କବିସୂର୍ଯ୍ୟନଗର/ପାଟପୁର: ଗଞ୍ଜାମ ଜିଲ୍ଲାରେ ଆଜି ଅପରାହ୍‌ଣରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସାଙ୍ଗକୁ ଝଡ଼ିପବନ ଓ ବର୍ଷା ହୋଇଥିଲା। ଏ ସମୟରେ କବିସୂର୍ଯ୍ୟନଗର ବ୍ଲକ୍ ବୋରସିଙ୍ଗି ଗ୍ରାମରେ ବଜ୍ରାଘାତରେ ୪ ଦଣ୍ଡୁଆଙ୍କ ସମେତ ୧୨ ଜଣ ଆହତ ହୋଇଛନ୍ତି। ଗ୍ରାମର ଆଜି ଜ‌ଣେ ମାନସିକଧାରୀଙ୍କ ପକ୍ଷରୁ କନିଆରି ଗ୍ରାମ ଦଣ୍ଡପୁଞ୍ଜାକୁ ଦଣ୍ଡନାଚ ପାଇଁ ଆମନ୍ତ୍ରଣ କରା ଯାଇଥିଲା। ଦଣ୍ଡୁଆମାନେ ଧୂଳିଦଣ୍ଡ ସାରି ଅପରାହ୍‌ଣ ୩ଟାରେ ପୋଖରୀରେ ପାଣିଦଣ୍ଡ ଭାଙ୍ଗୁଥିବା ବେଳେ ହଠାତ୍ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରାଘାତ ହୋଇଥିଲା। ଫଳରେ ଦଣ୍ଡୁଆଙ୍କ ସମେତ ମାନସିକଧାରୀଙ୍କ ପରିବାରବର୍ଗ ଓ ଗ୍ରାମବାସୀ ଏହାର ସଂସ୍ପର୍ଶରେ ଆସି ଯାଇଥିଲେ।

Advertisment

ବଜ୍ରାଘାତରେ ୪ ଜଣ ଦଣ୍ଡୁଆ ନିରଞ୍ଜନ କାମ୍ପ, ନିରଞ୍ଜନ ନାହକ, ତ୍ରିନାଥ ସାହୁ ଓ ଭଗବାନ ମହାରଣା ଆହତ ହୋଇଥିଲେ। ସେହିପରି ଗ୍ରାମବାସୀ ମଧୁସ୍ମିତା ପ୍ରଧାନ, ଋତ୍ଵିକା ପ୍ରଧାନ, ମାମି ସାହୁ, ଲକ୍ଷ୍ମୀ ପ୍ରଧାନ, ଉମା ଚୌଧୁରୀ, ଶିବରାମ ପ୍ରଧାନ, ରଂଜିତ ପ୍ରଧାନ ଓ କୋଦଣ୍ଡ ସାହୁ ଆହତ ହୋଇଥିଲେ। ସମସ୍ତଙ୍କୁ ଆମ୍ବୁଲାନ୍ସ୍ ଯୋଗେ ଆସିକା ଡାକ୍ତରଖାନାକୁ ନିଆଯାଇଥିଲା।
ସେହିପରି ସାନଖେମୁଣ୍ଡି ବ୍ଲକ୍‌ରେ ଆଜି କାଳବୈଶାଖୀ ପ୍ରଭାବରେ ବହୁ ବଡ଼ଗଛ ଭାଙ୍ଗିବା ସହ ଅନେକ କଚ୍ଚାଘର କ୍ଷତିଗ୍ରସ୍ତ ହୋଇଛି। ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଛି। କଲରାପଦର ପଞ୍ଚାୟତ ଭୁଡ଼ିକି ନିକଟରେ ଗୌତମୀ ଗ୍ରାମର ଶଙ୍କର ପାତ୍ରଙ୍କ ୧୫ଟି ମେଣ୍ଢା ଗୋଟିଏ ଛେଳି ଓ ଗୋଟିଏ ଗାଈ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି। ପାଟପୁର ପଶୁଚିକିତ୍ସା କେନ୍ଦ୍ରର ଡାକ୍ତର ଶବ ବ୍ୟବଚ୍ଛେଦ କରିଥିଲେ। ଗୌତମୀ ସରପଞ୍ଚ ଏ.ଝିଲି ରେଡ୍ଡୀ ସରକାରୀ ସହାୟତା ପ୍ରଦାନ ଦାବି କରିଛନ୍ତି।