ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍ଏଲ୍ସିଏ)ର ୩୬ତମ ବୈଠକରେ ୩୯,୨୭୧.୫୦ କୋଟି ଟଙ୍କାର ୧୨ଟି ନିବେଶ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୧୭,୦୯୮ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଇଏସ୍ଡିଏମ୍, ଇସ୍ପାତ, ଧାତବ ଆନୁଷଙ୍ଗିକ, ରସାୟନ, ସିମେଣ୍ଟ, ଗ୍ରିନ୍ ଆମୋନିଆ, ରବର୍/ପ୍ଲାଷ୍ଟିକ୍ କ୍ଷେତ୍ରର ପ୍ରକଳ୍ପ ମଞ୍ଜୁର ହୋଇଛି। ଏହି ପ୍ରକଳ୍ପଗୁଡ଼ିକୁ ରାଜ୍ୟର ୮ଟି ଜିଲ୍ଲାରେ ସ୍ଥାପନ କରାଯିବ। ମଞ୍ଜୁର ମିଳିଥିବା ପ୍ରକଳ୍ପ ମଧ୍ୟରେ ରହିଛି ଟରେଣ୍ଟ ଗ୍ରିନ୍ ହାଇଡ୍ରୋଜେନ୍ ପ୍ରାଇଭେଟ୍ର ୧୦୨୬୦ କୋଟି ଟଙ୍କାର ପ୍ରକଳ୍ପ। କମ୍ପାନି ଗଞ୍ଜାମରେ ଏକ ୪,୩୦,୦୦୦ ଏମ୍ଟିର ଗ୍ରିନ୍ ଆମୋନିଆ କାରଖାନା ସ୍ଥାପନ କରିବ। ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ଢେଙ୍କାନାଳରେ ୫୬୯୧ କୋଟି ଟଙ୍କା ନିବେଶ କରିବାର ଥିବା ବେଳେ ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍ ଲିମିଟେଡ୍ ସମ୍ବଲପୁରରେ ୩୫୦୦ କୋଟି ଟଙ୍କା ନିବେଶ କରି ଏକ ଇସ୍ପାତ ଆନୁଷଙ୍ଗିକ କମ୍ପ୍ଲେକ୍ସ ସ୍ଥାପନ କରିବ।
ସିଲେକ୍ଟ୍ରିକ୍ ସେମିକଣ୍ଡକ୍ଟର ମାନୁଫାକ୍ଚରିଂ ପକ୍ଷରୁ ଖୋର୍ଦ୍ଧାରେ ୩୦୩୪ କୋଟି ଟଙ୍କା ନିବେଶରେ ଏକ ସିଲିକନ୍ କାର୍ବାଇଡ୍ ଡିଭାଇସ୍ କାରଖାନା ସ୍ଥାପନ କରାଯିବ। ଖୋର୍ଦ୍ଧାରେ କେନିସ୍ ସର୍କିଟ୍ସ ଇଣ୍ଡିଆ ୧୩୯୫ କୋଟି ଟଙ୍କା ଓ ହେଟେରୋଜେନସ୍ ଇଣ୍ଟିଗ୍ରେସନ ପ୍ୟାକେଜିଂ ସଲ୍ୟୁସନ୍ସ ୧୯୨୬ କୋଟି ଟଙ୍କା ନିବେଶ କରିବ। ଇଲେକ୍ଟ୍ରୋଷ୍ଟିଲ୍ କାଷ୍ଟିଙ୍ଗ୍ସ ଢେଙ୍କାନାଳରେ ୩୦୦୦ କୋଟି ଟଙ୍କା ନିବେଶ କରି ୫,୦୦,୦୦୦ ଏମ୍ଟିର ଡକ୍ଟାଇଲ୍ ଆଇରନ୍ ପାଇପ୍ କାରଖାନା ସ୍ଥାପନ କରିବ। ଜଗତ୍ସିଂହପୁରରେ ଇପିଗ୍ରାଲ୍ ଲିମିଟେଡ୍ ୨୮୦୦ କୋଟି ଟଙ୍କା ଓ ଲକ୍ଷ୍ମୀ ଅର୍ଗାନିକ୍ ୨୫୫୫ କୋଟି ଟଙ୍କା ନିବେଶ କରିବ।
ଟରେଣ୍ଟ କରିବ ଗ୍ରିନ୍ ଆମୋନିଆ କାରଖାନା
ଢେଙ୍କାନାଳରେ ଇଲେକ୍ଟ୍ରୋଷ୍ଟିଲ୍ କାଷ୍ଟିଂସ୍ ପ୍ରକଳ୍ପ
ଜିନ୍ଦଲ, ଭୂଷଣ ପାୱାର ଆଣ୍ଡ୍ ଷ୍ଟିଲ୍, ଶ୍ୟାମ୍ ଷ୍ଟିଲ୍ ପ୍ରକଳ୍ପକୁ ଅନୁମୋଦନ
ମୋହନ ସରକାରଙ୍କ ପ୍ରଥମ ୧୦୦ ଦିନରେ ୪୫୦୦୦ କୋଟି ନିବେଶ
ସେହିପରି, କେନ୍ଦୁଝରରେ ଶ୍ୟାମ ଷ୍ଟିଲ୍ ମାନୁଫାକ୍ଚରିଂ ତରଫରୁ ୨୫୧୦ କୋଟି ଟଙ୍କା ନିବେଶରେ ଏକ ୦.୫ ଏମ୍ଟିପିଏର ସମନ୍ବିତ ଇସ୍ପାତ କାରଖାନା ସ୍ଥାପନ କରାଯିବ। କଟକରେ ଅମ୍ବୁଜା କଙ୍କ୍ରିଟ୍ ନର୍ଥ ପକ୍ଷରୁ ୧୪୦୦ କୋଟି ଟଙ୍କା ନିବେଶ କରାଯିବ। ବାଲେଶ୍ବରରେ ଡାଲମିଆ ଭାରତ ରିଫ୍ରାକ୍ଟରିଜ୍ ପକ୍ଷରୁ ୧୨୦୦ କୋଟି ଟଙ୍କା ନିବେଶରେ ଟାୟାର, ଟ୍ୟୁବ୍ ଓ ଫ୍ଲାପ୍ସ କାରଖାନା ସ୍ଥାପନ କରାଯିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ନୂତନ ସରକାରଙ୍କ ଏହା ଥିଲା ପ୍ରଥମ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ ବୈଠକ। ରାଜ୍ୟର ଶିଳ୍ପ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆମ ସରକାର ପ୍ରତିବଦ୍ଧ ରହିଛି। ଓଡ଼ିଶାକୁ ଭାରତର ଏକ ପ୍ରମୁଖ ନିବେଶସ୍ଥଳ ଭାବେ ଆମେ ଉପସ୍ଥାପନ କରିବାକୁ ଚାହୁଛୁ। ଓଡ଼ିଶାକୁ ଏକ ଶ୍ରେଷ୍ଠ ବ୍ୟବସାୟ-ଅନୁକୂଳ ରାଜ୍ୟରେ ପରିଣତ କରିବା ଲାଗି ଆମେ ଉଦ୍ୟମ କରୁଛୁ। ଶିଳ୍ପାୟନ ସହିତ ନିଯୁକ୍ତି ସୃଷ୍ଟିକୁ ଆମେ ଗୁରୁତ୍ବ ଦେଉଛୁ ବୋଲି ସେ କହିଛନ୍ତି।
ମୋହନ ସରକାରଙ୍କ ପ୍ରଥମ ୧୦୦ ଦିନରେ ରାଜ୍ୟରେ ୪୫ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ମଞ୍ଜୁର ହୋଇଛି। ସେଗୁଡ଼ିକ କାର୍ଯ୍ୟକାରୀ ହେଲେ ୩୬ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆସନ୍ତା ପାଞ୍ଚ ବର୍ଷରେ ରାଜ୍ୟ ସରକାର ୨.୫ ଲକ୍ଷ କୋଟି ଟଙ୍କାର ନିବେଶ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ବର୍ଷକ ପିଛା ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହାର ୯୦ ପ୍ରତିଶତ (୪୪,୬୮୨.୯୨ କୋଟି ଟଙ୍କା) ଲକ୍ଷ୍ୟକୁ ସରକାର ପ୍ରଥମ ୧୦୦ ଦିନରେ ହାସଲ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/factory-20323.jpg)