୧୧,୭୦୦ ସ୍କୁଲରେ ବିଜୁଳି ନାହିଁ; ଅନ୍ଧାରରେ ପଢ଼ୁଛନ୍ତି ପିଲା, ମେଘ ଆସିଲେ ଛୁଟି

ଭୁବନେଶ୍ବର : ପିଲାଙ୍କ ପଢ଼ିବା ଲାଗି କ୍ଲାସରୁମ୍‌ ରହିଛି। ପଢ଼ାଇବାକୁ ଶିକ୍ଷକ ଅଛନ୍ତି। ମାତ୍ର ବର୍ଷା ଘଡ଼ଘଡ଼ି ମାରିଲେ ସେମାନଙ୍କ ପାଠପଢ଼ା ବନ୍ଦ ହୋଇଯାଉଛି। ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଲେ ପିଲାଙ୍କୁ ବହି ଦେଖାଯାଉ ନାହିଁ। କ୍ଲାସ ବନ୍ଦ କରି ଶିକ୍ଷକ ଶିକ୍ଷୟିତ୍ରୀ କମନ୍‌ରୁମ୍‌ରେ ବସୁଛନ୍ତି। ଆଉ କେତେକ ସ୍ଥାନରେ ସ୍କୁଲ ଛୁଟି କରି ଦିଆଯାଉଛି। ଗୋଟିଏ କି ଦୁଇଟି ବିଦ୍ୟାଳୟ ନୁହେଁ, ବରଂ ଓଡ଼ିଶାର ୧୧ହଜାର ୭୧୦ ବିଦ୍ୟାଳୟରେ ବିଦ୍ୟୁତ୍‌ ବ୍ୟବସ୍ଥା ନ ଥିବାରୁ ଏଭଳି ସମସ୍ୟା ଉପୁଜୁଛି। ସମାଧାନ ପାଇଁ ଗଣଶିକ୍ଷା ବିଭାଗ ପଦପେକ୍ଷ ନେଉ ନାହିଁ କି ଶକ୍ତି ବିଭାଗ ବିଦ୍ୟୁତ୍‌ ସଂଯୋଗ କରୁନି। ଗୋଟିଏ ପଟେ ଅଗଷ୍ଟ ଶେଷ ସୁଦ୍ଧା ସବୁ ପରିବାରକୁ ବିଜୁଳି ସେବା ଯୋଗାଇବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଆଉ ଅନ୍ୟପଟେ ଛୋଟ ଛୋଟ ପିଲା ପଢ଼ୁଥିବା ଏତେ ସଂଖ୍ୟକ ବିଦ୍ୟାଳୟରେ କେବେ ବିଜୁଳି ସୁବିଧା ଉପଲବ୍ଧ ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି।

Sambad

କେବଳ ଯେ ସ୍କୁଲରେ ବିଜୁଳି ବ୍ୟବସ୍ଥା ନୁହେଁ, ପର୍ଯ୍ୟାପ୍ତ ଭିତ୍ତିଭୂମି ନ ଥିବା ମଧ୍ୟ ନଜରକୁ ଆସିଛି। ୨୧ହଜାର ୬୫ ସ୍କୁଲରେ ଆଜି ପର୍ଯ୍ୟନ୍ତ ଖେଳପଡ଼ିଆ ହୋଇପାରି ନାହିଁ। ୪୧ ହଜାର ୯୯୬ ସ୍କୁଲରେ କମ୍ପ୍ୟୁଟର ନଥିବା ବେଳେ ୬ହଜାର ୭୮୧ ସ୍କୁଲରେ ଆବଶ୍ୟକ କ୍ଲାସ ରୁମ୍ ନାହିଁ, ୬ହଜାର ୧୧ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଶିକ୍ଷକ ଶିକ୍ଷୟିତ୍ରୀ ନାହାନ୍ତି। ଡ୍ରପ୍‌ ଆଉଟ୍‌ ହାର ବି ବଢ଼ିଚାଲିଛି। ଚଳିତ ଶିକ୍ଷାବର୍ଷରେ ଡ୍ରପ୍‌ ଆଉଟ୍‌ ହାର ପ୍ରାଥମିକସ୍ତରରେ ଶୂନ ଥିବା ବେଳେ ଉଚ୍ଚ ପ୍ରାଥମିକରେ ୭.୩୪ ଓ ମାଧ୍ୟମିକ ସ୍ତରରେ ୨୭.୨୬ ରହିଥିଲା। ୨୦୨୧-୨୨ରେ ରାଜ୍ୟରେ ଗ୍ରସ୍‌ ଏନ୍‌ରୋଲ୍‌ମେଣ୍ଟ ରେସିଓ(ଜିଇଆର) ପ୍ରାଥମିକ ସ୍ତରରେ ୧୦୦.୩୨, ଉଚ୍ଚ ପ୍ରାଥମିକସ୍ତରରେ ୯୨.୯୦ ଓ ମାଧ୍ୟମିକସ୍ତରରେ ୮୦.୩୬ ଥିଲା।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏସଂପର୍କରେ କହିଛନ୍ତି ଯେ ୨୦୨୩-୨୪ ପିଏବିରେ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ଥିବା ବିଭିନ୍ନ ଭିତ୍ତିଭୂମି ନିମନ୍ତେ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ଉପସ୍ଥାପନ କରାଯିବ। ଉକ୍ତ ପ୍ରସ୍ତାବ ଅନୁମୋଦିତ ହେବା ପରେ ସେହି ଅନୁଯାୟୀ ପଦକ୍ଷେପ ନିଆଯିବ। ୨୦୨୦ ମାର୍ଚ୍ଚ ୩ରେ ଯୋଜନା ଓ ସମନ୍ବୟ ବିଭାଗ ଚିଠି ଅନୁଯାୟୀ ରାଜ୍ୟରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟଗୁଡ଼ିକରେ ପୁନଃନିର୍ମାଣ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କରିବେ। ବିଧାନସଭାରେ ବିଜେପି ବିଧାୟକ ମୋହନ ମାଝୀଙ୍କ ଏକ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି ଯେ ଗତ ୮ବର୍ଷ ମଧ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକସ୍ତର ପାଇଁ ୧୯ ହଜାର ୪୯୦ ଶିକ୍ଷା ସହାୟକ ନିୟୋଜିତ ହୋଇଛନ୍ତି। ସେଥିମଧ୍ୟରୁ ୨୦୧୪-୧୫ରେ ୯୫୩୯ଜଣ ଓ ୨୦୧୬-୧୭ରେ ୯୯୫୧ଜଣ ଶିକ୍ଷା ସହାୟକ ନିୟୋଜିତ ହୋଇଛନ୍ତି। ସମଗ୍ର ଶିକ୍ଷାର ପିଏବି ମିଟିଂରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଥମିକ ସ୍କୁଲର ଶିକ୍ଷକମାନଙ୍କ ଦରମା ବାବଦକୁ ପ୍ରଦାନ କରୁଥିବା ଆର୍ଥିକ ସହାୟତାର ବାର୍ଷିକ ୫% ଖର୍ଚ୍ଚ କାଟ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର