ନବୀନ ନିବାସରେ ଏକାଠି ହେଲେ ୧୨ ବିଜେଡି ସାଂସଦ

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ବିଜେଡିର ପ୍ରମୁଖ ପ୍ରସଙ୍ଗ, ଓଡ଼ିଶା ସ୍ବାର୍ଥ ପ୍ରସଙ୍ଗ ସ୍ବର ଉଠାଇବାକୁ ନବୀନଙ୍କ ପରାମର୍ଶ, ଆଜି ସାଂସଦଙ୍କ ଦିଲ୍ଲୀ ଗସ୍ତ, ମହାନଦୀ ପ୍ରସଙ୍ଗରେ ପୂର୍ବ ଆଭିମୁଖ୍ୟ ଜାରି

ଭୁବନେଶ୍ବର : ନିର୍ବାଚିତ ୧୨ ବିଜେଡି ସାଂସଦ ଆଜି ନବୀନ ନିବାସ ଯାଇ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ରାଜ୍ୟ ସ୍ବାର୍ଥ ଉପରେ ଦକ୍ଷତାର ସହ ସେମାନେ କିପରି ସଂସଦରେ ସ୍ବର ଉଠାଇବେ ସେ ନେଇ ପାଖାପାଖି ୧ ଘଣ୍ଟା ଧରି ଶ୍ରୀ ପଟ୍ଟନାୟକ ସେମାନଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସ୍ବାର୍ଥ ସମ୍ବଳିତ ପୂର୍ବ ପ୍ରସଙ୍ଗଗୁଡ଼ିକରେ ବିଜେଡି ତାର ଆଭିମୁଖ୍ୟ କାଏମ ରଖିବା ପାଇଁ ସଭାପତି ନିର୍ଦ୍ଦେଶ ଦେଇଛନ୍ତି।

ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିବା ବିଜେଡି ସାଂସଦମାନଙ୍କ ବୈଠକ ସମ୍ପର୍କରେ ଦଳର ବରିଷ୍ଠ ନେତା ତଥା କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ସୂଚନା ଦେଇ କହିଥିଲେ, ନୂଆ ହୋଇ ନିର୍ବାଚିତ ହୋଇଥିବା ସାଂସଦମାନଙ୍କର ବର୍ତ୍ତମାନ କିପରି ଦିଲ୍ଲୀରେ ରହିବା ପାଇଁ ବ୍ୟବସ୍ଥା କରାଯିବ ଓ ସେମାନଙ୍କ ପଞ୍ଜିକରଣ ନେଇ ଆଲୋଚନା ହୋଇଥିଲା। ମହାନଦୀ ପ୍ରସଙ୍ଗରେ ଏବେ ଓଡ଼ିଶାକୁ ନ୍ୟାୟ ମିଳିବା ବାକି ଅଛି। ସୁପ୍ରିମକୋର୍ଟ ନିର୍ଦ୍ଦେଶକ୍ରମେ ଯଦିଓ ସ୍ବତନ୍ତ୍ର ଟ୍ରିବ୍ୟୁନାଲ ଗଠନ ହୋଇଛି କିନ୍ତୁ ଏ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲ କୌଣସି ନିଷ୍ପତ୍ତି ଦେଇନାହାନ୍ତି। ମହାନଦୀ ପ୍ରସଙ୍ଗରେ ଓଡ଼ିଶା ପ୍ରତି ଅନ୍ୟାୟ କରିଥିବା ଯୋଗୁଁ ଛତିଶଗଡ଼ରେ ପୂର୍ବ ବିଜେପି ସରକାରକୁ ତାର ପରାଭବ ଭୋଗିବାକୁ ପଡ଼ିଛି। ଏବେ କେନ୍ଦ୍ରରେ ଗଠନ ହେବାକୁ ଥିବା ନୂଆ ସରକାର ଏ ଦିଗରେ ନ୍ୟାୟ ପ୍ରଦାନ କରିବାରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ଆଶା କରାଯାଉଛି।

ସେହିପରି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ବିଜେଡି ବାରମ୍ବାର ଦାବି କରିଆସିଛି। ଆଗକୁ ମଧ୍ୟ ସଂସଦରେ ଏହା ଦାବିକୁ ଦୃଢ ଭାବେ ଉପସ୍ଥାପନ କରିବ। ଶ୍ରୀ ମହତାବ କହିଥିଲେ, ବିହାରରେ କ୍ଷମତାସୀନ ଜନତା ଦଳ ୟୁନାଇଟେଡ୍ ସରକାର ଓଡ଼ିଶାର ଉଦାହରଣ ଦେଇ ବିହାରକୁ ସ୍ବତନ୍ତ୍ର ପାହ୍ୟା ଦେବାକୁ ଦାବି କରିଥିଲେ। ଯାହାକି ଚଳିତ ଥର ନିର୍ବାଚରେ ସେ ରାଜ୍ୟରେ ପ୍ରସଙ୍ଗ ହୋଇଥିଲା। ସେହିପରି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଷୋଡ଼ଶ ଲୋକସଭାରୁ ଆନ୍ଧ୍ର ପ୍ରଦେଶର ଵାଇ.ଏସ.ଆର କଂଗ୍ରେସ ଇସ୍ତଫା ଦେଇଥିଲା। ଏବେ ସେ ଦଳ ଆନ୍ଧ୍ର ପ୍ରଦେଶରେ ବିପୁଳ ସଂଖ୍ୟାରେ ବିଜୟଲାଭ କରିଛି। ବିଜେଡି ଏ ଦୁଇ ରାଜ୍ୟର ଆଭିମୁଖ୍ୟ ଉପରେ ତୀକ୍ଷଣ ନଜର ରଖିଛି। ବିଜେଡି ସଂସଦୀୟ ଦଳ ନେତା କିମ୍ବା କେନ୍ଦ୍ର ସରକାରଙ୍କୁ ସଂସଦରେ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଉପରେ ଦଳର ଆଭିମୁଖ୍ୟ ନେଇ ବୈଠକରେ କୌଣସି ଆଲୋଚନା ହୋଇନଥିବା ଶ୍ରୀ ମହତାବ କହିଥିଲେ।

କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି କହିଥିଲେ, କେନ୍ଦ୍ରାପଡ଼ାକୁ କିପରି ରେଳ ସଂଯୋଗ ହେବ ତାହା ତାଙ୍କର ପ୍ରାଥମକିତା ରହିବ। ସେଥିପାଇଁ ନିଜେ ଦଳର ନେତା ମଧ୍ୟ ପୂର୍ବରୁ ଉଦବେଗ ପ୍ରକାଶ କରିଛନ୍ତି। ଏହାସହିତ କେନ୍ଦ୍ରାପଡ଼ାବାସୀ ତାଙ୍କ ଉପରେ ବିଶ୍ବାସ ରଖି ଯେଉଁ ଭରସା କରିଛନ୍ତି ତାକୁ କିପରି ଅକ୍ଷରେ ଅକ୍ଷରେ ପାଳନ କରିବେ ସେଥିପାଇଁ ଅହରହ ଉଦ୍ୟମ କରିବେ। ଆସିକା ସାଂସଦ ପ୍ରମିଳା ବିଷୋୟୀ ମଧ୍ୟ ବିଜେଡି ସଭାପତିଙ୍କ ଭରସା ଅନୁଯାୟୀ କାର୍ଯ୍ୟ କରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର