ରାଜ୍ୟର ୧୧ ଜିଲ୍ଲାରେ ୧୧୮ କରୋନା ଆକ୍ରାନ୍ତ, ପଶ୍ଚିମବଙ୍ଗ ଓ ନିଜାମୁଦ୍ଦିନ୍ ଫେରନ୍ତା ବଢ଼ାଉଛନ୍ତି ସଂଖ୍ୟା

ଭୁବନେଶ୍ବର : ରାଜ୍ୟରେ କାୟା ବିସ୍ତାର କରିଚାଲିଛି କରୋନା । ସାରା ଦେଶ ତଥା ରାଜ୍ୟ ତାଲାବନ୍ଦରେ ଥିବା ସତ୍ୱେ ସଂକ୍ରମିତଙ୍କ ସଂଖ୍ୟା ଥମିବାର ନା ନେଉନି । ଜିଲ୍ଲା ପରେ ଜିଲ୍ଲା ଡେଇଁଚାଲିଛି ଭୟଙ୍କର ଭାଇରସ୍ । ମଙ୍ଗଳବାର ସକାଳେ ୭ ନୂଆ  ରାଜ୍ୟରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି କରୋନା ଆକ୍ରାନ୍ତ ସଂଖ୍ୟା ୧୧୮କୁ ବୃଦ୍ଧି ହୋଇଛି । ସୂଚନାଯୋଗ୍ୟ, ରାଜ୍ୟରେ ମୁଖ୍ୟତଃ ପଶ୍ଚିମବଙ୍ଗ ଫେରନ୍ତା ଓ ନିଜାମୁଦ୍ଦିନ୍ ଲିଙ୍କ୍ ଥିବା ବ୍ୟକ୍ତି ହିଁ ସଂକ୍ରମଣର ଶିକାର ହୋଇଛନ୍ତି।

ଏଯାବତ୍ ରାଜ୍ୟର ୧୧ଟି  ଜିଲ୍ଲାରେ ପାଦ ରଖିଛି କୋଭିଡ୍ ୧୯ ଭୂତାଣୁ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ରହିଛି ଭଦ୍ରକ ଓ ଯାଜପୁର ଜିଲ୍ଲା। ଉଭୟ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା  ୧୯ ରହିଛି। ଏଥିସହ  ବାଲେଶ୍ୱରରେ ୧୬, ସୁନ୍ଦରଗଡ଼ରେ ୧୦, କେନ୍ଦ୍ରାପଡାରେ ୨, କଳାହାଣ୍ଡି ୨ ଓ କଟକ, ପୁରୀ ଓ ଢେଙ୍କାନାଳ ଜିଲ୍ଲାରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ସ୍ପର୍ଶ କରି ନ ଥିବା କୋରାପୁଟ ଜିଲ୍ଲାରେ ଗତକାଲି  ଜଣେ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ୭ ଜଣ ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡରୁ ୪ ଓ ଭଦ୍ରକରୁ ୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ ବର୍ତମାନ ୭ ଜଣ ସକ୍ରିୟ ମାମଲା ରହିଛନ୍ତି , ୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ସେପଟେ ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୯କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ ୨ ଜଣ ସୁସ୍ଥ ହୋଇଛନ୍ତି । ଫଳରେ ଭଦ୍ରକ ଜିଲ୍ଲାରେ ଏବେ ମୋଟ୍ ୧୭ ସକ୍ରିୟ ମାମଲା ରହିଛି ।

ବର୍ତ୍ତମାନ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮୦ ରହିଥିବା ବେଳେ  ୩୭ ଜଣ ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି ।

ସମ୍ବନ୍ଧିତ ଖବର