କଟକ : ବ୍ରେନ୍ ଷ୍ଟ୍ରୋକ୍ରେ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ପରେ ବି ଶବର ଚିକିତ୍ସା ଚାଲିଥିଲା। ପ୍ରାୟ ୧୨ ଘଣ୍ଟା କାଳ ଶବକୁ ଔଷଧ ଓ ଇଞ୍ଜେକ୍ସନ ଦିଆଯାଉଥିଲା। ବ଼ଡ଼ ମେଡିକାଲ୍ରୁ ଏକ ଘରୋଇ ହସପିଟାଲ୍କୁ ସ୍ଥାନାନ୍ତର କରି ନେଇଥିବା ଜଣେ ରୋଗୀଙ୍କୁ ଏଭଳି ଚିକିତ୍ସା ଚାଲିଥିବା ଅଭିଯୋଗ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମଙ୍ଗଳାବାଗ ଥାନା ଏହି ମାମଲାରେ ଅନ୍ନପୂର୍ଣ୍ଣା ହସପିଟାଲ୍ରେ ଚଢ଼ଉ କରି ଦଲାଲି କାର୍ଯ୍ୟରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ନପୂର୍ଣ୍ଣା ହସପିଟାଲ୍ର ମ୍ୟାନେଜମେଣ୍ଟ ଷ୍ଟାଫ୍ ମଧୁପାଟଣା ତିନିଘରିଆର ଶକ୍ତି ରଞ୍ଜନ ମହାରଣା(୨୩) ଏବ˚ ଫାର୍ମାସିଷ୍ଟ ଭାବେ କାର୍ଯ୍ୟ କରୁଥିବା କେନ୍ଦୁଝର ରାମଚନ୍ଦ୍ରପୁରର ଦେବାଶିଷ ବେହେରା(୨୪)କୁ ମଙ୍ଗଳାବାଗ ଥାନା ପୁଲିସ ଗିରଫ କରିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ନପୂର୍ଣ୍ଣା ହସପିଟାଲ୍କୁ ସିଲ୍ କରି ଦିଆଯାଇଛି। ପରବର୍ତ୍ତି ପଦକ୍ଷେପ ଜିଲ୍ଲାପାଳଙ୍କ ପକ୍ଷରୁ ଗ୍ରହଣ କରାଯିବ। ଅନ୍ୟପଟେ ମୃତ ରୋଗୀଙ୍କ ଶବ ଉଦ୍ଧାର କରି ବଡ଼ ମେଡିକାଲ୍ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ଝାଡ଼ଖଣ୍ତ ପଶ୍ଚିମ ସି˚ଘଭୂମିର ମଞ୍ଜୁ କରୁଆଙ୍କ ଭଉଣୀ ଗୌରୀ କରୁଆଙ୍କ ଉଚ୍ଚ ରକ୍ତଚାପ ଏବ˚ ବ୍ରେନ୍ ଷ୍ଟ୍ରୋକ୍ ଯୋଗୁ ଗଲା ମାର୍ଚ୍ଚ ୩୦ ତାରିଖରେ ତାଙ୍କୁ ଚମ୍ପୁଆ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରଙ୍କ ପରାମର୍ଶକ୍ରମେ ଗୌରୀଙ୍କୁ ବଡ଼ ମେଡିକାଲ୍କୁ ସେଦିନ ସନ୍ଧ୍ୟା ପ୍ରାୟ ୬ଟା ବେଳେ ସ୍ଥାନାନ୍ତର କରାଯାଇଥିଲା। ବଡ଼ ମେଡିକାଲ୍ କାଜୁଆଲିଟିରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ଦଲାଲ ମଞ୍ଜୁଙ୍କ ସହିତ ଯୋଗାଯୋଗରେ ଆସିଥିଲା। ଅଳ୍ପ ଖର୍ଚ୍ଚରେ ଚିକିତ୍ସା କରାଇଦେବାର ପ୍ରଲୋଭନ ଦେଖାଇ ମଙ୍ଗଳାବାଗସ୍ଥିତ ଅନ୍ନପୂର୍ଣ୍ଣା ହସପିଟାଲ୍କୁ ଏକ ଘରୋଇ ଆମ୍ବୁଲାନ୍ସ ମାଧ୍ୟମରେ ସ୍ଥାନାନ୍ତର କରାଯାଇଥିଲା। ଗଲା ୩ ତାରିଖ ବିଳମ୍ବିତ ରାତିରେ ଗୌରୀଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ବୋଲି ଘୋଷଣା ନକରି ୪ ତାରିଖରେ ଅବଶିଷ୍ଟ ୮୦ ହଜାର ଟଙ୍କା ହସପିଟାଲ୍ କର୍ତ୍ତୃପକ୍ଷ ଦାବି କରିଥିଲେ। ଗୌରୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଜାଣିବା ପରେ ଶବ ହସ୍ତାନ୍ତର ପାଇଁ ଦାବି କରିଥିଲେ। କିନ୍ତୁ ଅବଶିଷ୍ଟ ୮୦ ହଜାର ଟଙ୍କା ବକେୟା ନ ଦେଲେ ଶବ ଛାଡ଼ିବା ନେଇ କହିଥିଲେ ହସପିଟାଲ୍ କର୍ତ୍ତୃପକ୍ଷ। ଏ ସ˚କ୍ରାନ୍ତରେ ମଞ୍ଜୁ ୪ ତାରିଖରେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରିବା ପରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆସିଥିଲା। ୩ ତାରିଖ ବିଳମ୍ବିତ ରାତିରେ ଗୌରୀଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ୧୨ ଘଣ୍ଟା କାଳ ଗୌରୀଙ୍କ ଶବକୁ ହସପିଟାଲ୍ ବେଡ୍ରେ ପକାଇ ରଖାଯାଇଥିଲା। ୪ ତାରିଖ ଦିନ ପ୍ରାୟ ୨ଟା ବେଳେ ହସପିଟାଲ୍ ପକ୍ଷରୁ ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା। ଆଜି ଦିନ ପ୍ରାୟ ୧୨ଟା ବେଳେ କମିସନରେଟ୍ ପୁଲିସ ଓ ସିଏମ୍ଓ ଅଫିସର ଏକ ମିଳିତ ଟିମ୍ ହସପିଟାଲ୍ରେ ଚଢ଼ଉ କରିଥିଲା। ଏହି ମାମଲାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ହସପିଟାଲ୍କୁ ସିଲ୍ କରିଦିଆଯାଇଛି।