ଭୁବନେଶ୍ବର/ସମ୍ବଲପୁର: ସମ୍ବଲପୁର ଘଟଣାର ପ୍ରତିବାଦରେ ବିଶ୍ବ ହିନ୍ଦୁ ପରିଷଦ ଓଡ଼ିଶା ପଶ୍ଚିମ ପ୍ରାନ୍ତ ତରଫରୁ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ୧୦ ଓ ଅବିଭକ୍ତ କୋରାପୁଟର ୪ ଜିଲ୍ଲାକୁ ମିଶାଇ ମୋଟ ୧୪ ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଛି।

Advertisment

ଏହି ବନ୍ଦର ଡାକରାର ପ୍ରଭାବରେ ଆଜି ସକାଳୁ ବିଭିନ୍ନ ସ୍ଥାନରେ ଦୋକାନବଜାରରୁ ନେଇ ଗାଡ଼ିମଟର ଚଳାଚଳ ବନ୍ଦ ‌ହୋଇଛି। ଭବାନୀପାଟଣା ସହରରେ ବସ୍‌ ଚଳାଚଳ ବନ୍ଦ ହୋଇଥିବା ବେ‌ଳେ ବଣାଇ ରାଜମୁଣ୍ଡା ବାଇପାସ୍‌ରେ ଏନ୍‌ଏଚ୍‌ ଅବରୋଧ ହୋଇଛି। ଝାରସୁଗୁଡ଼ାର ପ୍ରମୁଖ ଛକରେ ଆନ୍ଦୋଳନକାରୀମାନେ ଅବରୋଧ କରିଥିବା ବେଳେ କର୍ଫ୍ୟୁ କୋହଳ ସତ୍ତ୍ବେ ସମ୍ବଲପୁରରେ ବି ବନ୍ଦର ପ୍ରଭାବ ରହିଛି। ଦେବଗଡ଼ ଜିଲ୍ଳାରେ ପିକେଟିଂ ସହ ଦୋକାନ ବଜାର ବନ୍ଦ ରହିଛି ଓ ବଲାଙ୍ଗିର ମୁଖ୍ୟ ଡାକଘରେ ଆନ୍ଦୋଳନକାରୀ ତାଲା ପକାଇ ଦେଇଛନ୍ତି। ସୁନ୍ଦରଗଡ଼ର ୨ଟି ସ୍ଥାନରେ ବିଜୁ ଏକ୍ସପ୍ରେସ ୱେ ଅବରୋଧ ହୋଇଥିବା ବେ‌ଳେ ମାଲକାନଗିରି ଓ ନୂଆପଡ଼ାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଭିଏସ୍‌ଏସ୍‌ ମାର୍ଗ ଓ ଗୋଲବଜାର ଛକରେ ବି ଦୋକାନ ବଜାର ବନ୍ଦ ରହିଛି।

publive-image

ସୂଚନା ଅନୁସାରେ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରିରେ ବନ୍ଦ ଡାକରା ଦିଆଯାଇଛି। ବୁଧବାର ଦିନ ଏହି ୧୪ ଜିଲ୍ଲାରେ ଦୋକାନ, ବଜାର, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରାଯିବ ବୋଲି ବିଶ୍ବ ହିନ୍ଦୁ ପରିଷଦ, ଓଡ଼ିଶା ପଶ୍ଚିମ ପ୍ରାନ୍ତର ସଂପାଦକ ଭକ୍ତଚରଣ ସାହୁ ସୂଚନା ଦେଇଛନ୍ତି। ବିଜେପି ସହିତ ବଜରଙ୍ଗ ଦଳ ବି ବନ୍ଦକୁ ସମର୍ଥନ କରିଛି।