ନବରଙ୍ଗପୁର ପୁଲିସକୁ ବଡ ସଫଳତା: ୪ଟି ଡକାୟତି ମାମଲାରେ ୧୨ ଜଣ ଗିରଫ

ବହୁ ପରିମାଣର ମାରଣାସ୍ତ୍ର ଜବତ

ନବରଙ୍ଗପୁର: ନବରଙ୍ଗପୁର ପୁଲିସକୁ ଏକ ବଡଧରଣର ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳତା ମିଳିଛି। ୧୨ ଜଣ ଡକାୟତ ଗ୍ୟାଙ୍ଗକୁ ଧରିବା ସହ ବହୁ ପରିମାଣର ମାରଣାସ୍ତ୍ର ଜବତ କରିଛି । ସେମାନଙ୍କ ଠାରୁ ନଗଦ ଟଙ୍କା, ସ୍ବର୍ଣ୍ଣ ଓ ରୂପା ଅଳଙ୍କାର ଜବତ କରାଯାଇଛି। ସମସ୍ତ ଡକାୟତି ଘଟଣା ରାତିରେ ହୋଇଥିବା ବେଳେ ବନ୍ଧୁକ ଏବଂ ବିଭିନ୍ନ ମାରଣାସ୍ତ୍ର ଦେଖାଇ ମାଡ ମାରି ଲୁଟି ନେଇଥିଲେ । ୧ ମାସ ମଧ୍ୟରେ ଏହି ୪ଟି ଡକାୟତି ଘଟଣା ନବରଙ୍ଗପୁର ଜିଲ୍ଲା ପୁଲିସର ନିଦ ହଜାଇ ଦେଇଥିଲା। ଆରକ୍ଷୀ ଅଧୀକ୍ଷକ ନିତିନ କୁଶଲକର ଏହି ଡକାୟତି ଗ୍ୟାଙ୍ଗକୁ ଧରିବା ପାଇଁ ଏକ ଟିମ୍ ଗଠନ କରିଥିଲେ। ଡିଏସପି ପ୍ରତ୍ୟୁଷ ମହାପାତ୍ର ଓ ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ନେତୃତ୍ତ୍ବରେ କୋଡିଗାଁ ଥାନା ଅଧିକାରୀ ଶୁଭେନ୍ଦୁ ଶବର, ଏସଆଇ ଦେବଦତ୍ତ ମଲ୍ଲିକ, ଡାବୁଗାଁ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ଦେଉରୀଆ, ନବରଙ୍ଗପୁର ଥାନା ର ଏସଆଇ ରାକେଶ ବେହେରା, ଏସଆଇ ରାଧାକାନ୍ତ ବାରିକ, ଏସଆଇ ନିଳିମା ପାଣିଗ୍ରାହୀଙ୍କୁ ନେଇ ଏକ ଟିମ୍ ଗଠନ କରିଥିଲେ। ଏହି ଟିମ୍ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୨ ଜଣଙ୍କୁ ଗିରଫ କରିଛନ୍ତି। କୋଟପାଡ ର ଡାବୁଗୁଡା ଗାଁର ନରସିଂହ ହରୀଜନ, ନୁଆଗାଁ ଗ୍ରାମର ପଦମ ହରୀଜନ, ଘାସିସାହି ଗ୍ରାମର ଚନ୍ଦନ ଖିର, ମେଡିକାଲ କଲୋନିର ଦିପକ ବାହାଦୁର, ବରିଗୁମ୍ମା ଥାନା ବଙ୍ଗଳାଗୁଡା ଗାଁର ଆଫିର ଆବ୍ରାହିମ ଖରା, ଭାଟିଗାଁର ବାବୁଲା ହରୀଜନ, ଝିଲମିଲ ଗାଁର ଚନ୍ଦ୍ର ନାୟକ,ପାପଡାହାଣ୍ଡି ଥାନାର ଶିଲକାଗୁଡା ଗାଁର ଖିରସିନ୍ଧୁ ବିନ୍ଧାଣୀ, ଅଜୟ ହରୀଜନ, ଚନ୍ଦ୍ରସିଂ ହରୀଜନ ଓ ଶୁଶାନ୍ତ ବିନ୍ଧାଣି, ଜୟପୁର ର ଡେଙ୍ଗାଗୁଡା ଗାଁର ବାବୁଲି ପଟ୍ଟନାୟକ ପ୍ରମୁଖ ୧୨ ଜଣଙ୍କୁ ଗିରଫ କରାଯାଇଛି। ଆହୁରି ୪ ଜଣ ଏବେ ବି ଫେରାର ରହିଛନ୍ତି।

ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ନିତିନ କୁଶଲକର ସୂଚନା ଦେଇଛନ୍ତି ଯେ ଏହି ଗ୍ୟାଙ୍ଗର ଖିରସିନ୍ଧୁ ବିନ୍ଧାଣି ଏହି ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଥିଲା। ସେ ହିଁ ଏହି ଡକାୟତ ମାନଙ୍କୁ ସମସ୍ତ ପ୍ରକାର ସୂଚନା ଦେଉଥିଲା। ସେ ପ୍ରାୟ ବିଭିନ୍ନ ଅଞ୍ଚଳରୁ ଯୁବକ ମାନଙ୍କୁ ଏଥିରେ ସାମିଲ କରି ବିଭିନ୍ନ ଡକାୟତି କରାଉଥିଲା। ସମସ୍ତ ଡକାୟତି ଘଟଣାରେ ଏମାନେ ବନ୍ଧୁକ ମୁଣ୍ଡକୁ ଦେଖାଇବା ସହ ବିଭିନ୍ନ ମାରଣାସ୍ତ୍ରରେ ମାଡ ମାରି ଭୟଭିତ କରାଉଥିଲେ। ଯାହା ଫଳରେ ଚାରିଆଡେ ଏକ ଭୟର ବାତାବରଣ ସୃଷ୍ଟି କରୁଥିଲେ। ଲୋକଙ୍କ ଧନଜୀବନର ସୁରକ୍ଷା ପୁଲିସର ପ୍ରାଥମିକତା ରହିଛି। ନବରଙ୍ଗପୁର ପୁଲିସ ଏପରି ଡକାୟତି ଓ ରାହାଜାନିକୁ କେବେ ହେଲେ ପ୍ରସୟ ଦେବ ନାହିଁ । ଏମାନଙ୍କ ଠାରୁ ୧ଲକ୍ଷ ୧୨ ହଜାର ଟଙ୍କା ନଗଦ, ୧୫ ଗ୍ରାମ ସ୍ବର୍ଣ୍ଣ ଅଳଙ୍କାର, ୬୦୦ ଗ୍ରାମ ରୂପା ଅଳଙ୍କାର, ୫ ଗୋଟି ମୋବାଇଲ ଫୋନ, ଗୋଟିଏ ଏୟାର ବନ୍ଧୁକ, ୩ ଗୋଟି ମୋଟର ସାଇକେଲ, ୨ ଗୋଟି ଖଣ୍ଡା ଓ ୪ଟି ଛୁରୀ ଜବତ କରାଯାଇଥିବା ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ଗତ ମାସ ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ଥାନା ଅନ୍ତର୍ଗତ ହଳଦିଆଗୁଡା ଗାଁରେ ଗତ ମଇ ୨୬ ତାରିଖ ରେ ଫିରଦୋଶ ଖାନଙ୍କ ଘରେ ରାତିରେ ପଶି ମାଡ ମାରିବା ସହ ୮ଲକ୍ଷ ୧୫ ହଜାର ଟଙ୍କା ଲୁଟି ନେଇଥିଲେ। ସେହିପରି ଭାବେ ଚଳିତ ମାସ ୧୦ ତାରିଖ ରେ ଡାବୁଗାଁ ଥାନା ଚିକିଲି ଗ୍ରାମରେ ରାତିରେ ଅଜୁତା ଗୌଡଙ୍କ ଘରେ ପଶି ୩ ହଜାର ଟଙ୍କା ନଗଦ ଏବଂ ୨ ହଜାର ଟଙ୍କାର ବିଭିନ୍ନ ଜିନିଷ ଲୁଟିନେଇଥିଲେ। ନବରଙ୍ଗପୁର ଥାନା ଅନ୍ତର୍ଗତ ସିନ୍ଧିଗାଁ ରେ କାମଦେବ ଗୌଡଙ୍କ ଘରେ ପଶି ନଗଦ ୫ ହଜାର ଟଙ୍କା, ୫ଗ୍ରାମ ଓଜନର ସୁନା ଚୈନ ଓ ୫୦ ଗୋଟି ଛତା ଚୋରୀ କରି ନେଇଥିଲେ। କୋଡିଗାଁ ଥାନା ଅନ୍ତର୍ଗତ ଦୁନିଗୁଡା ଗ୍ରାମରେ ଗତ ୧୮ ତାରିଖରେ ବିନୋଦ ମେହେଟାଙ୍କ ଘରେ ପଶି ୧ ଲକ୍ଷ ୫୦ ହଜାର ଟଙ୍କା ନଗଦ ଟଙ୍କା ଏବଂ ୧ଲକ୍ଷ ୫୫ ହଜାର ଟଙ୍କାର ସୁନା ଓ ରୂପା ଅଳଙ୍କାର ଚୋରୀ କରି ନେଇଥିଲେ।ଏହି ଚଢ଼ାଉରେ ଅନ୍ୟ ମାନଙ୍କ ମଧ୍ୟରେ ଅନିଲ ପୃଷ୍ଟି, ଟି.ଭି.ରାଓ, ଦିଲ୍ଲିପ ମାଝୀ, ପ୍ରସାଦ ଦୋରା ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର