ଏହି ବିଶ୍ୱବିଦ୍ୟାଳୟ ଛାତ୍ରୀନିବାସରୁ ଗୋଡ଼ ଓ ପାଟିକୁ ବନ୍ଧା ୧୨ କୁକୁର ଉଦ୍ଧାର

ଗୋପାଳପୁର :ଆଜି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ଥିବା ଛାତ୍ରୀନିବାସ ମଧ୍ୟରୁ ଗୋଡ଼ ଓ ପାଟିକୁ ବନ୍ଧା ଯାଇଥିବା ୧୨ଟି କୁକୁର ଉଦ୍ଧାର କରାଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଜୀବ ସୁରକ୍ଷା ସଂଗଠନ ପକ୍ଷରୁ ଗୋଡ଼ ଓ ପାଟି ବନ୍ଧା ହୋଇ ରହିଥିବା କୁକୁରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଏବଂ ମାମଲା ଥାନା ପର୍ଯ୍ୟନ୍ତ ଯାଇଥିବା ଜଣାଯାଇଛି। ଛାତ୍ରୀନିବାସ ମଧ୍ୟରେ କିଛି କୁକୁରଙ୍କ ଗୋଡ଼ ଓ ପାଟିକୁ ବାନ୍ଧି ରଖାଯାଇଥିବା ନେଇ କେହି ଜୀବ ସୁରକ୍ଷା ସଂଗଠନର ସଭାନେତ୍ରୀ ରୋନାଲି ପାଣିଗ୍ରାହୀଙ୍କୁ ଜଣାଇଥିଲେ।

ଅପରାହ୍‌ଣ ପ୍ରାୟ ୪ଟା ବେଳେ ରୋନାଲି ଏବଂ ବଜରଙ୍ଗ ଦଳର ଜିଲ୍ଲା ସଭାପତି ବଳରାମ ମହାନ୍ତି, ସଂଗଠନର ସଭ୍ୟା ବିଷ୍ଣୁପ୍ରିୟା ପାତ୍ର ଭଞ୍ଜବିହାରରେ ପହଞ୍ଚି ଭଞ୍ଜବିହାର ଫାଣ୍ଡିକୁ ସୂଚନା ଦେବା ସହ ଫାଣ୍ଡି କର୍ମଚାରୀଙ୍କ ଉପସ୍ଥିତିରେ ଛାତ୍ରୀନିବାସକୁ ଯାଇ କୁକୁର ମାନଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ସମୟରେ ହଷ୍ଟେଲ ୱାର୍ଡେନ ପ୍ରଫେସର ସୁଶାନ୍ତ ବରାଳ ଏବଂ କିଛି ଛାତ୍ରଛାତ୍ରୀ ଏହାକୁ ବିରୋଧ କରିଥିଲେ। ଏ ନେଇ ମାମଲା ଗୋପାଳପୁର ଥାନାକୁ ଯାଇଥିବା ବେଳେ ସେଠାରେ ଆଲୋଚନା ପରେ ବି କୌଣସି ସମାଧାନ ହୋଇପାରିନଥିଲା। ଏ ନେଇ ଜୀବ ସୁରକ୍ଷା ସଂଗଠନର ସଭାନେତ୍ରୀ ସହ ଯୋଗାଯୋଗ କରାଯିବାରେ ଛାତ୍ରୀନିବାସ ମଧ୍ୟରୁ ୧୨ଟି ଗୋଡ଼ ଓ ପାଟିକୁ ବନ୍ଧା ହୋଇଥିବା କୁକୁରଙ୍କୁ ଉଦ୍ଧାର କରି ଛଡ଼ାଯାଇଛି ବୋଲି କହିଛନ୍ତି।

ଆସନ୍ତାକାଲି ବ୍ରହ୍ମପୁର ଏସ୍‌ପିଙ୍କ ସହ ଯୋଗାଯୋଗ କରି ଲିଖିତ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି। ଏନେଇ ହଷ୍ଟେଲ ୱାର୍ଡେନ ପ୍ରଫେସର ବରାଳଙ୍କ ସହ ଯୋଗାଯୋଗ କରାଯିବାରେ ଛାତ୍ରୀମାନେ କୁକୁର କାମୁଡ଼ିବା ଭୟ ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବିଏମ୍‌ସିକୁ ଜଣା ଯାଇଥିଲା। ବିଏମ୍‌ସି କର୍ମଚାରୀ ଏବଂ ବିଶ୍ଵବିଦ୍ୟାଳୟ କର୍ମଚାରୀମାନେ କୁକୁରକୁ ବାନ୍ଧି ଅନ୍ୟତ୍ର ସ୍ଥାନରେ ଛଡ଼ାଯିବାର ବ୍ୟବସ୍ଥା କରାଯାଇଥିଲା ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର