ଏସ୍‌ସିବିରେ ୧୧ତମ କାଡାଭରିକ୍‌ କିଡ୍‌ନି ପ୍ରତିରୋପଣ: ରାଜୀବ ପାଇଲେ ନୂଆ ଜୀବନ

୨ବର୍ଷ ହେଲା ଚାଲିଥିଲା ଡାଏଲିସସ୍‌

କଟକ: ଏସ୍‌ସିବିରେ ଆଜି ପୁଣି ଏକ କାଡାଭରିକ୍‌ କିଡ୍‌ନି ପ୍ରତିରୋପଣ କରାଯାଇଛି। ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସଂଯୁକ୍ତା ପାତ୍ର(୫୦)ଙ୍କୁ ମସ୍ତିଷ୍କ ମୃତ ଘୋ‌ଷଣା ପରେ ପରିବାର ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ତାଙ୍କର ଦୁଇଟି କିଡ୍‌ନି ଓ ଲିଭର କଢ଼ାଯାଇଥିଲା। ୨ଟି କିଡ୍‌ନିରୁ ଗୋଟିଏ ଏସ୍‌ସିବିକୁ ଆସିଥିଲା। ଅନ୍ୟଟି ଘରୋଇ ହସ୍ପିଟାଲ ସମ୍‌ରେ ଅନ୍ୟଜଣଙ୍କଠାରେ ପ୍ରତିରୋପଣ କରାଯାଇଛି। ତେବେ ଲିଭର ହାଇଦ୍ରାବାଦ୍‌ସ୍ଥିତ ଏଆଇଜି ହସ୍ପିଟାଲକୁ ପଠାଯାଇଛି। ଗ୍ରିନ୍‌ କରିଡରରେ କିଡନିକୁ ଏସ୍‌ସିବିକୁ ଆଣାଯିବା ପରେ ଏସ୍‌ସିବିରେ ରାତିରେ ୟୁରୋଲୋଜି ବିଭାଗ ଓଟିରେ ତିଗିରିଆର ରାଜୀବ ଦାସ(୪୨)ଙ୍କ ଶରୀରରେ କିଡ୍‌ନି ପ୍ରତିରୋପଣ କରାଯାଇଛି। ଆଜିର ପ୍ରତିରୋପଣକୁ ମିଶାଇଲେ ଏସ୍‌ସିବିରେ ଆଜି ସୁଦ୍ଧା ୧୧ଟି କାଡାଭରିକ୍‌ କିଡ୍‌ନି ପ୍ରତିରୋପଣ କରାଯାଇଛି।

କଟକ ଜିଲ୍ଲା ତିଗିରିଆର ରାଜୀବ ଦୁଇ ବର୍ଷ ହେବ କିଡ୍‌ନି ସମସ୍ୟା ଯୋଗୁଁ ଏସ୍‌ସିବିରେ ଚିକିତ୍ସିତ ହେଉଥିଲେ। ତାଙ୍କର ଏସ୍‌ସିବି ନେଫ୍ରୋଲୋଜି ବିଭାଗରେ ଡାଏଲିସିସ୍‌ ହେଉଥିଲା। ଏବେ ତିଗିରିଆରେ ଡାଏଲିସିସ୍‌ କେନ୍ଦ୍ର ଖୋଲାଯିବା ପରେ ସେଠାରେ ତାଙ୍କର ଡାଏଲିସିସ୍‌ କରାଯାଉଥିଲା। ଆଜି ତାଙ୍କର କ୍ରସ୍‌ ମ୍ୟାଚ କରାଯିବାପରେ ରାତିରେ ଏସ୍‌ସିବିରେ କିଡ୍‌ନି ପ୍ରତିରୋପଣ କରାଯାଇଛି। ୟୁରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ସମୀର ରଞ୍ଜନ ସ୍ବାଇଁ, ନେଫ୍ରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଅରୁଣା ଆଚାର୍ଯ୍ୟଙ୍କ ନେତୃତ୍ବରେ ଡାକ୍ତର ସଞ୍ଜୟ ଚୌଧୁରୀ, ଡାକ୍ତର ରାଜେଶ ରାଉତରାୟଙ୍କ ସମେତ୍‌ ଟିମ୍‌ ଭୁବନେଶ୍ବରର ଉକ୍ତ ଘରୋଇ ହସ୍ପିଟାଲରେ ପହଞ୍ଚି ସସ୍ତିଷ୍କ ମୃତ ମହିଳାଙ୍କ ଶରୀରରୁ କିଡ୍‌ନିକୁ ବାହାର କରିବା ସହ ଏସ୍‌ସିବିକୁ କିଡ୍‌ନି ଅଣାଯାଇ ରାଜୀବଙ୍କ ଶରୀରରେ ପ୍ରତିରୋପଣ କରିଛନ୍ତି। ପ୍ରତିରୋପଣ ପରେ ରୋଗୀ ସୁସ୍ଥଥିବା ଡାକ୍ତର ସମୀର ରଞ୍ଜନ ସ୍ବାଇଁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର