ବିଦା ହେଲେଣି ୧୨ ନକଲି ଶିକ୍ଷକ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଅଛନ୍ତି ମାଳମାଳ ନକଲି ଶିକ୍ଷକ। କିଛି ବହିଷ୍କୃତ ହୋଇଥିବା ବେଳେ ଆଉ କିଛି ନିକଲି ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟାରେ ରହିଛି। ଏହାବାଦ୍‌ ବି ଆହୁରି ଶତାଧିକ ନକଲି ଶିକ୍ଷକ ଅଛନ୍ତି। ସଠିକ୍‌ ଯାଞ୍ଚ ହେଲେ ସେମାନେ ଧରାପଡ଼ିବେ ବୋଲି କୁହାଯାଉଛି। ଇତିମଧ୍ୟରେ କେନ୍ଦୁଝର ଜିଲ୍ଲାରେ ୧୨ଜଣ ନକଲି ଶିକ୍ଷକ ବହିଷ୍କୃତ ହୋଇଥିବା ବେଳେ ସ୍କାନର୍‌ରେ ଅଛନ୍ତି ଆହୁରି ୪ଜଣ। ଖୁବ୍‌ଶୀଘ୍ର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି।

ପ୍ରାପ୍ତ ସୂଚନା ଅନୁସାରେ, ଯୋଡ଼ା ବ୍ଲକ୍‌ର କିରିବୁରୁ ନୋଡାଲ ୟୁପି ସ୍କୁଲ୍‌ର ଶିକ୍ଷକ ରତିକାନ୍ତ ଜେନା, ସାହାରପଡ଼ା ବ୍ଲକ୍‌ କୁଣ୍ଡଳା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୀତବାସ ରାଉତ, ସାହାରପଡ଼ା ବ୍ଲକ୍‌ ବାଲିତୋଟା ୟୁଜିୟୁପି ସ୍କୁଲ୍‌ର ସୁଧାଂଶୁ ଭୂଷଣ ପୁହାଣ, ହରିଚନ୍ଦନପୁର ବ୍ଲକ୍‌ ଧୁରୁଡ଼ିଆମ୍ବ ୟୁଜିୟୁପି ସ୍କୁଲ୍‌ର ଶିକ୍ଷୟିତ୍ରୀ ସସ୍ମିତା ମଲ୍ଲିକ, ବାଂଶପାଳ ବ୍ଲକ୍‌ କୁଶକଳା ୟୁଜିୟୁପି ସ୍କୁଲ୍‌ର ଗୋପାଳକୃଷ୍ଣ ମହାନ୍ତି, ଘସିପୁରା ବ୍ଲକ୍‌ ବାନରସେନା ନୋଡାଲ ୟୁପି ସ୍କୁଲ୍‌ର ଶିକ୍ଷୟିତ୍ରୀ ସୁବାସିନୀ ଦାସ, ହରିଚନ୍ଦନପୁର ବ୍ଲକ୍‌ ଜାମୁଯୋଡ଼ି ସରକାରୀ ନୋଡାଲ ୟୁପି ସ୍କୁଲ୍‌ର ସ୍ୱାଗତିକା ସାହାଣୀ, ହାଟଡିହି ବ୍ଲକ୍‌ ସୋସୋ ନୋଡାଲ ୟୁପି ସ୍କୁଲ୍‌ର ସୁଜିତ କୁମାର ମହାନ୍ତି, ହାଟଡିହି ବ୍ଲକ୍‌ ମଲିପଶି ନୋଡାଲ ୟୁପି ସ୍କୁଲ୍‌ର ସୁନିତା ଦତ୍ତ, ଝୁମ୍ପୁରା ବ୍ଲକ୍‌ ବ୍ରାହ୍ମଣଝରୀ ୟୁଜିୟୁପି ସ୍କୁଲ୍‌ର ଆର୍ତ୍ତତ୍ରାଣ ଜେନା ଓ ପାଟଣା ବ୍ଲକ୍‌ ନିଶ୍ଚିନ୍ତପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦେବାଶିଷ ସେନାପତି ନକଲି ବିଇଡି ପ୍ରମାଣପତ୍ର ଦେଇ ଚାକିରି କରିଥିଲେ। ଏହି ୧୨ଜଣ କନିଷ୍ଠ ଶିକ୍ଷକ (ଚୁକ୍ତିଭିତ୍ତିକ)ଙ୍କ ପ୍ରମାଣପତ୍ର କୁରୁକ୍ଷେତ୍ର, ଗୌହାଟି ଓ ବୁନ୍ଦେଲଖଣ୍ଡ ବିଶ୍ବବିଦ୍ୟାଳୟର ବୋଲି ଜଣାପଡ଼ିଥିଲା। ଏମାନଙ୍କ ପ୍ରମାଣପତ୍ର ଯାଞ୍ଚ ପାଇଁ ପ୍ରାୟ ୫୦ ବିଶ୍ବବିଦ୍ୟାଳୟକୁ ଚିଠି ଲେଖାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୧୨ଜଣଙ୍କ ପ୍ରମାଣପତ୍ର ନକଲି ବୋଲି ଜଣାପଡ଼ିଥିଲା। ଏହାପରେ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

ଆହୁରି ୪ଜଣ ନକଲି ଶିକ୍ଷକ ଏବେ ଶିକ୍ଷା ବିଭାଗର ସ୍କାନରରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ସାହରପଡ଼ା ବ୍ଲକ୍‌ର ହୋଇଥିବା ବେଳେ, ଜଣେ ହରିଚନ୍ଦନପୁର ବ୍ଲକ ଏବଂ ଦୁଇଜଣ ଘସିପୁରା ବ୍ଲକ୍‌ର ବୋଲି ଶିକ୍ଷା ବିଭାଗର ଜଣେ ଅଧିକାରୀ ନାମ ଗୋପନ ରଖି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ଶିକ୍ଷକମାନଙ୍କର ଓଟିଇଟି ପ୍ରମାଣପତ୍ର ନକଲି। ଏହା ଜଣାପଡ଼ିବା ପରେ ଯାଞ୍ଚ ଆରମ୍ଭ ହୋଇଥିଲା। ପ୍ରକ୍ରିୟା ମଧ୍ୟ ଶେଷ ହେଲାଣି। ଖୁବ୍‌ଶୀଘ୍ର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପକ୍ଷରେ ‌୨୦୧୯ ମସିହା ପରଠାରୁ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି। ଏହା ପୂର୍ବରୁ ଶତାଧିକ ଶିକ୍ଷକ ନକଲି ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇଥିବା କୁହାଯାଉଛି।

ସରକାରୀ ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲାରେ ମୋଟ ୨୧୯୩ଟି ପ୍ରାଥମିକ ବିଦ୍ୟାଳୟ ଓ ୨୧୫ଟି ହାଇସ୍କୁଲ୍‌ ରହିଛି। ପ୍ରାଥମିକ ବିଦ୍ୟାଳୟରେ ୬୫୧୭ଜଣ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟ କରୁଥିବା ବେଳେ ହାଇସ୍କୁଲ୍‌ରେ ୧୦୯୧ଜଣ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟ କରୁଛନ୍ତି। ହାଇସ୍କୁଲ୍‌ ଗୁଡ଼ିକରେ ୬୪୧ଟି ଶିକ୍ଷକ ପଦବି ଫାଙ୍କା ପଡ଼ିଛି। ବୁଦ୍ଧିଜୀବୀଙ୍କ କହିବା କଥା ହେଲା, କେନ୍ଦୁଝର ଜିଲ୍ଲାରେ ହାଇସ୍କୁଲ୍‌ଠାରୁ ଆରମ୍ଭ କରି ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ନକଲି ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ସଂଖ୍ୟା ମାଳମାଳ। ଏହି ଶିକ୍ଷକମାନେ ସ୍ଥାୟୀ ହୋଇଗଲେଣି। ସେମାନଙ୍କ ପ୍ରମାଣପତ୍ର ଯାଞ୍ଚ କରାଯାଉ ନାହିଁ। ବିଶେଷ କରି ବାଂଶପାଳ, ଯୋଡ଼ା, ତେଲକୋଇ ଭଳି ଦୁର୍ଗମ ଅଞ୍ଚଳରେ ନକଲି ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ସଂଖ୍ୟା ଅଧିକ। ମାତ୍ର ଏହାକୁ ସଠିକ ଢଙ୍ଗରେ ଯାଞ୍ଚ କରାଯାଉ ନାହିଁ। ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଗଲେ ଆହୁରି ଅଧିକ ସଂଖ୍ୟାରେ ନକଲି ଶିକ୍ଷକ ଧରାପଡ଼ିବେ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର