ଭୁବନେଶ୍ୱର: ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ୧୨ଲକ୍ଷ ଟଙ୍କା ମୂଲ୍ୟର ବିଦେଶୀ ସିଗାରେଟ୍ ଜବତ ହୋଇଛି। ଏକ ବିଶେଷ ସୂତ୍ରରୁ ଖବର ପାଇ ଡିଆର୍ଆଇ(ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ) ଅଧିକାରୀମାନେ ଚଢ଼ଉ କରି ଏଥିରେ ସମ୍ପୃକ୍ତ ଦୁଇଜଣଙ୍କୁ ଅଟକ ରଖିଛି। ଦୁଇଜଣ କୋଲକାତାର ଯୁବକ ବୋଲି ଜଣାପଡ଼ିଛି। କୁଆଲାଲାମ୍ପୁରରୁ ଆସୁଥିବା ଏହି ଦୁଇ ଜଣ ମୋଟ ୮ଟି ବ୍ୟାଗ୍ରେ ୪ଶହ ପ୍ୟାକେଟ୍ରେ ଥିବା ୮୦ ହଜାର ଖଣ୍ଡ ବିଦେଶୀ ସିଗାରେଟ୍(ମାଲ୍ବୋର) ଆଣୁଥିଲେ। ସିଗାରେଟ୍ ପ୍ୟାକେଟ୍ ଉପରେ ଆଇନ ଅନୂଯାୟୀ ସଚେତନତା ବାର୍ତ୍ତା ଲେଖାଯାଇ ନାହିଁ କିମ୍ବା କ୍ଷତିକାରକ ଚିହ୍ନିତ ଉପଯୁକ୍ତ ଚିତ୍ର ମଧ୍ୟ ନାହିଁ। ଏଣୁ ସେଗୁଡ଼ିକୁ ଜବତ କରାଯାଇଛି ବୋଲି ଡିଆର୍ଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏତେ ପରିମାଣର ସିଗାରେଟ୍ ଭୁବନେଶ୍ବର ବିମାନବନ୍ଦରରୁ ଜବତ ହେବା ପ୍ରଥମ ଘଟଣା ବୋଲି ପ୍ରଥମ ବୋଲି ଡିଆରଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ମାଲେସିଆରୁ ଆସିଥିବା ବିମାନ (ଏୟାର ଏସିଆ ଏକେ ୩୧)ରୁ ଏହି ଦୁଇଜଣ ଧରାପଡ଼ିଥିବାରୁ ବିଦେଶୀ ସିଗାରେଟ୍ ମାଲେସିଆରୁ ଓଡ଼ିଶା ଚାଲାଣ ହେଉଥିବା ଡିଆରଆଇ ସନ୍ଦେହ କରୁଛି। ସିଗାରେଟ୍ଗୁଡ଼ିକ ବଡ଼ ବ୍ୟାଗ୍ରେ ରହିଥିଲା। ବ୍ୟାଗ୍ ଯାଞ୍ଚ କରିବା ପରେ ଏହା ଧରା ପଡ଼ିଥିଲା। ଅଟକ ଦୁଇଜଣ ଚାଲାଣକାରୀଙ୍କୁ ପଚରା ଉଚରା ଚାଲିଛି। ଏମାନେ ପୂର୍ବରୁ ଏଭଳି ବେଆଇନ ଚାଲାଣରେ ସମ୍ପୃକ୍ତ ଅଛନ୍ତି କି? ଏଗୁଡ଼ିକୁ କିଏ କେଉଁଠିକୁ ନେଉଥିଲା? ପୂର୍ବରୁ ଏହା ଓଡ଼ିଶା ବଜାରରେ ବେଆଇନ ଭାବରେ ବିକ୍ରି ହେଉଥିଲା କି? ଏଭଳି ଅନେକ ପ୍ରଶ୍ନର ଉତ୍ତର ପାଇଁ ଡିଆରଆଇ ଖୋଳତାଡ଼ ଜାରି ରଖିଛି। ତେବେ ଏହି ଜବତ ଘଟଣାକୁ ନେଇ ନାନା ପ୍ରଶ୍ନ ଉଠିଛି। ଏହି ସିଗାରେଟ୍ଗୁଡ଼ିକ ଚୋରାଲୁଚାରେ ଅଣା ଯାଉନଥିଲା। ବଡ଼ ବଡ଼ ବ୍ୟାଗ୍ରେ ଅଣାଯାଉଥିଲା। ବିମାନରେ ବଡ଼ ବଡ଼ ବ୍ୟାଗ ବିନା ଚେକିଂରେ ଆଣିବା ସମ୍ଭବ ନୁହେଁ। ମାଲେସିଆରେ ଚେକିଂ ନ ହୋଇ ଏହି ବିଦେଶୀ ସିଗାରେଟ୍ ଭୁବନେଶ୍ବର ପର୍ଯ୍ୟନ୍ତ କିଭଳି ପହଞ୍ଚିଲା? ସେଠାରେ ଯଦି ଯାଞ୍ଚ ହୋଇଥିଲା ତେବେ ଧରାପଡ଼ିଲା ନାହିଁ କିଭଳି? ମାଲେସିଆରେ ଯଦି ଯାଞ୍ଚ କରି ଛାଡ଼ି ଦେଇଥିଲେ ତେବେ ସେଠାକାର ଅଧିକାରୀମାନେ ଏହି ବେଆଇନ ବେପାର ସହ ସମ୍ପୃକ୍ତ ଅଛନ୍ତି? ଏଭଳି ଅନେକ ପ୍ରଶ୍ନ ଏହି ଜବତ ଘଟଣାକୁ ସନ୍ଦେହ ଘେରକୁ ଟାଣି ନେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/sfg6sf8gh5fs9gh85df9h8df9h85df9h8df56h4df89h74f874dh8.jpg)