ରାଉରକେଲା: ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ଜୀବନର ମାନକୁ ଉନ୍ନତ କରିବା ତଥା ସମସ୍ୟାର ସମାଧାନ କରିବାକୁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକାଧିକ ଯୋଜନା ହାତକୁ ନିଆଯାଉଛି। ଗ୍ରାମ୍ୟ ନିର୍ମାଣ ବିଭାଜନ(ଆର୍ଡବ୍ଲ୍ୟୁ ଡିଭିଜନ) ଅଧିକରେ ରାସ୍ତା, ବ୍ରିଜ୍ ନିର୍ମାଣ, ରାସ୍ତା ମରାମତି, କୋଠାଘର ଆଦି ନିର୍ମାଣ ହେଉଛି। ଏହି କ୍ରମରେ ଗତ ୧୦ ବର୍ଷ ଭିତରେ ରାଉରକେଲା ଗ୍ରାମ୍ୟ ନିର୍ମାଣ ବିଭାଜନ ଅନ୍ତର୍ଗତ ବିଭିନ୍ନ ବ୍ଲକରେ ମୋଟ୍ ୯୫୦ଟି ପ୍ରକଳ୍ପ ସ୍ଥାପନ କରାଯାଇଛି। ଏହି ବାବଦକୁ ମୋଟ୍ ୧୧୬୧.୧୧ କୋଟି ବ୍ୟୟ କରାଯାଇଛି।
ଏହି ପ୍ରକଳ୍ପଗୁଡ଼ିକ ବିଭିନ୍ନ ଯୋଜନା, ଯଥା- ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା(ପିଏମ୍ଜିଏସ୍ୱାଇ), ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା(ଏମ୍ଏମ୍ଏସ୍ୱାଇ), ଓମ୍ବାଡ୍ସି, ପ୍ଲାନ୍ ବିଲ୍ଡିଂ, ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍ଏଫ୍), ବିଜୁ ସେତୁ ଯୋଜନା(ବିଏସ୍ୱାଇ), ସ୍ପେଶାଲ ଏରିଆ ରୁରାଲ୍ କନେକ୍ଟିଭିଟି ଅଥରିଟି(ଏସ୍ଏଆର୍ସିଏ) ଆଦି ବିଭିନ୍ନ ଯୋଜନାରେ ସେବା ଯୋଗାଇ ଦିଆଯାଉଛି। ପିଏମ୍ଜିଏସ୍ୱାଇରେ ଏସବୁ ଅଞ୍ଚଳରେ ମୋଟ୍ ୨୯୮ଟି ରାସ୍ତା ନିର୍ମାଣ କରାଯାଇଛି। ଏ ବାବଦକୁ ୬୧୧.୧୯ କୋଟି ଟଙ୍କା ବ୍ୟୟ କରାଯାଇଛି। ସେହିଭଳି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୪୭.୯୮ କୋଟି ଟଙ୍କା ବ୍ୟୟରେ ମାତ୍ର ୨୦ଟି ରାସ୍ତା ନିର୍ମାଣ ହୋଇଛି। ଓମ୍ବାଡ୍ସି ପକ୍ଷରୁ ୩୪ଟି କୋଠାଘର, ରାସ୍ତା, ବ୍ରିଜ୍ ବାବଦକୁ ୨୬.୬୪ କୋଟି ଟଙ୍କା ବ୍ୟୟ କରାଯାଇଛି। ସେହିଭଳି ୩୮୦ଟି ପ୍ଲାନ୍ ବିଲ୍ଡିଂ ପାଇଁ ୭୦ କୋଟି ୭୬ ହଜାର ଟଙ୍କା ବ୍ୟୟ କରାଯାଇଥିବାବେଳେ ଡିଏମ୍ଏଫ୍ ପାଣ୍ଠି ଅନୁଦାନରେ ୧୦୯ଟି ପ୍ରକଳ୍ପ ବାବଦକୁ ୨୦୩.୭୩ କୋଟି, ବିଏସ୍ୱାଇରେ ୨୩ଟି ବ୍ରିଜ୍ ପାଇଁ ୯୯.୨୮ କୋଟି, ଏସ୍ଏଆର୍ସିଏରେ ୩ଟି ପ୍ରକଳ୍ପ ପାଇଁ ୧୮.୬୦ କୋଟି, ଗୋଟିଏ ଆର୍ଡି ରାସ୍ତା ମରାମତି ପାଇଁ ୪.୨୬ କୋଟି, ୮୧ଟି ପ୍ରକଳ୍ପର ପିରିଓଡିକାଲ ମରାମତି ପାଇଁ ୩୦.୩୯ କୋଟି, ଗୋଟିଏ ବିଚ୍ଛିନ୍ନ ଗାଁକୁ ରାସ୍ତା ସଂଯୋଗ ବାବଦକୁ ୪ କୋଟି ୩୭ ହଜାର ଟଙ୍କା ବ୍ୟୟ ହୋଇଛି।