କୋଲକତାରୁ ଫେରିଥିବା ୧୨ ଅଗ୍ନିଶମ ଯବାନ କରୋନା ସଂକ୍ରମିତ

ଭୁବନେଶ୍ୱର : ଅମ୍ପାନ କ୍ଷତିଗ୍ରସ୍ତ ପଶ୍ଚିମବଙ୍ଗରେ ସହାୟତା ଓ ଉଦ୍ଧାର କାର୍ଯ୍ୟ କରିବାକୁ ଓଡ଼ିଶାରୁ ଯାଇଥିବା ବିଭିନ୍ନ ବିଭାଗର ଉଦ୍ଧାରକାରୀ ଦଳ କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହେବାରେ ଲାଗିଛି । ପଶ୍ଚିମବଙ୍ଗ ଫେରନ୍ତା ଏନଡିଆରଏଫର ୬୦ରୁ ଅଧିକ ଯବାନ ସଂକ୍ରମିତ ଥିବା ଜଣାପଡ଼ିବା ପରେ ଓଡ଼ିଶା ଅଗ୍ନିଶମ ସେବା ବାହିନୀର ୧୨ ଜଣ ଯବାନ ସଂକ୍ରମିତ ହେବା ଜଣାପଡ଼ିଛି । ଏ ସଂପର୍କରେ ଓଡ଼ିଶା ଅଗ୍ନିଶମ ସେବା ବିଭାଗର ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି ଟ୍ଵିଟ କରି ସୂଚନା ଦେଇଛନ୍ତି । ସଂକ୍ରମିତ ଯବାନମାନଙ୍କ ଚିକିତ୍ସା ପାଇଁ ସରକାର ସବୁ ପ୍ରକାରର ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

 

ସୂଚନାଯୋଗ୍ୟ ଯେ, ବାତ୍ୟା କ୍ଷତିଗ୍ରସ୍ତ ପଶ୍ଚିମବଙ୍ଗରେ ଉଦ୍ଧାର ଓ ସହାୟତା କାର୍ଯ୍ୟକରିବାକୁ ମେ ୨୪ ତାରିଖରେ ପ୍ରାୟ ୩୭୨ ଜଣ ଅଗ୍ନିଶମ ଯବାନ କୋଲକତା ଯାଇଥିଲେ । ଜୁନ ୫ ତାରିଖରେ ସେମାନେ ଓଡ଼ିଶା ଫେରିବା ପରେ ସେମାନଙ୍କୁ ସିଧାସଳଖ କ୍ୱାରାଣ୍ଟାଇନ ସେଣ୍ଟରକୁ ପଠାଇଦିଆଯାଇଥିଲା । ଏହା ସହିତ ସେମାନଙ୍କର ସ୍ୱାବ ନମୁନା ନିଆଯାଇଥିଲା । ଉକ୍ତ ନମୁନାରୁ ଆଜି ୧୨ଟି ନମୁନା ପଜିଟିଭ ବାହାରିଛି ।
ଗତକାଲି ମୁଣ୍ଡଳିସ୍ଥିତି ଏନଡିଆରଏଫର ୪୯ ଯବାନ କରୋନା ଆକ୍ରାନ୍ତ ବୋଲି ଜଣାପ଼ଡ଼ିଥିଲା । ଆଜି ଆଉ ୧୧ ଜଣଙ୍କ ନମୁନା ପଜିଟିଭ ବାହାରିଥିଲା । ଫଳରେ ଏନଡିଆରଏଫରେ ଏପର୍ଯ୍ୟନ୍ତ ମୋଟ ୬୧ ଜଣ ଯବାନଙ୍କଠାରେ କରୋନା ପଜିଟିଭ ବାହାରିଛି ।

ସମ୍ବନ୍ଧିତ ଖବର