ରାୟଗଡ଼/ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଗଙ୍ଗାବାଡ଼ ପଞ୍ଚାୟତରେ ବର୍ଷା ବିତ୍ପାତ ଯୋଗୁ ଆଜି ଏକ ବଡ଼ଧରଣର ଅଘଟଣ ଘଟିଛି। ପାହାଡ଼ ଧସିବା ଫଳରେ ୧୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୫ ଜଣ ଶିଶୁ ଥିବା ଜଣାପଡ଼ିଛି। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଗ୍ରାମବାସୀଙ୍କ ସୂଚନା ଅନୁସାରେ, ତିତ୍ଲି ଭୟରେ ଏହି ୫ ପରିବାରର ୧୬ ଜଣ ଗ୍ରାମ ଛାଡ଼ି ପାହାଡ଼ ଉପରେ ଥିବା ଗୁମ୍ଫାରେ ଆଶ୍ରୟ ନେଇଥିଲେ। ହେଲେ ଦୁେର୍ଯ୍ୟାଗବଶତଃ ପାହାଡ଼ ଧସିଯିବା ଫଳରେ ଏହା ତଳେ ଚାପି ହୋଇ ସେମାନଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ୧୨ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ୪ ଜଣଙ୍କ ମୃତଦେହ ଠାବ କରାଯିବା ପାଇଁ ପ୍ରୟାସ ଚାଲିଛି ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି।
ମୃତ ବ୍ୟକ୍ତିମାନେ ହେଲେ, ଦିନେଶ ଭୂୟାଁ(୭), ଗାଗନ ଜାନୀ, ମୀନାକ୍ଷୀ ଶବର(୧୫), ଗଙ୍ଗାଧର ବେହେରା, ଜୟଚନ୍ଦ୍ର ଭୂୟାଁ, ଚମ୍ପା ଭୁୟାଁ, ସୋମନାଥ ଜାନି, ସୁମିତ୍ରା ଭୂୟାଁ, ଦଣ୍ଡପାଣି ଭୂୟାଁ, ଶ୍ରୀମତୀ ଜାନି, ଲାଲୁ ବେହେରା(୭) ଓ ଜିଞ୍ଜ ଶବର(୭)।
ଅପରପକ୍ଷେ, ସ୍ଥାନଟି ଦୁର୍ଗମ ଇଲାକା ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ସକାଶେ ସ୍ବତନ୍ତ୍ର ଟିମ୍ ପଠାଯାଇଛି। ଆଜି ରାତିରେ ଘଟଣାର ତଦନ୍ତ ଦାୟିତ୍ବ ନେଇଥିବା ଗାରାବନ୍ଧ ଥାନାଧିକାରୀ ପ୍ରଶାନ୍ତ ଭୂପତିଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ଘଟଣାସ୍ଥଳ ଅତ୍ୟନ୍ତ ଦୁର୍ଗମ ଓ ସେଠାରେ ଟିମ୍ ପହଞ୍ଚି ପାରିନାହାନ୍ତି। ଆଜି ଦିନ ବେଳେ ଗ୍ରାମବାସୀ ୯ ଜଣଙ୍କ ଶବ ଉଦ୍ଧାର କରିଛନ୍ତି। ଆସନ୍ତାକାଲି ପୁଲିସ ଓ ପ୍ରଶାସନ ପହଞ୍ଚିବ ବୋଲି ଶ୍ରୀ ଭୂପତି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/raya.jpg)