ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ଛେନାପଦି-ହଦଗଡ଼ ରାସ୍ତା ୧୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା। ନିର୍ମାଣର ମାତ୍ର ମାସକ ମଧ୍ୟରେ ଛେନାପଦି ଗାଁ ପାଖରେ ରାସ୍ତାଟି ଦବିଯିବା ସହ ଫାଟ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ପୂର୍ତ୍ତ ବିଭାଗ ଠିକାସଂସ୍ଥାକୁ ଧରି ରାସ୍ତାର ଫାଟ ଲୁଚାଇବାକୁ ଉଦ୍ୟମ କରୁଛି। ଅନ୍ୟପକ୍ଷରେ ମାତ୍ର ଦିନ କେଇଟାରେ ରାସ୍ତା ଦବି ଯାଇଥିବାରୁ ଏହାର ସ୍ଥାୟିତ୍ୱକୁ ନେଇ ଅଞ୍ଚଳବାସୀ ସନ୍ଦେହ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଛେନାପଦି-ହଦଗଡ଼ ରାସ୍ତାର ଛେନାପଦି ନିକଟରେ ବୈତରଣୀ ନଦୀ ସଂଯୋଗୀକରଣ କେନାଲ ବନ୍ଧକୁ ସଂଯୋଗ କରୁଥିବା ରାସ୍ତାଟି ମାସେ ତଳେ ନିର୍ମାଣ ହୋଇଥିଲା। ଏଥିପାଇଁ ୧୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇଥିଲା। ମାତ୍ର ଦିନ କେଇଟାରେ ରାସ୍ତାଟି ଦବିଯାଇଛି। ପ୍ରଥମେ ଜୁନ୍ ମାସରେ ରାସ୍ତାରେ ଏକ ବିରାଟ ଫାଟ ସୃଷ୍ଟି ହୋଇଥିଲା। ଠିକାସଂସ୍ଥାର କର୍ମଚାରୀମାନେ ବଜ୍ରାଘାତରେ ଫାଟ ହୋଇଥିବା କହି ତା ଉପରେ କଂକ୍ରିଟ ଢାଳି ଫାଟ ଲୁଚାଇ ଦେଇଥିଲେ। ମାତ୍ର ଏବେ ରାସ୍ତାଟି ସମ୍ପୂର୍ଣ୍ଣ ଦବି ଯାଇଛି। ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ପୂର୍ତ୍ତ ବିଭାଗ ନିର୍ଦେଶକ୍ରମେ ଠିକାଦାର ଏବେ ତାହାକୁ ଖୋଳି ପଥରଗୁଣ୍ଡ ଭର୍ତ୍ତି କରି ଫାଟ ଲୁଚାଇବାକୁ ଉଦ୍ୟମ କରୁଛନ୍ତି।
ରାସ୍ତାର ସବ୍ବେସ୍ ନିର୍ମାଣ ଠିକ ଭାବେ ହୋଇନଥିବାରୁ ଏପରି ଅବସ୍ଥା ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେହିପରି ରାସ୍ତା ନିର୍ମାଣ ସମୟରେ ନିମ୍ନମାନର ମାଟି ବ୍ୟବହାର କରାଯିବା ସହିତ ଠିକ ଭାବେ ରୋଲିଂ କରାଯାଇ ନଥିବାରୁ ଗାଡ଼ି ଚଳାଚଳ କରିବା ଯୋଗୁଁ ରାସ୍ତାଟି ଦବି ଯାଇଥିବା କୁହାଯାଉଛି। ରାସ୍ତା ନିର୍ମାଣ ସମୟରେ ବିଭାଗୀୟ ଯନ୍ତ୍ରୀମାନେ ଉପସ୍ଥିତ ରହୁ ନଥିଲେ। ଠିକାସଂସ୍ଥା କର୍ମଚାରୀମାନେ ମନଇଚ୍ଛା କାମ କରିଥିଲେ। ଯେଉଁଥିପାଇଁ କାମ ନିମ୍ନମାନର ହୋଇଛି ବୋଲି ଛେନାପଦି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରୁ, ରାସ୍ତା କାମ ସରିନି। ବର୍ଷାଦିନ ପରେ ପୁନର୍ବାର ଖରାପ ସ୍ଥାନକୁ ଖୋଳାଯାଇ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।