ବାତ୍ୟାରେ ଭାଙ୍ଗି ଯାଇଥିବା ଗଛ ନିଲାମକୁ ନେଇ ରକ୍ତାକ୍ତ ସଂଘର୍ଷ, ଫାର୍ସା ଚୋଟରେ ୧୨ ଆହତ

ଭାପୁର/ଖଣ୍ଡପଡ଼ା : ଭାପୁର ବ୍ଲକ୍ ଭଗବାନପୁର ପଞ୍ଚାୟତ ଅନ୍ତର୍ଗତ ଲୁଣିଆଉଟି ଗ୍ରାମରେ ‘ଫନି’ ପ୍ରଭାବରେ ଭାଙ୍ଗି ଯାଇଥିବା ଗଛ ନିଲାମକୁ ନେଇ ଗାଁରେ ରକ୍ତାକ୍ତ ସଂଘର୍ଷ ହୋଇଥିବା ଜଣାପଡ଼ିଛି। ଫାର୍ସା ଚୋଟରେ ଲୁଣିଆଉଟି ଗ୍ରାମର ବିକ୍ରମ ରାଉତ, ମକରା ରାଉତ, ଦିଲୀପ ପ୍ରଧାନ, ବନ୍ଦିଆ ପ୍ରଧାନ, ସିଲୁ ରାଉତ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଥିବା‌ବେଳେ ଶଙ୍କର ରାଉତ, ଗୋବର୍ଦ୍ଧନ ଜେନା, ମହରଗି ପ୍ରଧାନ, ଅଚ୍ୟୁତ ପ୍ରଧାନ, ରବିନ୍ଦ୍ର ପ୍ରଧାନ, ଭଗବାନ ପ୍ରଧାନ, ଭୀମସେନ ପ୍ରଧାନ ଓ ପୀତବାସ ରାଉତ ପ୍ରମୁଖ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି। ତେବେ ଉଭୟ ପକ୍ଷରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଥାନାରେ ଲିଖିତ ଅଭିଯୋଗ ହୋଇ ନ ଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଫନି ପ୍ରଭାବରେ ଲୁଣି ଆଉଟି ଗ୍ରାମରେ କିଛି ଆମ୍ବ, ଶିରୀଷ ଓ ଟିଣିଆ ଗଛ ଭାଙ୍ଗି ଯାଇଥିଲା। ଭାଙ୍ଗି ଯାଇଥିବା ଗଛକୁ ଗ୍ରାମ ସଭାପତି ମଧୁସୂଦନ ପ୍ରଧାନ, ୱାର୍ଡ ସଭ୍ୟ ଶଙ୍କର ଦାସ ଓ କମିଟି ସଭ୍ୟ ଚୈତନ୍ୟ ପ୍ରଧାନ ପ୍ରମୁଖ ଗାଁର କିଛି ଲୋକଙ୍କୁ ୭ ହଜାର ୨ ଶହ ଟଙ୍କାରେ ନିଲାମ ଦେଇଥିଲେ। ନିଲାମ କାର୍ଯ୍ୟ ଶେଷ ହେବା ପରେ ଯିଏ ଯାହାର ଗଛ ନେଇ ଘରକୁ ଫେରିବା ପରେ ଗାଁରେ ବିଶୃଙ୍ଖଳା ଆରମ୍ଭ ହୋଇଥିଲା। ଏପରିକି କିଛି ଲୋକ ନିଲାମକୁ ବେଆଇନ ଦର୍ଶାଇ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନିଲାମଧାରୀ ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ଓ ହୋହଲ୍ଲା କରିଥିଲେ। ଶେଷରେ ଗଣ୍ଡଗୋଳ ଏପରି ରୂପ ଧାରଣ କଲା ଯେ, ଫାର୍ସା ଚୋଟରେ ଉଭୟ ପକ୍ଷରୁ ବେକ, ହାତ, ଗୋଡ, ମୁଣ୍ଡ, ଜଙ୍ଘ, ପିଠି ଓ ଆଣ୍ଠୁ ଆଦିରେ ଖଣ୍ଡିଆ ଖାବରା ହୋଇ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର