ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଓ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ: ଇସ୍ପାତ ସହର ୧୨ ଘଣ୍ଟା ଠପ୍‌

ରାଉରକେଲା: ରାଉରକେଲାକୁ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ଓ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ରାଉରକେଲା ଓକିଲ ସଂଘ ପକ୍ଷରୁ ଡାକରା ଦିଆ ଯାଇଥିବା ୧୨ ଘଣ୍ଟିଆ ରାଉରକେଲା ବନ୍ଦ ଶାନ୍ତିପୂର୍ଣ୍ଣ ରହିଥିଲା। ସକାଳ ୬ଟାରୁ ଆରମ୍ଭ ହୋଇଥିବା ବନ୍ଦ ପାଳନ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିଥିଲା। ଆନ୍ଦୋଳନରେ ଜିଲ୍ଲା କଂଗ୍ରେସ, ବିଜେପି, ସିଆଇଟିୟୁ, ବିଏସ୍‌ପି ଓ ରାଉରକେଲା ବଣିକ ସଂଘ ସମେତ ସହରର ବିଭିନ୍ନ ସାମାଜିକ ସଙ୍ଗଠନ କର୍ମକର୍ତ୍ତା ସାମିଲ ହୋଇଥିଲେ। ବନ୍ଦର ପ୍ରଭାବରେ ସହରର ସମସ୍ତ ଦୋକାନ ବଜାର, ବାଣିଜ୍ୟିକ ପ୍ରତି‌ଷ୍ଠାନ, ସରକାରୀ ଅଫିସ, ବ୍ୟାଙ୍କ, ସ୍କୁଲ, କଲେଜ ଓ ପେଟ୍ରୋଲ ପମ୍ପ ବନ୍ଦ ରହିଥିଲା। ତିନି ଚିକିଆ ‌ ଅଟୋ, ବସ୍‌, କାର, ଟାଉନବସ୍‌ ସମେତ ସାଧାରଣ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ଯାତ୍ରୀମାନଙ୍କୁ ନାନା ଦହଗଞ୍ଜ ହେବାକୁ ପଡିଥିଲା। ବି‌େଶଷ କରି ରାଉର‌େକଲାରୁ ସୁନ୍ଦରଗଡ଼, ଦେବଗଡ, କେନ୍ଦୁଝର ସମେତ ପଡୋଶୀ ଝାଡ଼ଖଣ୍ଡ, ବିହାରକୁ ଯାତାୟତ କରୁଥିବା ସମସ୍ତ ଯାତ୍ରୀବାହୀ ବସ୍‌ ସଂଧ୍ୟାରେ ନୂଆ ବସ୍‌ଷ୍ଟାଣ୍ଡରେ ଅଟକି ରହିଥିଲା। ଓକିଲ ସଂଘର ସଭାପତି ସତ୍ୟ ଶର୍ମା ଓ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ସାହୁଙ୍କ ନେତୃତ୍ବରେ ଶତାଧିକ ଆଇନଜୀବୀ ପାନପୋଷ ବ୍ରିଜ ଓ ଗାନ୍ଧିଛକରେ ଟାୟାର ଜାଳି ୧୪୩ ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଓକିଲ ସଂଘର କର୍ମକର୍ତ୍ତାମାନେ ପୃଥକ ପୃଥକ ଭାବେ ବନ୍ଧମୁଣ୍ଡା, ଲାଠିକଟା, ବେଦବ୍ୟାସ ଛକ, ଫର୍ଟିଲାଇଜର୍‌ ରଙ୍ଗିଲାଛକ, ବିର୍ସା ଛକ, ସେକ୍ଟର-୭/୧୭ଛକ, ସେକ୍ଟର-୧୯ ଆମ୍ବାଗାନ ଛକ, ଉଦିତନଗର ବିରଜାପାଲିସ୍ଥିତ କୋର୍ଟ ସମ୍ମୁଖ ରାଉରକେଲା ମୁଖ୍ୟ ରାସ୍ତା ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ୧୨ ପ୍ଲାଟୁନ ପୁଲିସ୍‌‌ ଫୋର୍ସ ମୁତୟନ ହୋଇଥିଲେ। ସହରର ସମ୍ବେଦନଶୀଳ ସ୍ଥାନ ଓ ପ୍ରମୁଖ ଛକଗୁଡ଼ିକରେ ବ୍ୟାପକ ପୁଲିସ ପଇଁତରା ମାରୁଥିବାର ଦେଖା ଯାଇଥିଲା।

ସମ୍ବନ୍ଧିତ ଖବର