୧୧ତମ ଗାଲୁଡିହି ମିଳିତ ପ୍ରକଳ୍ପର କାର୍ଯ୍ୟକାରୀ କମିଟି ବୈଠକ

ଓଡ଼ିଶାର ସ୍ବାର୍ଥ ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କଲେ ପ୍ରତିନିଧି ଦଳ

ଭୁବନେଶ୍ବର: ସୁବର୍ଣ୍ଣରେଖା ବହୁମୁଖୀ ପ୍ରକଳ୍ପର ବିଭିନ୍ନ ଆନ୍ତଃରାଜ୍ୟ ସମାଧାନ ନେଇ ୧୧ତମ ଗାଲୁଡିହି ମିଳିତ ପ୍ରକଳ୍ପର କାର୍ଯ୍ୟକାରୀ କମିଟି ବୈଠକ ଆଜି ଜଳସମ୍ପଦ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପ୍ରକଳ୍ପର ବିଭିନ୍ନ ପ୍ରସଙ୍ଗର ଅଗ୍ରଗତି ନେଇ ବୈଠକରେ ସମୀକ୍ଷା ଓ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି।

ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଝାଡ଼ଖଣ୍ଡ ଜଳସମ୍ପଦ ବିଭାଗର ସଚିବ ପ୍ରଶାନ୍ତ କୁମାର, ଉଭୟ ରାଜ୍ୟର ଯନ୍ତ୍ରୀ ପ୍ରତିନିଧି ଓ ଅନ୍ୟ ପ୍ରତିନିଧିଙ୍କ ଉପସ୍ଥିତିରେ ବସିଥିବା ଏହି ବୈଠକରେ ଓଡ଼ିଶାର ଉଦ୍ଦେଶ୍ୟ ଓ ଗୁରୁତ୍ବବହନ କରୁଥିବା ପ୍ରକଳ୍ପ କାର୍ଯ୍ୟର କ୍ରିୟାଶୀଳତା ଏବଂ ସଫଳ ରୂପାୟନ ନିମନ୍ତେ ଝାଡ଼ଖଣ୍ଡ ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା। ଏହାସହ ଓଡ଼ିଶାର ସ୍ବାର୍ଥ ପ୍ରତି ଧ୍ୟାନ ଦେବାକୁ ଝାଡ଼ଖଣ୍ଡ ପ୍ରତିନିଧି ଦଳକୁ ଅନୁରୋଧ କରାଯାଇଥିଲା।

ବୈଠକରେ ଚାନ୍ଦିଲି ବନ୍ଧର ଜଳଧାରଣ କ୍ଷମତାକୁ ୧୯୨ମିଟର ସ୍ତରକୁ ବଢ଼ାଇ ଚୁକ୍ତି ମୁତାବକ ଓଡ଼ିଶାର ଜଳବଣ୍ଟନ ଅଂଶକୁ ରବି ଋତୁରେ ଲୋକମାନଙ୍କ ପାଇଁ ଜଳସେଚନ ସୁବିଧା ଯୋଗାଇଦେବା, ଚାନ୍ଦିଲି ବନ୍ଧର ଜଳଧାରଣ କ୍ଷମତା ବୃଦ୍ଧି ହେଲେ ସୁବର୍ଣ୍ଣରେଖା ନଦୀରେ ଆସୁଥିବା ବନ୍ୟା ପ୍ରଶମନ ଓ ନିୟନ୍ତ୍ରଣ କରାଯିବା ସହ ବାଲେଶ୍ବର ଜିଲ୍ଲାର ତଳ ଓ ନଦୀ କୂଳ ଅଞ୍ଚଳର ଲୋକମାନଙ୍କୁ ବନ୍ୟାପ୍ରଭାବ ଜନିତ କ୍ଷୟକ୍ଷତିରୁ ରକ୍ଷା କରିବାକୁ ଝାଡ଼ଖଣ୍ଡ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ସେହିପରି ବନ୍ଦ ହୋଇଥିବା ଉଚ୍ଚା ବନ୍ଧ ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ କରି ସମୟାନୁସାରେ ‌େଶଷ କରାଗଲେ ଓଡ଼ିଶାର ସୁବର୍ଣ୍ଣରେଖା ପ୍ରକଳ୍ପ ସେଚାଞ୍ଚଳରେ ରବି ଓ ଖରିଫ ଫସଲ ପାଇଁ ଜଳସେଚନ ସୁବିଧାକୁ ନିଶ୍ଚିତ କରାଯାଇପାରିବ ବୋଲି ଝାଡ଼ଖଣ୍ଡ ସରକାରଙ୍କୁ ଅନୁରୋଧ କରାଯାଇଥିଲା।

ସମ୍ବନ୍ଧିତ ଖବର