କେନ୍ଦୁଝର: ବାଂଶପାଳ ବ୍ଲକ୍‌ ଗୋନାସିକା ପଞ୍ଚାୟତ ଜନ୍ତାରୀ ଗ୍ରାମର ଜୁଆଙ୍ଗସାହିରେ ୧୧ଜଣଙ୍କ ମୃତ୍ୟୁ ଘଟଣା ପରେ ତନାଘନା ଜାରି ରହିଛି। ଏଠାରେ ଦୂଷିତ ପାଣି ମୃତ୍ୟୁର କାରଣ ବୋଲି ପ୍ରାଥମିକ ପର୍ଯ୍ୟାୟରେ ଜଣାପଡ଼ିଛି। ଆଜି କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡ଼ା, ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ସଂଗୀତା ସିଂହ, ଜିଲ୍ଲା ଯୁବକଂଗ୍ରେସ ସଭାପତି ସୁନେଶ ଧୀର, ପୂର୍ବତନ ବିଧାୟକ ପ୍ରାର୍ଥୀ ବିନୋଦ ବିହାରୀ ନାୟକ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରବୀଣା ଦଣ୍ଡପାଟ, ତେଲକୋଇ ବିଧାନସଭା କ୍ଷେତ୍ର ଯୁବକଂଗ୍ରେସ ସଭାପତି ଗୌରହରି ପାତ୍ର ଓ କଂଗ୍ରେସ ନେତା ଦେବେନ୍ଦ୍ର ନାୟକ ପ୍ରମୁଖ ଜୁଆଙ୍ଗସାହିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ମୃତକଙ୍କ ପରିବାରକୁ ଭେଟିଥିଲେ।

Advertisment

ଜୁଆଙ୍ଗସାହିର ଅବସ୍ଥା ଦେଖି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ପରିଡ଼ା କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏଠାରେ ଲୋକେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି। ସେମାନଙ୍କ ରୋଜଗାରର କୌଣସି ପନ୍ଥା ନାହିଁ। ସାହିରେ ଥିବା ସୌରଶକ୍ତି ଚାଳିତ ପାନୀୟଜଳ ପ୍ରକଳ୍ପ ମଝିରେ ମଝିରେ ଖରାପ ହୋଇଯାଉଛି। ଏଥିରୁ ଗୋଳିଆ ପାଣି ସହ ପୋକ ଆସୁଥିବାରୁ ଲୋକେ ଏହି ପାଣିକୁ ବ୍ୟବହାର କରୁ ନାହାନ୍ତି। ଚୁଆପାଣି ପିଉଛନ୍ତି। ଆଜି ଗ୍ରାମବା‌ସୀଙ୍କ ଉଦ୍ୟମରେ ପାଣିଟାଙ୍କି ସଫା କରାଯାଇଛି। ପାନୀୟଜଳ ପ୍ରକଳ୍ପରୁ ଦୂଷିତ ପାଣି ବାହାରୁଥିବାରୁ ଲୋକେ ବାଧ୍ୟ ହୋଇ ଚୁଆପାଣି ପିଇବା ସହ ବିଭିନ୍ନ ରୋଗ‌ରେ ଆକ୍ରାନ୍ତ ହୋଇ ଜୀବନ ହାରୁଛନ୍ତି ବୋଲି ଶ୍ରୀ ପରିଡ଼ା ପ୍ରକାଶ କରିଛନ୍ତି।

ସଫା ହେଲା ପାଣିଟାଙ୍କି, ପରିତ୍ୟକ୍ତ ଅବସ୍ଥାରେ ଅଙ୍ଗନବାଡି କେନ୍ଦ୍ର
ରାଜ୍ୟସ୍ତରୀୟ ଟିମ୍‌ ୨୫ ତାରିଖରେ ଗସ୍ତ କରିବା ନେଇ ସୂଚନା

ଗାଁରେ ଥିବା ଏକ ପୋଖରୀରେ ଜଣେ ଲୋକ ବୁଡ଼ି ପ୍ରାଣ ହରାଇବା ପରେ ଲୋକେ ଆଉ ସେଥିରେ ଗାଧୋଉ ନାହାନ୍ତି। ପାଣି ପାଇଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ସାହିରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଅବସ୍ଥା ମଧ୍ୟ ଶୋଚନୀୟ ହୋଇଛି। ଅଙ୍ଗନବାଡ଼ି କର୍ମୀ ଶିଶୁଙ୍କ ପାଇଁ ଆସୁଥିବା ଖାଦ୍ୟକୁ ନିଜ ଘରେ ରଖୁଛନ୍ତି। ସାହିରେ ୧୦୦ ପରିବାର ବାସ କରୁଥିବା ବେଳେ କାହାରିକୁ ପ୍ରଧାନମନ୍ତ୍ରୀ ଆବାସ ମିଳି ନାହିଁ। ବହୁ ବିଧବା, ବୃଦ୍ଧବୃଦ୍ଧା ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତାରୁ ବଞ୍ଚିତ ହୋଇଛନ୍ତି। ଆଜି ଜୁଆଙ୍ଗସାହିକୁ ଯାଇଥିବା କଂଗ୍ରେସ ଟିମ୍‌ ମୃତ ସୁନିଆ ଜୁଆଙ୍ଗଙ୍କ ପରିବାରକୁ ଭେଟିଛନ୍ତି। ୪ ଜଣ ଅନାଥ ଝିଅଙ୍କ ଭଲମନ୍ଦ ବୁଝିବା ସହ ଶୁଦ୍ଧିକ୍ରିୟା ପାଇଁ ସହାୟତା ପ୍ରଦାନ କରିଛନ୍ତି। ଏହି ଘଟଣାରେ ପିସିସି ସଭାପତି ଶରତ ପଟ୍ଟନାୟକ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠିତ କରିଛନ୍ତି। ଆସନ୍ତା ୨୫ ତାରିଖରେ ଏହି କମିଟି ଜନ୍ତାରୀ ଗ୍ରାମ ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିବେ ବୋଲି ଜଣାପଡ଼ିଛି। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପଦ୍ମାକର ଗୁରୁ, ପିସିସି ସମ୍ପାଦକ ସଂଗ୍ରାମ ଦାସ, ଅଜିତ କୁମାର ଜେନା ଓ ପିସିସି ସଦସ୍ୟ ଭୁବନାନନ୍ଦ ସାହୁ ଜନ୍ତାରୀ ଗସ୍ତ କରିବେ ବୋଲି ଜଣାପଡ଼ିଛି।