ଆଜି ସର୍ବାଧିକ ୧୨ ସଂକ୍ରମିତଙ୍କ ପ୍ରାଣହାନି, ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୪୭କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୧୮୩୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ସର୍ବାଧିକ ୧୨ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗଞ୍ଜାମ ଓ ସୁନ୍ଦରଗଡ଼ରେ ୩ ଜଣ ଲେଖାଏଁ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ, ଭଦ୍ରକ, ଢେଙ୍କାନାଳ, ଗଜପତି, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସମ୍ବଲପୁରରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।

ଗଞ୍ଜାମରେ ୫୦, ୫୨ ଓ ୬୦ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୬୬, ୭୭ ଓ ୭୭ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।ମୟୂରଭଞ୍ଜରେ ୫୫ ଓ କେନ୍ଦ୍ରାପଡ଼ାରେ ୩୬ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଅପରପକ୍ଷରେ, ସମ୍ବଲପୁରରେ ୭୮ ବର୍ଷୀୟା ବୃଦ୍ଧା, ଭଦ୍ରକରେ ୫୫ ଓ ଢେଙ୍କାନାଳରେ ୬୧ ବର୍ଷିୟ ବୃଦ୍ଧ, ଗଜପତିରେ ୩୪ ବର୍ଷିୟ ଯୁବକଙ୍କ କରୋନାରେ ମୃତ୍ୟୁ ହୋଇଛି। ଏମାନଙ୍କର କୋଭିଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏଥିନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨,୫୫୦କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୨୬୮୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫,୩୭୦ରହିଛି।

ସମ୍ବନ୍ଧିତ ଖବର