ଏକତା ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ: କୁଡ଼ୁମୀ ଜାତିକୁ ଆଦିବାସୀ ମାନ୍ୟତା ଦାବି

ବାରିପଦା: କୁଡ଼ୁମୀ ଜାତିକୁ ଆଦିବାସୀ ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଛି। ବନ୍ଦପାଳନକୁ ସାରା ଜିଲ୍ଲାରେ ଅଭୂତପୂର୍ବ ସମର୍ଥନ ମିଳିଥିଲା। ବାରିପଦା ଭଞ୍ଜପୁର ଷ୍ଟେସନ୍‌ଠାରେ ରେଳରୋକ କରିଥିଲେ କୁଡ଼ୁମୀ ଏକତା ମଞ୍ଚର କର୍ମକର୍ତ୍ତା। ଏହାଛଡ଼ା ବେତନଟୀ, ବାଙ୍ଗିରିପୋଷି, କୁଳିଅଣା, କରଞ୍ଜିଆ, ରାଇରଙ୍ଗପୁର, ଯଶିପୁର ସମେତ ୨୬ଟି ବ୍ଲକ୍‌ ମହକୁମାରେ ରାଜପଥ ଅବରୋଧ କରି ତଥା ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇ କୁଡୁମୀଙ୍କୁ ପୁନଃ ଆଦିବାସୀ ବର୍ଗରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଆନ୍ତରିକତା ଦେଖାନ୍ତୁ ବୋଲି ସଙ୍ଗଠନ ପକ୍ଷରୁ ଦାବି କରାଯାଇଥିଲା।

କୁଡୁମୀଙ୍କୁ ଏସ୍‌ଟି ତାଲିକାଭୁକ୍ତ କରିବା ଲାଗି କୌଣସି ସର୍ଭେ ଆଳ ନକରି କେନ୍ଦ୍ର ସରକାରଙ୍କୁ ସିଧାସଳଖ ସୁପାରିସ କରନ୍ତୁ ରାଜ୍ୟ ସରକାର। ଆସନ୍ତା ନିର୍ବାଚନ ପୂର୍ବରୁ ଏ ବିଷୟରେ ଗମ୍ଭୀରତାର ସହ ବିଚାର କରାଯାଉ। ଏଥିରେ କୌଣସି ଛଳ କଲେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି କୁଡ଼ୁମୀ ଏକତା ମଞ୍ଚର ଆବାହକ ତଥା ରାଜ୍ୟ କୁଡୁମୀ ସମାଜର ସଭାପତି ମନୋଜ କୁମାର ମହାନ୍ତ ଚେତାବନୀ ଦେଇଛନ୍ତି। ଜିଲ୍ଲା ସଭାପତି ନିରଞ୍ଜନ ମହାନ୍ତ, ରାଜ୍ୟ ସଂଯୋଜକ ସଞ୍ଜୀବ ମହାନ୍ତ, କୁଡ଼ୁମାଲି ସାଂସ୍କୃତିକ ସଂଘର ସଭାପତି ଡ.ଭକ୍ତହରି ମହାନ୍ତ ଓ ସମ୍ପାଦକ ଚିତ୍ତରଞ୍ଜନ ମହାନ୍ତ, କୁଡୁମୀ ମହାନ୍ତ ମହାସଭାର ସଭାପତି ଗୋପବନ୍ଧୁ ମହାନ୍ତ, ସମ୍ପାଦକ ବସନ୍ତ ମହାନ୍ତ, କୋଷାଧ୍ୟକ୍ଷ ଛୋଟେଲାଲ୍‌ ମହାନ୍ତ, ଓଡ଼ିଶା କୁଡୁମୀ ସେନାର ଜିଲ୍ଲା ସଭାପତି ଦୁର୍ଗା ମହାନ୍ତ, କୁଡ଼ୁମୀ ଯୁବ ଛାତ୍ର ସଂଗଠନର ସଭାପତି ପୂର୍ଣ୍ଣ ମହାନ୍ତ ଓ ସମ୍ପାଦକ ଧର୍ମେନ୍ଦ୍ର ମହାନ୍ତ ପ୍ରମୁଖ ଜିଲ୍ଲାବ୍ୟାପୀ ଆନ୍ଦୋଳନର ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର