ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ତେଜିଲା : ୧୨ ଘଣ୍ଟିଆ ଭଦ୍ରକ ବନ୍ଦ

ଭଦ୍ରକ : ଭଦ୍ରକ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଆଜି ୧୨ ଘଣ୍ଟିଆ ଭଦ୍ରକ ଜିଲ୍ଲା ବନ୍ଦ ସଫଳ ହୋଇଛି। ରେଳ ଷ୍ଟେସନ, ବସ୍‌ଷ୍ଟାଣ୍ଡ, ଜାତୀୟ ରାଜପଥ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଭଦ୍ରକ କୋର୍ଟ, ସ୍କୁଲ, କଲେଜ, ପୋଷ୍ଟ ଅଫିସ୍ ଓ ବ୍ୟାଙ୍କ ସବୁ ବନ୍ଦ କରାଯାଇଥିଲା। ଭଦ୍ରକ ସହରର ସମସ୍ତ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ହୋଇଯାଇଥିବାରୁ ସାରା ସହର ଶୂନ୍‌ଶାନ୍‌ ହୋଇଯାଇଥିଲା। ଜିଲ୍ଲାର ଭଦ୍ରକସଦର, ବନ୍ତ, ଧାମନଗର, ବାସୁଦେବପୁର, ତିହିଡି, ଚାନ୍ଦବାଲି, ଭଣ୍ଡାରିପୋଖରୀ ଆଦି ୭ଟି ବ୍ଲକ ଓ ଧାମନଗର, ଚାନ୍ଦବାଲି, ବାସୁଦେବପୁର ଆଦି ୩ଟି ପୌରାଞ୍ଚଳରେ ମଧ୍ୟ ବନ୍ଦ ଶାନ୍ତିପୂର୍ଣ୍ଣ ହୋଇଛି। ବିଭିନ୍ନ ସ୍ଥାନରେ ମୋଟର ସାଇକେଲ ଶୋଭାଯାତ୍ରା, ପଦଯାତ୍ରା ଓ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଛକ ଓ ବିଭିନ୍ନ ସରକାରୀ ଅଫିସ୍ ଆଗରେ ବନ୍ଦ ପାଳନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ନାରାଜାବି ଦେଇ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ଘୋଷଣା ନ କଲେ ଆଗାମୀ ଦିନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଥିଲେ।

ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଗତ ତିନି ମାସ ହେଲା ଭଦ୍ରକ ମେଡିକାଲ କଲେଜ ସଂଗ୍ରାମୀ ସେନା ଓ ଜିଲ୍ଲା ଉନ୍ନୟନ ସଂଘର୍ଷ ସମିତି ପକ୍ଷରୁ ଦାବି କରାଯାଇଥିଲା। ଏଥିପାଇଁ ଧାରଣା, ଧର୍ମଘଟ, ଦସ୍ତଖତ ସଂଗ୍ରହ ଅଭିଯାନ ଠାରୁ ଆରମ୍ଭ କରି ବ୍ଲକ ଘେରାଉ ଓ ଜିଲ୍ଲାପାଳଙ୍କ ଅଫିସ ମଧ୍ୟ ଘେରାଉ କରାଯାଇଥିଲା। ରାଜ୍ୟ ସରକାରଙ୍କୁ ଏ ନେଇ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହା ସତ୍ତ୍ବେ ରାଜ୍ୟ ସରକାର ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ କୌଣସି ସବୁଜ ସଙ୍କେତ ଦେଲେ ନାହିଁ। ଶେଷରେ ସଂଗ୍ରାମୀ ସେନା ଓ ଉନ୍ନୟନ ସଂଘର୍ଷ ସମିତି ଭଦ୍ରକ ବନ୍ଦ ଡାକରା ଦେଇଥିଲା। ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରାକୁ ଭଦ୍ରକ ଜିଲ୍ଲାର ସବୁ ରାଜନୈତିକ ଦଳ ସମର୍ଥନ ଦେଇ ଆଜି ଆନ୍ଦୋଳନରେ ସାମିଲ ହୋଇଥିଲେ। କଂଗ୍ରେସ, ବିଜେଡି, ବିଜେପି, ସିପିଆଇଏମ, ସିପିଆଇ, ସିଟୁ, ସିପିଆଇଏମ, ଆମ ଆଦମୀ ପାର୍ଟି, ବହୁଜନ ସମାଜ ପାର୍ଟିଠାରୁ ଆରମ୍ଭ କରି ଭଦ୍ରକର କିନ୍ନର ସଂଘ ମଧ୍ୟ ବନ୍ଦରେ ସାମିଲ ହୋଇ ମେଡିକାଲ କଲେଜ ପ୍ରତିଷ୍ଠା ଦାବି କରିଥିଲେ।

ସମ୍ବନ୍ଧିତ ଖବର