ପୂର୍ବଶତ୍ରୁତାକୁ କେନ୍ଦ୍ର କରି ପୁଲିସ ସାମ୍‌ନାରେ ହଣାହଣି, ୧୨ ଆହତ, ୩ ଗୁରୁତର

ବାଲିପାଟଣା : ବାଲିପାଟଣା ଥାନା ମାର୍ଥାପୁର ଗାଁ’ରେ ଆଜି ରାତି ୮ଟା ସମୟରେ ଗୋଷ୍ଠୀ ସଙ୍ଘର୍ଷରେ ୧୨ ଜଣ ଗୁରୁତର ହୋଇଛନ୍ତି | ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହଣାକଟା ହୋଇଛି | ଗତକାଲି ଗୋଟିଏ ପକ୍ଷରୁ ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲା ଦାୟର ହୋଇଥିଲା | ଆଜି ରାତି ୮ ଟା ସମୟରେ ପୁଲିସ ପିସିଆର ସାମ୍ନାରେ ଉଭୟ ପକ୍ଷ ଫାର୍ସା, ଖଣ୍ଡା, ଟାଙ୍ଗିଆ, କୋଦାଳ ବେଣ୍ଟ, ବାଉଁଶ ଫାଳିଆରେ ଆକ୍ରମଣ ପ୍ରତିଆକ୍ରମଣ କରିଥିଲେ | ଆହତ ବ୍ୟକ୍ତିମାନଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ଗୁରୁତର ମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି |

ସୂଚନା ଆଧାରରେ, ବାଲିପାଟଣା ଥାନା ମାର୍ଥାପୁର ଗ୍ରାମର ସଞ୍ଜୟ ଭୋଇ ଏବଂ ହେମ ଭୋଇଙ୍କ ପରିବାର ମଧ୍ୟରେ ପୂର୍ବରୁ ଜମି ବାଡ଼ି ଗଣ୍ଡଗୋଳ ଲାଗି ରହିଥିଲା | ଭଦ୍ରଲୋକଙ୍କ ଉପସ୍ଥିତିରେ ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା | ହେମଙ୍କ ପରିବାର ବିବାଦୀୟ ଜମି ଉପରେ ବାଡ ବୁଜିଥିଲେ | ଗତ ୨ ଦିନ ତଳେ ସଞ୍ଜୟଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ହେମଙ୍କ ନାମରେ ବାଲିପାଟଣା ଥାନାରେ ଅଭିଯୋଗ ହୋଇଥିଲା | ପୁଲିସ ଆଜି ଉଭୟ ପକ୍ଷଙ୍କୁ ଥାନାକୁ ଡକାଇଥିଲା | ହେଲେ ଅପର ପକ୍ଷ ଥାନାକୁ ଆସିନଥିଲେ ଏବଂ ଗାଁରେ ଶୋଧା ଗାଳି କରି ମାରଣାସ୍ତ୍ର ଧରି ବୁଲିଥିଲେ | ତେଣୁ ସଞ୍ଜୟଙ୍କ ପରିବାର ଭୟରେ ପାଖ ଗାଁ ସମ୍ପର୍କିୟଙ୍କ ଘରେ ଆଶ୍ରୟ ନେଇଥିଲେ | ପୁଲିସ ଉପସ୍ଥିତିରେ ଗାଁ କୁ ଆସିଥିଲେ। ସେହି ସମୟରେ ଉଭୟ ପକ୍ଷ ପୁଣି ଗଣ୍ଡଗୋଳ ଆରମ୍ଭ କରିଦେଇଥିଲେ ଏବଂ ଠେଙ୍ଗା, ଭୁଜାଲି, ଫାର୍ସା, ଖଣ୍ଡା, କୋଦାଳ ବେଣ୍ଟ ଏପରି ଅନେକ ମାରଣାସ୍ତ୍ରରେ ହଣାକଟା ହୋଇଥିଲେ |

ଏହି ଗଣ୍ଡଗୋଳରେ ଗୋଟିଏ ପକ୍ଷରୁ ମିଟୁ ଭୋଇ (୨୬), ମିଟୁ ଭୋଇ( ୩୨), ସଞ୍ଜୟ ଭୋଇ (୩୬), ମାନୁ ଭୋଇ (୨୮), ଲୁନା ଭୋଇ ଆହତ ହୋଇଥିବା ବେଳେ ଅପର ପକ୍ଷରୁ ହେମ ଭୋଇ (୩୫), ଛବି ଭୋଇ (୫0), ଦିଜ ଭୋଇ (୬0),ନବଘନ ଭୋଇ (୪୫), ପ୍ରସନ ଭୋଇ( ୩୫), ପାଣୁ ଭୋଇ (୬0) ବୋଲି ଜଣାପଡିଛି | ଗଣ୍ଡଗୋଳରେ ହାତ, ମୁଣ୍ଡରେ ଆଘାତ ଲାଗିଛି | ଗୁରୁତର ମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର