ସୁନ୍ଦରଗଡ଼/ରାଉରକେଲା: ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସ୍‌ଆଇ ଆଲିଶ ନାରମି ଲୁଗୁନଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ ଓ ହତ୍ୟାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ନେଇ ଗୁରୁବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେପି ମହିଳା ମୋର୍ଚ୍ଚା ଓ ଆଦିବାସୀ ମୋର୍ଚ୍ଚା। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଇଥିବାବେଳେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ବ୍ୟାବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ ବନ୍ଦ ରହିଛି। ସେହିପରି ସମସ୍ତ ଗାଡ଼ିମଟର ଚଳାଚଳ ମଧ୍ୟ ବନ୍ଦ ରହିଛି। ସକାଳୁ ସୁନ୍ଦରଗଡ଼ ସହରରେ ବିଜେପି ମହିଳା ମୋର୍ଚ୍ଚା ଓ ଦଳର କର୍ମକର୍ତ୍ତା ପିକେଟିଂ କରି ଛୋଟ ବଡ଼ ଦୋକାନଗୁଡ଼ିକୁ ବନ୍ଦ କରୁଥିବା ଦେଖାଯାଇଥିଲା।। ତେବେ ଜରୁରୀକାଳୀନ ସେବା ଖୋଲା ରହିଛି।

Advertisment

publive-image

ରାଉରକେଲା ସମେତ ଜିଲ୍ଲାର ସୁନ୍ଦରଗଡ଼, ବଣାଇ, ଗୁରୁଣ୍ଡିଆ, ଲହୁଣୀପଡ଼ା, କୋଇଡ଼ା, ବୀରମିତ୍ରପୁର, ରାଜଗାଙ୍ଗପୁର ଆଦି ଅଞ୍ଚଳରେ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି। ଦୋକାନ ବଜ଼ାର ବନ୍ଦ ରହିଥିବା ବେଳେ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବନ୍ଦ ପ୍ରଭାବରେ ବିଭିନ୍ନ ଅଞ୍ଚଳର ଜାତୀୟ ରାଜପଥ ଦୁଇ ପାର୍ଶ୍ୱରେ ଗାଡ଼ିମଟର ଅଟକି ରହିଥିବାବେଳେ ବସ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଉଲ୍ଲେଖଯୋଗ୍ୟ, ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ମହିଳା ଏଏସ ଆଇ ଆଲିଶ ନାରାମି ଲୁଗୁନଙ୍କ ମୃତ୍ୟୁକୁ ନେଇ ଜିଲ୍ଲାରେ ଉତ୍ତେଜନା ଲାଗିରହିଛି। ଦୁଇ ଆଦିବାସୀ ମହିଳା ଅଧିକାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଆଦିବାସୀ ତାତି ଉଠିଛନ୍ତି। ସହକାରୀ ଜିଲ୍ଲାପାଳ ସୁସ୍ମିତା ଲୁଗୁନଙ୍କ ମାମଲାରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବିଡିଓ, ସିଡିପିଓଙ୍କ ସମ୍ପୃକ୍ତି ଥିବା ତାଙ୍କ ଭାଇ ଅଭିଯୋଗ କରି ଆସୁଛନ୍ତି। କିନ୍ତୁ ଏଯାଏ ପୁଲିସ ଏତଲା ଗ୍ରହଣ କରିନାହିଁ। ଅନ୍ୟପଟେ ଏଏସଆଇଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଉପରେ ପୁଲିସ ମାମଲା ରୁଜୁ କରି ୨ ଜଣଙ୍କୁ ଗିରଫ କରି ତଦନ୍ତ ଚଲାଇଛି। ରାଉରକେଲାରେ ଏକ ବସ- କାର ଦୁର୍ଘଟଣାକୁ ନେଇ ଉପୁଜିଥିବା ଗଣ୍ଡଗୋଳ ଖବର ପାଇ ଉଦିତନଗର ଥାନାର ପୁଲିସ ଅଧିକାରୀ ଘଟଣାସ୍ଥଳକୁ ଯାଇଥିବାବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ରହିଛି।