ଶ୍ରେଣୀଗୃହରେ ବଜ୍ରପାତ: ଶିକ୍ଷୟିତ୍ରୀଙ୍କ ସମେତ ୧୨ ଛାତ୍ରଛାତ୍ରୀ ଆହତ

ଚକାପାଦ : ଚକାପାଦ ବ୍ଲକ ବ୍ର‌ାହ୍ମଣପାଦ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ବଜ୍ରାଘାତରେ ଜଣେ ଶିକ୍ଷୟିତ୍ରୀ ପ୍ରଭାସିନୀ ସେଠୀଙ୍କ ସମେତ ୧୨ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ତୁରନ୍ତ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ର‌ରେ ଭର୍ତ୍ତି କରାଯାଇଥିବା ‌ବେଳେ ଗୁରୁତର ଥିବା ଜଣେ ଛାତ୍ରୀ ବୈଜୟନ୍ତୀଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ସମସ୍ତେ ବିପଦମୁକ୍ତ ଥିବା ଜଣାପଡିଛି। ସୂଚନା ମୁତାବକ ଦିନ ୧୨ଟା ସମୟରେ ଅଷ୍ଟମଶ୍ରେଣୀରେ ଶିକ୍ଷୟିତ୍ରୀ ପ୍ରଭାସିନୀ ସେଠୀ ପାଠ ପଢାଉଥିବା ବେଳେ ହଠାତ୍‌ ବର୍ଷା ସହ ବଜ୍ରପାତ ହୋଇଥିଲା। ବଜ୍ରପାତର ପ୍ରଭାବ ଏତେ ରହିଥିଲା‌ ଯେ ଶ୍ରେଣୀଗୃହ ଭିତରେ ବସିଥିବା ୧୨ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷୟିତ୍ରୀ ହଠାତ ଅଚେତ ହୋଇଯାଇଥିଲେ। ତୁରନ୍ତ ସେମାନଙ୍କୁ ବ୍ରାହ୍ମଣପାଦ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର