ଫୁଲବାଣୀ : ବର୍ତ୍ତମାନ ଓଡ଼ିଶାରେ ସବୁଠି ଜାଲ୍‌ ସାର୍ଟିଫିକେଟ ରାକେଟ୍‌ ସକ୍ରିୟ ଥିବା ବେଳେ ଅନେକ ଜାଲ୍ ସାର୍ଟିଫିକେଟ୍‌ ଦାଖଲ କରି ବର୍ଶ ବର୍ଷ ଧରି ଚାକିରିରେ ମଧ୍ୟ ଅଛନ୍ତି। କନ୍ଧମାଳ ଜିଲ୍ଲାରେ କିଛି ବର୍ଷ ହେଲା ଏ ନେଇ ଅନେକ ମାମଲା ପଦାକୁ ଆସିଥିଲା। ନିକଟ‌ରେ କନ୍ଧମାଳରେ ପୋଷ୍ଟାଲ୍‌ ବିଭାଗରେ ଚାକିରି ପାଇଁ ଆସିଥିବା ଅବେଦନକାରୀଙ୍କ ମଧ୍ୟରୁ ଜାଲ୍‌ ସାର୍ଟିଫିକେଟ୍‌ ଦେଇଥିବା ୬ ଜଣଙ୍କ ବିରୋଧରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଫୁଲବାଣୀ ଟାଉନ୍‌ ଥାନାରେ ମାମଲା ରୁଜୁ ହୋଇଥିଲା। ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଜିଲ୍ଲାରେ ଶିକ୍ଷକ ଚାକିରି କରିଥିବା ୧୨ ଜଣ ଜାଲ୍‌ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

Advertisment

କନ୍ଧମାଳ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଗତ ଦୁଇ ବର୍ଷ ମଧ୍ୟରେ ୨୯୧ ଜଣ ହାଇସ୍କୁଲ ଶିକ୍ଷକଙ୍କ ବିଇଡି ସାର୍ଟିଫିକେଟ୍‌ ଯାଞ୍ଚ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷମାନଙ୍କୁ ଚିଠି କରା ଯାଇଥିଲା। ବିଶେଷ କରି ଆନ୍ଧ୍ର ବିଶ୍ବବିଦ୍ୟାଳୟ, କୁରୁକ୍ଷେତ୍ର ବିଶ୍ବବିଦ୍ୟାଳୟ, ଜାମ୍ମୁ-କାଶ୍ମୀର ବିଶ୍ବବିଦ୍ୟାଳୟ ଭଳି ରାଜ୍ୟ ବାହାରର ଅନେକ ବିଶ୍ବବିଦ୍ୟାଳୟକୁ ବିଇଡି ସାର୍ଟିଫିକେଟ୍‌ ଯାଞ୍ଚ୍‌ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ (ସମଗ୍ର ଶିକ୍ଷା ଅଭିଯାନ) କାର୍ଯ୍ୟାଳୟ ପକ୍ଷରୁ ଚିଠି କରାଯାଇଥିଲା। ଏହି ୨୯୧ ଜଣ ବିଇଡି ଶିକ୍ଷକଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ବେଳେ ୧୨ ଜଣଙ୍କର ସାର୍ଟିଫିକେଟ୍‌ ନକଲି ବୋଲି ଜଣାପଡ଼ିଥିଲା। ଏହାପରେ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଏହି ୧୨ ଜଣ ହାଇସ୍କୁଲ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରାଯାଇଛି। ‌ତେବେ ପ୍ରଶ୍ନ ଉଠୁଛି, ଏହି ୧୨ ଜଣ ଶିକ୍ଷକଙ୍କ ସାର୍ଟିଫିକେଟ୍‌ ନକଲି ନା ଆହୁରି ଅଧିକ ନକଲି ଶିକ୍ଷକ ଅଛନ୍ତି? ଏ ନେଇ ତଦନ୍ତରେ ଯେଭଳି ତତ୍ପରତା ପ୍ରକାଶ ପାଇବା କଥା ତାହା ହେଉନାହିଁ। ତଦନ୍ତରେ ଶିଥିଳତା ଯୋଗୁଁ ଆଜି ବି କନ୍ଧମାଳ ଜିଲ୍ଲାରେ ଅନେକ ଶିକ୍ଷକ ଓ ଅନ୍ୟ ସରକାରୀ ବିଭାଗରେ କର୍ମଚାରୀ ନକଲି ସାର୍ଟିଫିକେଟ୍‌ରେ ଚାକିରି କରି ଆସୁଛନ୍ତି। ଏଭଳି ଜାଲ୍‌ ଶିକ୍ଷକ ଓ କର୍ମଚାରୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶ୍ନ ଉଠିଛି।

ତେବେ ଜାଲ୍‌ ସାର୍ଟିଫିକେଟ୍‌ ରାକେଟ୍‌ ସହ କେଉଁମାନେ ସମ୍ପୃକ୍ତ ପୁଲିସ ଅଧିକାରୀମାନେ ତାର ଚେର ପାଖରେ ପହଞ୍ଚି ପାରୁନାହାନ୍ତି। ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କର ସାର୍ଟିଫିକେଟ୍‌ ଯାଞ୍ଚ୍‌ ହୋଇଥିବା ବେଳେ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ହାଇସ୍କୁଲ ଏବଂ ମଙ୍ଗଳ ବିଭାଗରେ କାର୍ଯ୍ୟରତ ଶିକ୍ଷକମାନଙ୍କ ସାର୍ଟିଫିକେଟ୍‌ କେବେ ଯାଞ୍ଚ୍‌ ହେବ ବୋଲି ପ୍ରଶ୍ନ ହେଉଛି।