ମାଲକାନଗିରି: ୨୦୨୧ ମସିହା ଏପ୍ରିଲ ୨୧ ତାରିଖରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ମନରେଗାରେ କାର୍ଯ୍ୟ କରିଥିବା ଶ୍ରମିକମାନଙ୍କୁ ଦୈନିକ ୫୦ ଟଂକା ଲେଖାଏଁ ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ମାଲକାନଗିରି ଜିଲ୍ଲାରେ ଏହି ଟଂକା ପ୍ରଦାନରେ ଅନିୟମିତତା ହୋଇଥିବା ସଂଦେହ ହୋଇଥିଲା। ଏହାକୁ ନେଇ ସୂଚନା ଅଧିକାର ପ୍ରବକ୍ତା ଅଶୋକ କୁମାର ପଟ୍ଟନାୟକ ୨୦୨୨ ଜୁଲାଇ ୧୬ ତାରିଖ ଓ ଡିସେମ୍ବର ୧୨ ତାରିଖରେ ମାଲକାନଗିରି ଜିଲ୍ଲା ପରିଷଦକୁ ଏ ସଂପର୍କରେ ସୂଚନା ପ୍ରଦାନ ନେଇ ଆବେଦନ କରିଥିଲେ।

Advertisment

ଏ ସଂପର୍କରେ ଜିଲ୍ଲା ପରିଷଦ ମଧ୍ୟ ଜିଲ୍ଲାର ସାତୋଟି ଯାକ ବ୍ଲକକୁ ଏ ସଂପର୍କିତ ସମସ୍ତ ତଥ୍ୟ ଦେବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ କୌଣସି ବ୍ଲକ ଏ ସଂପର୍କରେ ତଥ୍ୟ ପ୍ରଦାନ କରିନଥିଲେ। ବାଧ୍ୟ ହୋଇ ଶ୍ରୀ ପଟ୍ଟନାୟକ ଅପିଲ ଫାଇଲ କରିଥିଲେ। ପୁଣି ଅପିଲଗୁଡ଼ିକ ନଶୁଣିବାରୁ ଶ୍ରୀ ପଟ୍ଟନାୟକ ସମସ୍ତ ବ୍ଲକ ବିରୋଧରେ ସେ ସୂଚନା କମିସନରଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ଶ୍ରୀ ପଟ୍ଟନାୟକଙ୍କ ଅଭିଯୋଗଗୁଡିକ ଶୁଣାଣି ନିମନ୍ତେ ୨୦୨୪ ଏପ୍ରିଲ ୨୫ ତାରିଖ ଦିନ ଧାର୍ଯ୍ୟ କରି ସମସ୍ତ ବ୍ଲକକୁ ତଥ୍ୟ ପ୍ରଦାନ କରିବା ନେଇ ନିର୍ଦେଶ ଦେଇଥିଲେ।ପ୍ରଥମେ କୋରକୋଣ୍ଡା ବ୍ଲକ ଯେଉଁ ତଥ୍ୟ ପ୍ରଦାନ କରିଥିଲା, ତାହା ସଂପୂର୍ଣ୍ଣ ଭୁଲ ଥିବାରୁ ଶ୍ରୀ ପଟ୍ଟନାୟକ ସୂଚନା କମିସନର ଏବଂ କୋରକୋଣ୍ଡା ବିଡିଓଙ୍କୁ ଅବଗତ କରାଇଥିଲେ। ପରେ ୧୧,୭୩୮ ଜଣ ହିତାଧିକାରୀଙ୍କୁ ଟଂକା ପ୍ରଦାନ କରାଯାଇନଥିବା ନେଇ ବ୍ଲକ ପ୍ରଶାସନ ନିଜର ଭୁଲ ସ୍ବୀକାର କରିଥିଲା।

ଏବେ ସମସ୍ତ ୧୧,୩୭୮ ଜଣ ହିତାଧିକାରୀଙ୍କ ୧ କୋଟି ୯ ଲକ୍ଷ ୪୨ ହଜାର ଟଂକା ପ୍ରଦାନ ନେଇ ମାଲକାନଗିରି ଷ୍ଟେଟ ବ୍ୟାଙ୍କକୁ ଚିଠି ସଂଖ୍ୟା ୧୨୨୧/୨୪- ତା-୨୧.୫.୨୪ ଅନୁସାରେ ଆଡଭାଇସ ପଠାଯାଇଛି। ଏହି ପ୍ରୋତ୍ସାହନ ରାଶି ପ୍ରଦାନରେ ବହୁ ଜାଲିଆତି ହୋଇଥିବା ଆଶଂକା କରାଯାଉଛି। ଅନ୍ୟ ବ୍ଲକଗୁଡିକ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିନଥିବା ଜଣାପଡିଛି। ଜିଲ୍ଲାର ଅନ୍ୟ ବ୍ଲକର ସମସ୍ତ ତଥ୍ୟ ପାଇବା ପରେ ଜିଲ୍ଲାପାଳ ତଥା ମନରେଗାର ମୁଖ୍ୟ ସଂଯୋଜକଙ୍କୁ ଏ ସଂପର୍କରେ ଅବଗତ କରାଯିବା ସହ ଏକ ନିରପେକ୍ଷ ତଦନ୍ତ କରାଯିବା ପାଇଁ ଅନୁରୋଧ କରାଯିବ। ପୁଣି ୩ ବର୍ଷ ପରେ ହିତାଧିକାରୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିବାରୁ କ୍ଷତିପୂରଣ ପାଇଁ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଦାଲତର ଆଶ୍ରୟ ନିଆଯିବ ବୋଲି ସୂଚନା ଅଧିକାରୀ ପ୍ରବକ୍ତା ଅଶୋକ ପଟ୍ଟନାୟକ ପ୍ରକାଶ କରିଛନ୍ତି।