ଗଡ଼ିଲାନି ଅଟୋ, ଟ୍ୟାକ୍ସି : ଲୋକେ ହନ୍ତସନ୍ତ

ଭୁବନେଶ୍ୱର : ୫ ଦଫା ଦାବି ନେଇ ଆଜି ରାଜ୍ୟର ଅଟୋ ଏବଂ ଟ୍ୟାକ୍ସି ସଂଘଗୁଡ଼ିକୁ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। କାଁ ଭାଁ ଗଣ୍ଡଗୋଳକୁ ବାଦ ଦେଲେ ବନ୍ଦ ଶାନ୍ତିପୂର୍ଣ୍ଣ ରହିଥିଲା। ତେବେ ବନ୍ଦର ପ୍ରଭାବ ରାଜଧାନୀ ସମେତ ରାଜ୍ୟର ଅନ୍ୟ ସହରରେ ଦେଖିବାକୁ ମିଳିଥିଲା। ରାଜଧାନୀରେ ସିଟିବସ୍‌ ଓ ଅନ୍ୟାନ୍ୟ ଯାତାୟାତ ବ୍ୟବସ୍ଥା ଥିବା ସତ୍ତ୍ୱେ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେହିପରି ରାଜ୍ୟର ଅନ୍ୟ ସହରରେ ମଧ୍ୟ ଲୋକଙ୍କ ଯାତାୟାତ ପ୍ରଭାବିତ ହୋଇଥିଲା।

ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଯେପରି ବସ୍‌ ଓ ଟ୍ରକ୍‌ ଭଡ଼ା ନିର୍ଧାରିତ କରାଯାଉଛି ଠିକ୍‌ ସେହିପରି ଅଟୋଭଡ଼ା ମଧ୍ୟ ସ୍ଥିର କରାଯାଉ ବୋଲି ସଂଘ ପକ୍ଷରୁ ଦାବି କରାଯାଇଥିଲା। ଏହା ବ୍ୟତୀତ ସ୍ୱତନ୍ତ୍ର ପରିବହନ ନୀତି ପ୍ରଣୟନ କରିବା, ମାଗଣା ପାର୍କିଂ, ସମସ୍ତ ଚାଳକଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥା ଲାଗୁ କରିବାକୁ ସଂଘ ଦାବି କରିଛି। ସଂଘର ଡାକରାକୁ ସମର୍ଥନ ଜଣାଇ ଅନ୍ୟ ସଂଗଠନମାନେ ମଧ୍ୟ ବନ୍ଦରେ ସାମିଲ ହୋଇଥିଲେ।

ବନ୍ଦ ଅବସରରେ ଅଟୋ ସଂଘଗୁଡ଼ିକର ଶତାଧିକ କର୍ମକର୍ତା ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆୟୋଜିତ ସଭାରେ ଦାବିଗୁଡ଼ିକ ଉପରେ ଆଲୋଚନା କରିଥିଲେ। ଏହାପରେ ଏକ ୫ଜଣିଆ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯାଇ ଦାବିପତ୍ର ପ୍ରଦାନ କରିଥିଲା। ସେହିପରି ପରିବହନ ମନ୍ତ୍ରୀ ଓ ସଚିବଙ୍କୁ ଭେଟି ଦାବି ଜଣାଇଥିଲେ। ସଂଘ ପକ୍ଷରୁ କୁହାଯାଇଛି ଯେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଦେଶୀ କମ୍ପାନି ପ୍ରୀତିକୁ ବନ୍ଦ କରନ୍ତୁ। ସରକାରଙ୍କ ଏପରି ବିଦେଶୀ କମ୍ପାନି ପ୍ରୀତି ରାଜ୍ୟର ଦେଢ଼ ଲକ୍ଷ ଅଟୋ ଓ ୧୨ ହଜାରରୁ ଊର୍ଦ୍ଧ୍ୱ ଟ୍ୟାକ୍ସି ଚାଳକଙ୍କ ଜୀବିକା ପ୍ରତି ବିପଦ ସୃଷ୍ଟି କରିଛି। ଯଦି ସରକାର ଦାବି ପୂରଣ ନେଇ କିଛି ପଦକ୍ଷେପ ନ ନିଅନ୍ତି ତେବେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର