ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହତ୍ୟା ଘଟଣା: ୧୨ ଘଣ୍ଟା ଭିତରେ ୧୨ ଜଣଙ୍କୁ ଧରିଲା ପୁଲିସ

ସମ୍ବଲପୁର : ଗଣପର୍ବ ନୂଆଁଖାଇ ପାଇଁ ଶନିବାର ପୂରା ସହର ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ଦାନୀବନ୍ଧ ନିକଟରେ ଘଟିଥିଲା ଏକ ବୀଭତ୍ସ ହତ୍ୟାକାଣ୍ଡ। ଏହାକୁ ନେଇ ମୃତକଙ୍କ ପରିବାରଠୁ ଆରମ୍ଭ କରି ପୂରା ସମ୍ବଲପୁର ସ୍ତବ୍ଧ ହୋଇ ରହିଯାଇଥିଲା। ସାମାନ୍ୟା ଘଟଣାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘ‌ର୍ଷ ହୋଇଥିବା ବେଳେ ୧୦ରୁ ଅଧିକ ଯୁବକ ବହିଦାର ବନ୍ଧ ଅଞ୍ଚଳର ସୂରଜ ବାର୍‌ଙ୍କ ପୁଅ ସୌମ୍ୟରଞ୍ଜନ ବାର୍‌ ଓରଫ୍‌ ସନ୍ନି(୨୧)ଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ। ଏହି ମାମଲାରେ ଅଇଁଠାପାଲି ପୁଲିସ ବେଶ୍‌ ତତ୍ପରତା ଦେଖାଇଥିଲା। ହତ୍ୟାକାଣ୍ଡର ୨ ଘଣ୍ଟା ଭିତରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। କେବଳ ସେତିକି ନୁହେଁ, ଶନିବାର ରାତି ଅନ୍ୟ ୮ ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଗିରଫ କରିବାରେ ପୁଲିସ ସଫଳ ହୋଇଥିଲା। ପୁଲିସର ଏଭଳି ତ୍ବରିତ ପଦକ୍ଷେପକୁ ପ୍ରଶଂସା କରାଯିବା ସହିତ ଅନ୍ୟ ମାମଲାଗୁଡ଼ିକରେ ବି ଏଭଳି ତତ୍ପରତା ଦେଖାଇଲେ ଅପରାଧ ଦମନ କ୍ଷେତ୍ରରେ ପୁଲିସକୁ ବେଶ୍ ସଫଳତା ମିଳିବ ବୋଲି ସହରରେ ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଅପରାହ୍ଣ ୨ଟା ୩୦ ପାଖାପାଖି ଦାନୀପାଲିର ସମୀର ସାଗର ଓରଫ୍‌ ବଣ୍ଟି ବାଇକ୍‌ରେ ତାଙ୍କ ସ୍ତ୍ରୀଙ୍କ ସହ ମା’ ସମଲେଇଙ୍କ ମନ୍ଦିରକୁ ଯାଉଥିଲେ। ଦଶମତୀ ପଡ଼ା ନିକଟରେ ସଞ୍ଜୟ ଜାଲ୍‌ ନାମକ ଯୁବକ ସମୀରଙ୍କ ବାଇକ୍‌ ସମ୍ମୁଖକୁ ଚାଲି ଆସିଥିଲା। ଫଳରେ ସମୀର ଭାରସାମ୍ୟ ହରାଇଥିଲେ। ଏଥିପାଇଁ ସେ ବିରକ୍ତ ହୋଇ ଗାଳି କରିଥିଲେ। ତାପରେ ସଞ୍ଜୟ ବି ସମୀର ସହ ଝଗଡ଼ା ଆରମ୍ଭ କରିଥିଲା। ଏହି ସମୟରେ ସୌଘନ ନାଗ ଓ ନବଘନ ନାଗ ଆସି ସଞ୍ଜୟ ସହ ମିଶି ସମୀରକୁ ଧମକ୍ ଦେବା ସହିତ ତାଙ୍କ ସ୍ତ୍ରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ସମୀର ତାଙ୍କ ସାଥୀ ବହିଦାର ବନ୍ଧର ସୌମ୍ୟରଞ୍ଜନ ବାର୍‌ ଓରଫ୍‌ ସନ୍ନି, ଭାଟି ଛକର ଦୀପକ ପ୍ରଧାନ, ସର୍‌ଲାର ଦୀପକ ଭୋଇ ସମେତ ଆଉ ୭ରୁ ୮ ଜଣଙ୍କୁ ଘଟଣାସ୍ଥଳକୁ ଡକାଇ ଥିଲେ। ସମସ୍ତେ ମିଶି ମାରଣାସ୍ତ୍ର ଧରି ସୌଘନକୁ ଖୋଜିବାକୁ ଯାଇ ତାଙ୍କ ଭାଇ ଶତ୍ରୁଘ୍ନ ନାଗର ଘରେ ପହଂଚି ଥିଲେ। ଶତ୍ରୁଘ୍ନର ଘର ଉପରକୁ ଯାଇ ଆକ୍ରମଣ କରିବା ସହ ତାଙ୍କ ଘରର ଆଜବେଷ୍ଟସ୍‌ ଏବଂ ଅନ୍ୟ ସାମଗ୍ରୀ ଭାଙ୍ଗି ଦେଇଥିଲେ। ଏହା ସହିତ ତାଙ୍କ ମା’ଙ୍କୁ ଦୁର୍ବ୍ୟବହାର କରିବା ସହ ପରିବାର ଲୋକଙ୍କୁ ହତ୍ୟା ଉଦ୍ୟମ କରିଥିଲେ।

ସମୀର ଗୋଷ୍ଠୀଙ୍କୁ ମାତ୍‌ ଦେବା ପାଇଁ ଦଶମତୀ ପଡ଼ାର କିଛି ଲୋକ ଏକାଠି ହୋଇ ପାଲଟା ଆକ୍ରମଣ କରିଥିଲେ। ଏହାପରେ ସମୀର ଗୋଷ୍ଠୀ ଦୌଡ଼ି ପଳାଇବାକୁ ପ୍ରୟାସ କରିଥିଲେ। ଦଶମତୀ ପଡ଼ାର ମିତ୍ରୁଘ୍ନ ନାଗ, ସୁମନ୍ତ ନାଗ ଓ ଅନ୍ୟ କିଛି ଯୁକ ମିଶି ଠେଙ୍ଗା, ଲୁହା ରଡ୍‌ ଓ ଅନ୍ୟ ମାରଣାସ୍ତ୍ର ଧରି ସମୀର ଗୋଷ୍ଠୀକୁ ଗୋଡ଼ାଇ ଥିଲେ। ସନ୍ନି ଦୌଡ଼ି ପାରି ନଥିବା ବେଳେ ଦଶମତୀ ପଡ଼ାର ଯୁବଗୋଷ୍ଠୀ ତାଙ୍କୁ ଦାନୀପାଲି ଧାନ ବିଲ ନିକଟରେ ଧରିବାକୁ ସକ୍ଷମ ହୋଇଥିଲେ। ସେଠାରେ ସନ୍ନିଙ୍କୁ ଅତି ନିର୍ମମ ଭାବରେ ଆକ୍ରମଣ କରିଥିଲେ। ଯେଉଁଥିରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାକୁ ଛାଡ଼ି ‌ଆକ୍ରମଣକାରୀମାନେ ଫେରାର ହୋଇଯାଇଥିଲେ। ଘଟଣା ବିଷୟରେ ଖବର ପାଇ ଅଇଁଠାପାଲି ଇଆର୍‌ଭି ଭ୍ୟାନ୍‌ ସେଠାରେ ତୁରନ୍ତ ପହଞ୍ଚିଥିଲା। ସନ୍ନିଙ୍କୁ ସେଠାରୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଗୋଷ୍ଠୀ ସଂଘର୍ଷକୁ ନେଇ ଅଇଁଠାପାଲି ଓ କ୍ଷେତରାଜପୁର ଥାନାରେ ୩ଟି ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଥିଲା। ପୁଲିସ ପକ୍ଷରୁ ତ୍ବରିତ ପଦକ୍ଷେପ ଗ୍ରହଣ କରାଯିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ୨ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଉଭୟ ଟିମ୍‌ ଶନିବାର ରାତି ହୀରାକୁଦ ଓ ସମ୍ବଲପୁର ସହର ଅଞ୍ଚଳରେ ଚଢ଼ଉ କରିବା ସହ ୧୨ ଘଣ୍ଟା ମଧ୍ୟରେ ୧୦ ଜଣଙ୍କୁ ଧରିଥିଲା। ହତ୍ୟା ମାମଲାରେ ଦଶମତୀ ପଡ଼ାର ଶକ୍ତି ନାଗ(୧୮), ମିତ୍ରୁଘ୍ନ ନାଗ(୨୪), ସୁମିତ ନାଗ(୨୩), ସୌଭାଗ୍ୟ ନାଗ(୨୫), ସଞ୍ଜୟ ଜାଲ(୨୮), ନବଘନ ନାଗ(୨୪), ଶତ୍ରୁଘ୍ନ ନାଗ(୩୪), ଜଗା ନାଗ(୧୯) ଏବଂ ରାଜା ସ୍ବାଇଁ(୨୨)କୁ ପୁଲିସ ଗିରଫ କରିଥିବା ବେଳେ ଜଣେ ନାବାଳକକୁ ଅଟକ ରଖିଛି। ସେମାନଙ୍କ ପାଖରୁ ପୁଲିସ ୩ଟି ରକ୍ତଭିଜା ଠେଙ୍ଗା ଜବତ କରିଛି। ଅନ୍ୟପଟେ ଗୋଷ୍ଠୀ ସଂଘର୍ଷକୁ ନେଇ ଅଇଁଠାପାଲି ଓ କ୍ଷେତରାଜପୁର ଥାନାରେ ୨ଟି ଭିନ୍ନ ମାମଲା ରୁଜୁ ହୋଇଥିଲା। ଅଇଁଠାପାଲି ଥାନା ଅଧୀନ ମାମଲାରେ ବେହେରାମୁଣ୍ଡାର ସଞ୍ଜୟ ଜାଲ୍‌, ଦଶମତୀ ପଡ଼ାର ନବଘନ ନାଗ ଓ ସୌଘନ ନାଗକୁ ପୁଲିସ ଗିରଫ କରିଥିବା ବେଳେ କ୍ଷେତରାଜପୁର ପୁଲିସ ଭାଟିଛକର ଦୀପକ ପ୍ରଧାନ ଓ ସର୍‌ଲାର ଦୀପକ ଭୋଇଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର