ଦଶହରାରେ ଅଘଟଣ : ପାଣିରେ ବୁଡ଼ି ୧୨ ମୃତ

ଭୁବନେଶ୍ବର : ଦଶହରାରେ ସମସ୍ତେ ଖୁସି ମନାଉଥିବା ବେ‌ଳେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ିଯାଇ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ନୂଆଗାଁର ଜଣେ ୭୦ ବର୍ଷର ବୃଦ୍ଧାଙ୍କ ସମେତ ତାଙ୍କର ଦୁଇ ନାତୁଣୀ ଅର୍ନ୍ତଭୁକ୍ତ। ଶାଗ ‌େତାଳିବାକୁ ଯାଇ ଏମାନେ ପୋଖରୀରେ ବୁଡ଼ି ଯାଇଥିଲେ।

ସୂଚନା ଅନୁଯାୟୀ, ନୂଆଗାଁର ସ୍ବର୍ଗତ ପହଲି ମଳିକଙ୍କ ସ୍ତ୍ରୀ ମୁଳି ମଳିକ (୭୦), ମୁଳିଙ୍କ ପୁଅ ଶ୍ରୀଧର ମଳିକଙ୍କ ଝିଅ ଶ୍ରାବଣୀ ମଳିକ (୧୧, ୫ମ ଶ୍ରେଣୀ) ଓ ମୁଳିଙ୍କ ଝିଅର ଝିଅ ତଥା ସାନନହୁଣିପାଳ ଗାଁର ଅଶୋକ ଦାସଙ୍କ ଝିଅ ଅଞ୍ଜନା ଦାସ (୧୨, ଷଷ୍ଠ ଶ୍ରେଣୀ) ଦଶହରା ଦିନ ସକାଳେ ଗାଁଠାରୁ ପ୍ରାୟ ୪ ଶହ ମିଟର ଦୂର ଏକ ବିଲ ମଝିରେ ଥିବା ପୋଖରୀକୁ ଶାଗ ତୋଳିବାକୁ ଯାଇଥିଲେ। ‌େତବେ‌ ଦୀର୍ଘ ସମୟ ଯାଏ ସେମାନେ ନ ଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ। ଦିନ ପ୍ରାୟ ୧୧ଟାରେ ସେହି ବାଟ ଦେଇ ଯାଉଥିବା ଗାଁର ଜଣେ ଯୁବକ ବୃଦ୍ଧାଙ୍କ ଶବ ପୋଖରୀରେ ଭାସୁଥିବାର ଦେଖିଥିଲେ। ଖବର ପାଇ ଗାଁ ଲୋକେ ଉକ୍ତ ପୋଖରୀରେ ଖୋଜାଖୋଜି କରି ଶ୍ରାବଣୀ ଓ ଅଞ୍ଜନାଙ୍କ ମୃତଦେହ ଉଦ୍ଧାର କରିଥିଲେ। ସମ୍ଭବତଃ ଜେଜେମା ପ୍ରଥମେ ପୋଖରୀରେ ପଡି ଯାଇଥିଲେ। ଦୁଇ ନାତୁଣୀ ତାଙ୍କୁ ଉଦ୍ଧାର କରିବାକୁ ଯାଇ ପୋଖରୀରେ ବୁଡ଼ି ପ୍ରାଣ ହରାଇଥିବା ଅନୁମାନ କରାଯାଉଛି।

କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ବଗାଡ଼ ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି ା ଏହି ଗ୍ରାମର ରୋଜି ସାହୁ(୧୫) ଓ ତାଙ୍କ କାକା ଝିଅ ନମିତା ସାହୁ(୧୩) ଦୁଇ ସର୍ମ୍ପକୀୟ ଭଉଣୀ ସ୍ଥାନୀୟ ଖଲିଆବନ୍ଧକୁ ଗାଧେଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି। କେସିଙ୍ଗା ଥାନା ବଗାଡ଼ ଗ୍ରାମର ତାରାଚନ୍ଦ ସାହୁଙ୍କ ଝିଅ ରୋଜି, ବିଜୟମଣି ସାହୁଙ୍କ ଝିଅ ନମିତା ସାଙ୍ଗ ହୋଇ ଏହି ବନ୍ଧକୁ ଗାଧୋଇବାକୁ ଆସିଥିଲେ। ଏହି ସମୟରେ ହଠାତ୍‌ ଦୁଇ ଭଉଣୀ ପାଣିରେ ବୁଡିଯିବାର ଅନ୍ୟ ଗାଧୋଉଥିବା ମହିଳାମାନେ ଦେଖି ପାଟି କରିଥିଲେ। ବହୁ କଷ୍ଟରେ ବଗାଡ଼ର କିଶୋର ନାଏକ ଜଣକୁ ଉଦ୍ଧାର କରିଥିଲେ ମଧ୍ୟ ତାଙ୍କ ମୃତ୍ୟୁ ଘଟିଥିଲା। ପରେ ଦମକଳ ବାହିନୀର ଉଦ୍ୟମ କ୍ରମେ ଆଉ ଗୋଟିଏ ମୃତ ଦେହ ଉଦ୍ଧାର କରାଯାଇଥିଲ।

ସେହିପରି ଗଂଜାମ ଜିଲ୍ଲାର ସୋରଡ଼ା, ଜଗନ୍ନାଥପ୍ରସାଦ ଓ ଛତ୍ରପୁର ଥାନା ଇଲାକା ବିଭିନ୍ନ ସ୍ଥାନରେ ନଦୀରେ ବୁଡ଼ି ମୋଟ ୩ ଜଣଙ୍କ ମୃତ୍ୟୁ ହୋଇଛି। ଛତ୍ରପୁର ଥାନା ପୋଟଲାମପୁର ଗ୍ରାମ ନୂଆସାହିର ରଘୁ ବରାଡ଼(୭୦) ନଦୀରେ ଗାଧୋଉଥିବା ବେଳେ ବୁଡ଼ି ପ୍ରାଣ ହରାଇଛନ୍ତି। ଜଗନ୍ନାଥପ୍ରସାଦ ଅଞ୍ଚଳଠୁ ମାତ୍ର ୪ କିଲୋମିଟର ଦୂର ନଡ଼ା ଗ୍ରାମରେ ବୋଡ଼ାନଦୀ ଗଣ୍ଡରେ ବୁଡ଼ି ଗୋପାଳ ଗୌଡ଼ (୪୪) ନାମକ ଜଣେ ଗାଈଚରାଳିଙ୍କ ମୃତ୍ୟୁ ହେଇଛି। ଅନ୍ୟପକ୍ଷରେ ସୋରଡ଼ା ବ୍ଲକ ହୁକୁମା ପଞ୍ଚାୟତ ଗୁଡ଼ିପଲ୍ଲୀ ଗ୍ରାମରେ ବାନ୍ତୁଳି ନଦୀରେ ବୁଡ଼ି ଭିକାରୀ ମଳିକ (୬୫) ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।

ପାଳଲହଡ଼ା ଟାଉନଠାରୁ ଦୁଇ କିମି ଦୂର ସରକାରୀ ଫଳ ବଗିଚା ନିକଟ ମାଙ୍କଡା ନଦୀରେ ଆଜି ଜଣେ କଲେଜ ଛାତ୍ର ବୁଡି ପ୍ରାଣ ହରାଇଛନ୍ତି। ମୃତ ଛାତ୍ରଙ୍କ ନାମ ଅଭିଷେକ ଆଚାର୍ଯ୍ୟ (୧୭)। ଭୁବନେଶ୍ବରର ଏକ ଘରୋଇ କଲେଜରେ ଯୁକ୍ତ ତିନି ପ୍ରଥମ ବର୍ଷ ବାଣିଜ୍ୟ ଛାତ୍ର ଥିଲେ। ସେହିପରି ତାଳଚେର ପୌରାଞ୍ଚଳ ଵାର୍ଡ ନ˚ ୨୦ ର ପ୍ରସନ୍ନ ନାଏକ (୫୫) ଗତକାଲି ରେଙ୍ଗାଳି କେନାଲକୁ ଗାଧୋଇବାକୁ ଯାଇଥିଲେ। କେନାଲରେ ତାଙ୍କ ଗୋଡ ଖସି ଯିବାରୁ ଗଭୀର ପାଣିରେ ବୁଡ଼ି ତାଙ୍କ ମୃତ୍ୟୁ ଘଟିଥିଲା।

ବେତନଟୀ ଥାନା ଅଧୀନ ଯୁଗଳ ହଳଦିପଦାର ଅକ୍ଷୟ କୁମାର ଦାସ (୫୫) ପାଣିରେ ପଡିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ବୈଶିଙ୍ଗା ଥାନା ଅଧୀନ ମେରଦା ରାବଣପୋଡ଼ି ଦେଖି ଫେରିବା ସମୟରେ ତିଳପଦାର ଗୁରୁବା ସିଂଙ୍କ ବର୍ଷକର ଝିଅ ରିମା ସିଂ ମେରଦା ଛକ ନିକଟରେ ବାଉଁଶ ନଦୀ ପୋଲରେ ଖସି ପଡ଼ି ଏକ ଖମ୍ବରେ ଲାଗି ଯାଇଥିଲା। ଦମକଳ ବାହିନୀ ରିମାକୁ ଉଦ୍ଧାର କରି ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ମଧ୍ୟ ଡାକ୍ତର ତା’କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର