ଛତ୍ରପୁର: ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗ ମନ୍ତ୍ରଣାଳୟର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଗଞ୍ଜାମ ଜିଲ୍ଲାର ୧୧୭ଟି ଗ୍ରାମକୁ ସାମିଲ କରାଯାଇଛି। ୨୦୧୮-୧୯ ବର୍ଷରେ ୧୪ଟି ଗାଁ, ୨୦୧୯-୨୦ରେ ୨୭ ଗାଁ, ୨୦୨୦-୨୧ରେ ୩୭ ଏବଂ ୨୦୨୧-୨୨ରେ ୪୬ ଗାଁକୁ ଚୟନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୦୧୮-୧୯ରେ ଚୟନ ହୋଇଥିବା ୧୪ଟି ଗାଁର ଭିତ୍ତିଭୂମି ବିକାଶ ସହ ସେଗୁଡ଼ିକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇଛି। ସେହିପରି ଦ୍ବିତୀୟ ପର୍ଯ୍ୟାୟ ତଥା ୨୦୧୯-୨୦ ରେ ଚୟନ ହୋଇଥିବା ୨୭ ଗାଁର ବିକାଶ ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନରେ ଉନ୍ନୟନମୂଳକ କାମ ଚାଲୁ ରହିଛି। ଖୁବ୍ ଶୀଘ୍ର ଏହି ୨୭ ଟି ଗାଁ ମଧ୍ୟ ଆଦର୍ଶ ଗ୍ରାମ ଭାବେ ଘୋଷିତ ହେବ ବୋଲି ସୂଚନା ମିଳିଛି।
ଏହି ଯୋଜନାର ରୂପରେଖ ଅନୁସାରେ, ୫୦ ପ୍ରତିଶତରୁ ଅଧିକ ଅନୁସୂଚିତ ଜାତି ବର୍ଗର ଜନସଂଖ୍ୟା ଥିବା ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ପରିଣତ କରିବାକୁ ଭିତ୍ତିଭୂମିର ବିକାଶ ହେବ। ପ୍ରତି ଗାଁର ବିକାଶ ଲାଗି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ୨୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ବ୍ୟୟ ହେବ। ପାନୀୟଜଳ, ଡ୍ରେନେଜ୍ ଓ ସୋକ୍ପିଟ୍, ସୌରଚାଳିତ ଷ୍ଟ୍ରିଟ୍ ଲାଇଟ୍, ସିସି ରୋଡ୍ ଓ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା ଲାଗି ଏହି ଅନୁଦାନକୁ ଖର୍ଚ୍ଚ କରାଯିବ।
ବର୍ତ୍ତମାନ ସୁନ୍ଧା ୨୦୧୮-୧୯ରେ ଚୟନ ହୋଇଥିବା ବେଗୁନିଆପଡା ବ୍ଲକ୍ କେ.ବରିଡ଼ା ପଞ୍ଚାୟତର ବାଉରୀନୂଆପଲ୍ଲୀ, ଛତ୍ରପୁର ବ୍ଲକ୍ ସୁନ୍ଦରପୁର ପଞ୍ଚାୟତର ପାଇତାରି, ଚିକିଟି ବ୍ଲକ୍ର କତୁରୁ ଓ ସୁନାପୁର, ଜଗନ୍ନାଥପ୍ରସାଦ ବ୍ଲକ୍ କାଦୁଅ ପଞ୍ଚାୟତର ସିଙ୍ଗିପୁର, ଖଲ୍ଲିକୋଟ ବ୍ଲକ୍ କନକା ପଞ୍ଚାୟତର ସାମଳାନାସି, ଡିମିରିଆ ପଞ୍ଚାୟତର ବାବଲା, ଦାନପୁର ପଞ୍ଚାୟତର କହଁର, କୁମଣ୍ତ ପଞ୍ଚାୟତର ବଳରାମପଲ୍ଲୀ, କେଶପୁର ପଞ୍ଚାୟତର କୁମାରପୁର, କୁକୁଡ଼ାଖଣ୍ତି ବ୍ଲକ୍ ମହୁଡ଼ା ପଞ୍ଚାୟତର କୁମାରପୁର, ସିହଳା ପଞ୍ଚାୟତର ଜୁଗୁଡି, ବାଲିପଡ଼ା ପଞ୍ଚାୟତର ଟିକରପଡ଼ା ଓ ଅନନ୍ତେଇ ପଞ୍ଚାୟତର ଅନନ୍ତେଇ ଗ୍ରାମକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇଛି। ଭିତ୍ତିଭୂମି ବିକାଶ ପାଇଁ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା।
ସେହିପରି ୨୦୧୯-୨୦ରେ ଚୟନ ହୋଇଥିବା ବେଗୁନିଆପଡ଼ା ବ୍ଲକ୍ର ବିଲିପଡ଼ା, ଛତ୍ରପୁର ବ୍ଲକର ମହାନାଦପୁର, ବଉଳଗାଁ, କେରାଣ୍ତିତୋଳା, ଟାଙ୍ଗଣାପଲ୍ଲୀ, ମାଟିଖାଲ, ପାଇତାରି, ଚିକିଟି ବ୍ଲକ୍ର ସୁନାପୁର, ଗଞ୍ଜାମ ବ୍ଲକ୍ର ଭୂଆଁଭୂଇଁ ଓ କାଇଁଚପୁର, ହିଞ୍ଜିଳି ବ୍ଲକ୍ର ଦୟାପଲ୍ଲୀ ଓ ପୋଚିଲିଆମା, କବିସୂର୍ଯ୍ୟନଗର ବ୍ଲକ୍ର ରିଷିପୁର ଓ ସାନପଙ୍କଳାବାଡ଼ି, ଖଲ୍ଲିକୋଟ ବ୍ଲକ୍ର କେଶପୁର ଓ ବଡରାମପଲ୍ଲୀ, କୁକୁଡାଖଣ୍ତି ବ୍ଲକର ଜୁଗୁଡ଼ି, ଡେଙ୍ଗାପଦର, ବେନ୍ଦାଳିଆ, ପୋଲସରା ବ୍ଲକ୍ର ବନ୍ଥପଲ୍ଲୀ, ପୁରୁଷୋମପୁର ବ୍ଲକ୍ର ରଣଝାଲି, ରାଇପୁର, ରାଜପୁର, ଆଛୁଲି ଓ ଅଲାଡ଼ିଗାଁ ଓ ରଙ୍ଗେଇଲୁଣ୍ତା ବ୍ଲକ୍ ଡୁରା ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମ ମୋଟ ୨୭ଟି ଗାଁରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଜାରି ରହିଛି।
୨୦୨୦–୨୧ରେ ଚୟନ ହୋଇଥିବା ୩୬ଟି ଗାଁ ଏବଂ ୨୦୨୧–୨୨ ବର୍ଷର ଚୟନ ହୋଇଥିବା ୪୬ ଗାଁର ଭିତ୍ତିଭୂମି ବିକାଶ ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ମିଳିବ। ଏଥିଲାଗି ରୂପରେଖ ପ୍ରସ୍ତୁତ ସହ ସର୍ବେକ୍ଷଣ ଜାରି ରହିଛି।