ସୁନ୍ଦରଗଡ଼ : ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମାଞ୍ଚଳର ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ଦେବା ପାଇଁ ୧୭ଟି ବ୍ଲକ୍‌ରେ ଖୋଲିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ଇତିମଧ୍ୟରେ ୧୨ଟି ମାଗଣା ବସ୍‌ ସେବାକୁ ବନ୍ଦ କରିଦିଆଯାଇଛି। ଏଥିରେ ୩ ଶହରୁ ଅଧିକ ଗରିବ ଛାତ୍ରଛାତ୍ରୀ ସିଧାସଳଖ ପ୍ରଭାବିତ ହୋଇଛନ୍ତି।

Advertisment

ସୂଚନାଯୋଗ୍ୟ ଯେ ଛାତ୍ରବାସ ସୁବିଧା ନଥିବାରୁ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଗାଁରୁ ନେବାଆଣିବା ପାଇଁ ସୁନ୍ଦରଗଡ଼ ପ୍ରଶାସନ ୨୦୨୦ ଜୁଲାଇରୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ୭୯ଟି ବସ୍‌ ଯୋଗାଇ ଦେଇଥିଲେ। କିଛି ବିଦ୍ୟାଳୟରେ ଶହେଶଯ୍ୟାର ଛାତ୍ରୀନିବାସ କାର୍ଯ୍ୟକ୍ଷମ ହୋଇଥିବାରୁ ପର୍ଯ୍ୟାୟକ୍ରମେ ବସ୍‌ ‌ସେବାକୁ ବାତିଲ କରି ଦିଆଯାଉଥିବା ବିଭାଗ କହିଛି। କିନ୍ତୁ ବାସ୍ତବରେ ମାତ୍ର ୭ଟି ବିଦ୍ୟାଳୟରେ କେବଳ ଛାତ୍ରୀନିବାସ କାର୍ଯ୍ୟକ୍ଷମ ହୋଇଥିବାବେଳେ ଛାତ୍ରଙ୍କ ରହଣି ପାଇଁ ଏ ଯାଏଁ କୌଣସି ସୁବିଧା ଉପଲବ୍ଧ ହୋଇପାରିନାହିଁ। ୧୭ଟି ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରେ ୬୩୨୫ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୭ଟି ଛାତ୍ରୀ ନିବାସରେ ୭ ଶହ ଛାତ୍ରୀଙ୍କ ରହିବା ବ୍ୟବସ୍ଥା ହୋଇପାରିଛି। ଅନ୍ୟ ୫୬୨୫ ଛାତ୍ରଛାତ୍ରୀ ଯାତାୟତ ପାଇଁ ବସ୍‌ ଉପରେ ନିର୍ଭରଶୀଳ। ଏ ସ୍ଥିତିରେ ୧୨ଟି ବିଦ୍ୟାଳୟରୁ ଗୋଟିଏ ଲେଖାଏଁ ବସ୍‌କୁ ହଟାଇ ଦିଆଯିବାରୁ ସେମାନଙ୍କ ଯାତାୟାତ ପାଇଁ ସମସ୍ୟା ସୃଷ୍ଟି କରିଛି।

ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପଧାନଙ୍କୁ ପଚାରିବାରୁ ସେ କହିଥିଲେ, ‘ବିଦ୍ୟାଳୟଗୁଡ଼ିକରେ ଛାତ୍ରୀନିବାସ କାର୍ଯ୍ୟକ୍ଷମ ହେବା ପରେ ତର୍ଜମା କରି ଗୋଟିଏ ଲେଖାଏଁ ବସ୍‌କୁ ବନ୍ଦ କରାଯାଇଛି। ଆଗକୁ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବାସ ସୁବିଧା କାର୍ଯ୍ୟକ୍ଷମ ହେଲେ ପର୍ଯ୍ୟାୟକ୍ରମେ ଅନ୍ୟ ବସ୍‌ ସେବାକୁ ମଧ୍ୟ ବନ୍ଦ କରି ଦିଆଯିବ। ତେବେ ଏଥିରେ ଛାତ୍ରଛାତ୍ରୀଙ୍କ ଯେମିତି ଅସୁବିଧା ନ ହୁଏ, ସେଥିପାଇଁ ଅଧ୍ୟକ୍ଷଙ୍କ ପରାମର୍ଶ ନେଇ ପଦ‌କ୍ଷେପ ନିଆଯାଇଥିବା ସେ କହିଛନ୍ତି।