ରାୟଗଡ଼ା: ଗତ ୨୦୧୦ ମସିହାରେ ଭାଗିରଥୀ ମାଣ୍ଡାଙ୍ଗି ଅପହରଣ କରି ହତ୍ୟା କରାଯିବା,୨୦୧୯ରେ ପୂର୍ବତନ ଜିଲ୍ଳା ପରିଷଦ ଅଧ୍ୟକ୍ଷ ପୁରୁଷୋତମ ଗମାଙ୍ଗଙ୍କୁ ଏବଂ ଏବେ ଆଦିବାସୀ ଝିଅ ଲକ୍ଷ୍ମୀ ମାଝିଙ୍କୁ ହତ୍ୟା କରାଯିବା ପରେ ମଧ୍ୟ ହତ୍ୟାକାରୀଙ୍କୁ ପୁଲିସ ଗିରଫ କରିବାରେ ବିଫଳ ହୋଇଛି। ଦୋଷୀକୁ ଗିରଫ ଦାବିରେ ଆଜି ସକାଳ ୬ରୁ ସଂଧ୍ୟା ୬ଘଂଟା ପର୍ଯ୍ୟନ୍ତ ୧୨ଘଂଟା ଧରି ରାୟଗଡା ଜିଲ୍ଳାରେ ବନ୍ଦ ପାଳନ କରାଯାଇଥିଲା। ଜିଲ୍ଲା ସଂପୂର୍ଣ୍ଣ ଠପ୍ ହୋଇଯାଇଥିଲା। ସ୍କୁଲ, କଲେଜ, ସରକାରୀ ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ ଇତ୍ୟାଦି ବନ୍ଦ ରହିଥିଲା।
ସ୍ଥାନୀୟ କପିଳାସ ଛକ ଠାରେ ଜିଲ୍ଳା ଆଦିବାସୀ ମହାସଂଘ ସଭାପତି କାଡ୍ରକା ଆପଲାସ୍ୱାମୀ, ଉପସଭାପତି ତଥା ଆବାହକ ବସନ୍ତ କୁମାର ଉଲ୍ଳାକାଙ୍କ ନେତୃତ୍ବରେ ଶହ ଶହ ଲୋକ ଏକତ୍ରିତ ହୋଇ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନରେ କାଳରାମ ମାଝି ମଧ୍ୟ ସାମିଲ ହୋଇ ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ। ତୁରନ୍ତ ତିନି ହତ୍ୟାକାରୀଙ୍କୁ ଗିରଫ କରିବାକୁ ସଂଘ ତରଫରୁ ସ୍ଲୋଗାନ ଦିଆଯାଉଥିଲା। ଜିଲ୍ଲାର ୧୧ଟି ବ୍ଲକରେ ଏହି ଆନ୍ଦୋଳନ ଜାରି ରହିଥିଲା। ବିଶେଷକରି କାଶୀପୁର ଅଂଚଳର ଝିଅ ହୋଇଥିବାରୁ ଏଠାରେ ମଧ୍ୟ ଆନ୍ଦୋଳନକୁ ତୀବ୍ରତର କରାଯାଇଥିଲା। ରାୟଗଡା ସହରର ସମସ୍ତ ଯିବାଆସିବା ବାଟକୁ ବନ୍ଦ କରିଦିଆଯାଇଥିଲା। ଦୋକାନୀମାନେ ମଧ୍ୟ ସଂପୂର୍ଣ୍ଣ ରୂପେ ନିଜ ନିଜ ଦୋକାନ ବନ୍ଦ କରିଦେଇଥିଲେ। ବସଗୁଡିକ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନେ ହଇରାଣ ହୋଇଥିଲେ। ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସେମାନଙ୍କୁ ପଡିଥିଲା। ସକାଳୁ ପ୍ରବଳ ଶୀତ ଅନୁଭୁତ ହେଉଥିଲେ ମଧ୍ୟ ଆଦିବାସୀ ମହାସଂଘର ସଦସ୍ୟମାନେ ଶୀତକୁ ଖାତିରି ନକରି ବନ୍ଦ ପାଳନକୁ ସଫଳ କରିବାକୁ ଆଗେଇ ଆସିଥିବା ଦେଖିବାକୁ ମିଳିଥିଲା।
ପ୍ରକାଶ ଥାଉକି ଗତ ୨୦୧୦ ମସିହା ଡିସେମ୍ବର ୧୫ତାରିଖରେ ଆଦିବାସୀ ଯୁବନେତା ଭାଗିରଥୀ ମାଣ୍ଡାଙ୍ଗିଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଓ ଆଦିବାସୀ ସମାଜ ପକ୍ଷରୁ ରାୟଗଡା ଥାନାରେ ଏତଲା ଦିଆଯାଇଥିଲା। ହତ୍ୟାକାଣ୍ଡରେ ରାୟଗଡା ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତାଙ୍କ ସଂପୃକ୍ତି ରହିଥିବା ନେଇ ଆଦିବାସୀ ମହାସଂଘ ଅଭିଯୋଗ କରି ଆସୁଛି। ସଂପୃକ୍ତ ନେତାଙ୍କ ରାଜନୈତିକ କ୍ଷମତା ବଳରେ ଆଜି ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇ ନାହିଁ ବୋଲି ମହାସଂଘ ଅଭିଯୋଗ କରିଛି। ଆଦିବାସୀ ମହାସଂଘ ନେତୃତ୍ୱରେ ବାରମ୍ବାର ସାମ୍ଭିଧାନିକ ଭାବରେ ଶାନ୍ତିପୂର୍ଣ୍ଣ ଭାବରେ ସରକାରଙ୍କ ଦ୍ୱାରସ୍ଥ ହୋଇ ଦୀର୍ଘ ୧୩ବର୍ଷ ବିତିଗଲାଣି।
ସେହିପରି ଜିଲ୍ଳାରେ ଭାଗିରଥୀ ମାଣ୍ଡାଙ୍ଗି ଭଳି ପୂର୍ବତନ ଜିଲ୍ଳା ପରିଷଦ ଅଧ୍ୟକ୍ଷ ପୁରୁଷୋତମ ଗମାଙ୍ଗଙ୍କ ମଧ୍ୟ ହତ୍ୟାକାଣ୍ଡର ଫର୍ଦ୍ଦାଫାସ କରିବାରେ ପୁଲିସ ବିଫଳ ହୋଇଥିବା ବେଳେ ଚଳିତ ମାସ ଡିସେମ୍ବର ୨୧ତାରିଖରେ ଚନ୍ଦ୍ରପୁରରେ ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଆଜକୁ ୧୫ ଦିନ ବିତିଯାଇଥିଲେ ମଧ୍ୟ ଘଟଣାରେ ସଂପୃକ୍ତ ହତ୍ୟାକାରୀଙ୍କୁ ପୁଲିସ ଗିରଫ କରି ପାରୁନାହିଁ। ଆଦିବାସୀ ମାଟିରେ ଆଦିବାସୀ ଯୁବତୀ ତଥା ସଂପ୍ରଦାୟର ଯୁବକଯୁବତୀଙ୍କୁ ହତ୍ୟା କରାଯାଉଛି। ହତ୍ୟାକାରୀକୁ ଗିରଫ କରିବାରେ ପୁଲିସ ବିଫଳ ହେଉଛି। ତେଣୁ ଆଦିବାସୀ ମହାସଂଘର ଏହି ପ୍ରତିବାଦ ଲଢେଇରେ ରାୟଗଡା ଜନସାଧାରଣ, ବ୍ୟବସାୟୀ ସଂଘ ଓ ସରକାରୀ ତଥା ବେସରକାରୀ, ଅନୁଷ୍ଠାନ, ବିଦ୍ୟାଳୟ, ଅନ୍ୟାନ୍ୟ ସମସ୍ତ ସଂଘ ବନ୍ଦ ପାଳନକୁ ସହଯୋଗ କରି ସ୍ବର୍ଗତ ଭାଗିରଥୀ ମାଣ୍ଡାଙ୍ଗି, ପୁରୁଷତ୍ତମ ଗମାଙ୍ଗ ଓ ଲକ୍ଷ୍ମୀ ମାଝିଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ମହାଂସଘ ନିବେଦନକୁ ଜନସାଧାରଣ ସମର୍ଥନ କରିଥିଲେ। ଏହି ବନ୍ଦ ଏକ ପ୍ରକାର ସଫଳ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/12-4.jpg)