷ ପୂର୍ବରୁ ଯଦି କବିଙ୍କର ଜନ୍ମ ହୋଇନଥାନ୍ତା, ତେବେ ଓଡ଼ିଆ ସାହିତ୍ୟ ଆଜି କି ପରିସ୍ଥିତିରେ ଥାଆନ୍ତା ତାହା ଅନୁଭବ କରିହୁଏ। କେବଳ ତାଙ୍କର ମୂର୍ତ୍ତି ସ୍ଥାପନ କରିଦେଲେ କିମ୍ବା ମାଲ୍ୟାର୍ପଣ କରିଦେଲେ, ତାଙ୍କ ପ୍ରତି ବିଶେଷ କିଛି ଶ୍ରଦ୍ଧା ବା ସମ୍ମାନ କରାଯାଉଛି ବୋଲି କୁହାଯାଇପାରିବ ନାହିଁ। ଆଜି ଆମେ ତାଙ୍କର ଉତ୍ତରଦାୟାଦ ଭାବେ ଶ୍ରାଦ୍ଧୋତ୍ସବ ପାଳୁଛନ୍ତି ସତ, କିନ୍ତୁ ସମସ୍ତଙ୍କ ପାଇଁ ଏବେ ଆତ୍ମ ସମୀକ୍ଷା କରିବାର ବେଳ ଆସିଛି। ରାଧାନାଥଙ୍କ ଶ୍ରାଦ୍ଧୋତ୍ସବ ଆମ ସମସ୍ତଙ୍କ ପାଇଁ ଯେତିକି ସମ୍ମାନର ବିଷୟ, ତାଙ୍କର ସାରସ୍ବତ କୃତି ଓ ଅବଦାନ ସଂପର୍କରେ ଅଧିକରୁ ଅଧିକ ଆଲୋଚନା ପରିବ୍ୟାପ୍ତ ହେବା ଆବଶ୍ୟକ ବୋଲି କହିଥିଲେ। ଏଥିସହିତ, ରାଧାନାଥଙ୍କ ସ୍ମୃତିରକ୍ଷା ପାଇଁ ତାଙ୍କ ଜନ୍ମପୀଠରେ ସୋର ବିଧାୟକଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପକୁ ଶ୍ରୀ ପଟ୍ଟନାୟକ ଭୂୟସୀ ପ୍ରଶଂସା କରିଥିଲେ।

ବରେଣ୍ୟ ଅତିଥି ଭାବେ ଯୋଗଦେଇ ପ୍ରାଧ୍ୟାପିକା‌ ଡକ୍ଟର ପ୍ରତିଭା ମହାରଥୀ କହିଥିଲେ, ଏକ ସଂଘର୍ଷମୟ ପରିସ୍ଥିତିରେ ଓଡ଼ିଆ ଭାଷା ସାହିତ୍ୟକୁ ଉଜ୍ଜୀବିତ ରଖିବାରେ ରାଧାନାଥଙ୍କ ଅବଦାନ ଅବିସ୍ମରଣୀୟ। ଉତ୍ତର ପିଢ଼ିଙ୍କ ପାଇଁ ତାଙ୍କ କୃତି ଓ କୀର୍ତ୍ତିକୁ ସୁରକ୍ଷା ଦେବା ଜରୁରି। ମୁଖ୍ୟବକ୍ତା ଅବସରପ୍ର‌ାପ୍ତ ପ୍ରାଧ୍ୟାପିକା ଡକ୍ଟର ଅପର୍ଣ୍ଣା ମହାନ୍ତି ‘ପାର୍ବତୀ’ କାବ୍ୟ ମାଧ୍ୟମରେ କବିବର କିପରି ସେତେବେଳେ ନାରୀ ନିର୍ଯାତନାକୁ ପ୍ରତିବାଦ କରିଥିଲେ, ସେ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡକ୍ଟର ହୃଷୀକେଶ ମଲ୍ଲିକଙ୍କୁ ‘କବିବର ରାଧାନାଥ ସାହିତ୍ୟ ସମ୍ମାନ-୨୦୨୩’ ପ୍ରଦାନ କରାଯାଇଥିବା ବେଳେ ଚକ୍ରଧର ପାଢ଼ୀଙ୍କ ଲିଖିତ ପୁସ୍ତକ ‘ବାଟ ସାଉଁଟା’ ଗଳ୍ପ ଉନ୍ମୋଚିତ ହୋଇଥିଲା। ଏଥିସହିତ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ‘ରାଧାନାଥ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଶେଷରେ, ଶରତ ମହାନ୍ତି ଧନ୍ୟବାଦ ଦେଇଥିଲେ।

ପୂର୍ବାହ୍ନ ଅଧିବେଶନରେ ରାଜ୍ୟସ୍ତରୀୟ କବିତା ପାଠୋ‌ତ୍ସବ ଅନୁଷ୍ଠିତ ହୋଇଥିଲା। ସନ୍ତୋଷିନୀ ଗିରି ଓ ମମତା ସାହୁଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମକୁ ରାଧାନାଥ ପାଠାଗାରର ସଭାପତି ତଥା ବିଧାୟକ ପର୍ଶୁରାମ ଧଡ଼ା ଉଦ୍‌ଘା‌ଟନ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ.ହୃଷୀକେଶ ମଲ୍ଲିକ, ସାରସ୍ବତ ସାଧକ ବିମଳ ଜେନା, ଫକୀରମୋହନ ସାହିତ୍ୟ ପରିଷଦର ପୂର୍ବତନ ସଭାପତି ଡ.ହରିଶ୍ଚନ୍ଦ୍ର ବେହେରା ଯୁଗସ୍ରଷ୍ଟା କବିବର ରାଧାନାଥଙ୍କ ବିଭିନ୍ନ କାବ୍ୟର ଅନୁଶୀଳନ କରି ତାଙ୍କ ପ୍ରତିଭା ଓ ଆତ୍ମିକରଣ ଦକ୍ଷତା ଉପରେ ଆ​ଲୋକପାତ କରିଥିଲେ। ଦେବେନ୍ଦ୍ର ପ୍ରଧାନ ଅତିଥି ପରିଚୟ ପରିଚୟ ପ୍ରଦାନ କରିଥିଲେ। ପୁରୁବାଈ କନ୍ୟାଶ୍ରମର ଅନ୍ତେବାସିନୀମାନେ ‘ଭାରତ ବନ୍ଦନା’ ଗାନ କରିଥିବା ବେଳେ ମନୀନ୍ଦ୍ର ଦୀକ୍ଷିତ ସମ୍ବର୍ଦ୍ଧନା ଫଳକ ପାଠ କରିଥିଲେ। ଶେଷରେ ଦାମୋଦର ଦାଶମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।