ଭୁବନେଶ୍ବର: ସଂସଦରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଲ୍ ଅନୁମୋଦନ କଥା ହେଉ କି ରାଷ୍ଟ୍ରପତି ନିର୍ବାଚନ। ଏସବୁ କ୍ଷେତ୍ରରେ ବିଜେଡି-ବିଜେପି ସଂପର୍କ କାହାକୁ ଅଛପା ନାହିଁ। ରାଜ୍ୟସଭା ପ୍ରାର୍ଥୀ ଚୟନ କ୍ଷେତ୍ରରେ ବି ଉଭୟ ଦଳ ହାତ ମିଳାଇ ଅଶ୍ବିନୀ ବୈଷ୍ଣବଙ୍କୁ ଜିତାଇଥିଲେ ଏବଂ ସେ ଏବେ କେନ୍ଦ୍ର ରେଳବାଇ ମନ୍ତ୍ରୀ। ଅର୍ଥାତ୍ ରାଜନୈତିକ ଫାଇଦା ଲାଗି ଉଭୟ ରାଜନୈତିକ ଦଳ ପରସ୍ପରର ସ୍ବାର୍ଥର ସୁରକ୍ଷା କରିବାରେ ଆଦୌ କାର୍ପଣ୍ୟ ପ୍ରକାଶ କରୁନାହାନ୍ତି। ଏପଟେ ବିଜେଡି ରାଜ୍ୟ ଶାସନ ଦାୟିତ୍ବରେ ଏବଂ କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଏନ୍ଡିଏ କ୍ଷମତାରେ ଅଛନ୍ତି। ଅଥଚ ଓଡ଼ିଶାବାସୀଙ୍କ ସ୍ବାର୍ଥ ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ଛକାପଞ୍ଝା ଚାଲିଛି। ଅନେକ ମଧ୍ୟରୁ ଗୋଟିଏ ସମ୍ବେଦନଶୀଳ ପ୍ରସଙ୍ଗ ହେଉଛି ଘର କଳି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତୁ ତୁ ମେ ମେ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଆବଣ୍ଟନ ବିବାଦ ତୁଟିବାର ନାଁ ଧରୁନି। ପରିଣାମ ହେଲା, ପାଖାପାଖି ୧୨ଲକ୍ଷରୁ ଅଧିକ ପରିବାର ବର୍ଷ ବର୍ଷ ଧରି ନାହିଁ ନଥିବା କଷ୍ଟ ସହି ଖୋଲା ଆକାଶ ତଳେ ଜୀବନ ଜିଉଁଛନ୍ତି। କାହା ଘରକୁ ଚାଳ ଭିତର ଦେଇ ସୂର୍ଯ୍ୟ କିରଣ ଧସେଇ ପଶୁଛି, ଆଉ କିଏ ଘର ଭିତରେ ଥାଇ ବି ବର୍ଷା ପାଣିରେ ତିନ୍ତୁଛି। ଜାଡ ଓ କାକର ଅସ୍ତବ୍ୟସ୍ତ କରିଦେଉଛି ଶୀତଦିନରେ।
ଏସବୁ ଲୋକମାନେ ସରକାରୀ ଘର ପାଇବାକୁ ଯୋଗ୍ୟ। ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନେ ଘର ପାଇବାକୁ ହକ୍ଦାର ବୋଲି ତାଲିକାଭୁକ୍ତ କରିସାରିଛନ୍ତି। ମାତ୍ର ଏମାନଙ୍କୁ ଘର ଯୋଗାଣ ହୋଇପାରୁନାହିଁ। ଏହି ତାଲିକାଭୁକ୍ତ ବ୍ୟକ୍ତିଙ୍କ ମଧ୍ୟରେ ୨୦୧୯ ମସିହାର ଅତି ଭୀଷଣ ବାତ୍ୟାରେ କ୍ଷତିଗ୍ରସ୍ତ ଲକ୍ଷାଧିକ ପରିବାର ବି ସାମିଲ ଅଛନ୍ତି। ଯେଉଁ କଥାଟି ସମସ୍ତଙ୍କୁ ଅଧିକ ବିସ୍ମିତ କରୁଛି ତାହା ହେଲା, ଫନି ପ୍ରଭାବିତ ହିତାଧିକାରୀଙ୍କୁ ଘର ଦେବାକୁ କେନ୍ଦ୍ର ଅନୁମତି ଦେଇଛି। ଏମାନଙ୍କୁ ମିଶାଇ ରାଜ୍ୟ ସରକାରଙ୍କ ପାଖରେ ଏବେ ୮ଲକ୍ଷ ୧୭ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନ ଲାଗି ଅନୁମୋଦନ ପତ୍ର ରହିଛି। ହେଲେ କେନ୍ଦ୍ରୀୟ ତାଲିକାରେ କିନ୍ତୁ ଏତିକି ଲୋକଙ୍କ ନାଁ ନାହିଁ। ଏପଟେ ବଳକା ୬ଲକ୍ଷରୁ ଅଧିକ ଯୋଗ୍ୟ ବ୍ୟକ୍ତିଙ୍କୁ କେନ୍ଦ୍ର ସରକାର ଘର ପ୍ରଦାନ ଲାଗି ସମ୍ମତି ଦେଉନଥିବାରୁ ରାଜ୍ୟ କେନ୍ଦ୍ରରେ ତାଲିକାଭୁକ୍ତ ଲୋକଙ୍କୁ ଘର ନିର୍ମାଣ ଲାଗି ଅନୁମତି ଦେଉନାହାନ୍ତି। କାଳେ ବିବାଦ ହେବ ଓ ଆଞ୍ଚଳିକ ବୈଷମ୍ୟ କଥା ମୁଣ୍ଡ ଟେକିବ, ରାଜ୍ୟ ସରକାରଙ୍କୁ ଏଭଳି ଚିନ୍ତା ଘାରିଛି।
ଏବେ ପ୍ରଶ୍ନ ଉଠୁଛି ଯେ ଅନ୍ୟମାନଙ୍କ କଥା ଦୂରେ ଥାଉ, ଫନି ପ୍ରଭାବରେ ଯେଉଁମାନଙ୍କ ଘର ଉଜୁଡ଼ିଗଲା ସେମାନେ ସରକାରଙ୍କ ହାତ ଟେକା ଅନୁକମ୍ପା ପାଇଁ ଆଉ କେତେ ଦିନ ଖୋଲା ଆକାଶ ତଳେ ପରିବାରକୁ ନେଇ ଜିଇଁବେ? ଅନ୍ୟ ଯେଉଁମାନେ ନିହାତି ଘର ଖଣ୍ଡେ ଆବଶ୍ୟକ କରନ୍ତି, ସେମାନଙ୍କୁ ଏମିତି କେତେ ଦିନ ଆଉ ଅପେକ୍ଷା କରିବାକୁ ପଡ଼ିବ? ୧୨ଲକ୍ଷ ପରିବାରର ମୁଣ୍ଡ ଉପରେ ଛାତ ନିର୍ମାଣର ରାଜନୈତିକ ଶ୍ରେୟ କାହାକୁ ଯିବ ତାକୁ ନେଇ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ବିବାଦ ତୁଟିବନି କି; ଏତେ ସଂଖ୍ୟକ ପରିବାରର ଭାଗ୍ୟ ଫିଟିବନାହିଁ?
ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଏହି ଘଟଣାକୁ ଗମ୍ଭୀରତା ସହିତ ନେଉଛନ୍ତି। ଅଥଚ ଯେଉଁ ଲଘୁ ଟିପ୍ପଣୀ ଦେଉଛନ୍ତି ତାହା ହେଲା, ଏତେ ସଂଖ୍ୟକ ହିତାଧିକାରୀଙ୍କ ଭାଗ୍ୟ ଏବେ ନିକଟ ଭବିଷ୍ୟତରେ ଉଦୟ ହେବାର ନାହିଁ। ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ଏମାନେ କଷ୍ଟ ଭୋଗିବେ। ଯେତେବେଳେ ନିର୍ବାଚନ କବାଟ ବାଡ଼େଇବ, କେନ୍ଦ୍ର ସରକାର ତୁରନ୍ତ ତାଙ୍କ ଜିଦ୍ରୁ ଓହରି ଆସିବେ; ଅନ୍ୟଥା ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଉଦାସୀନତାକୁ ଆଙ୍ଗୁଠି ଉଠାଇ ନିଜ ଆଡ଼ୁ ଏମାନଙ୍କୁ ବିଜୁ ପକ୍କାଘର ଯୋଜନାରେ ସାମିଲ କରି ଘର ଦେବା ବିଚିତ୍ର ନୁହେଁ। ଅତୀତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରରେ ଥିବା ତତ୍କାଳୀନ ଉପା ସରକାରକୁ ଏମିତି ଘଟଣାରେ ଅପଦସ୍ତ କରାଇଛନ୍ତି ଏବଂ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍ଡିଏ ବି ବାଦ୍ ପଡ଼ିନି। ବିଜୁ ସହରାଞ୍ଚଳ ବିଦ୍ୟୁତକରଣ ଯୋଜନା, ବିଜୁ କେବିକେ, ଓଡ଼ିଶା ଖାଦ୍ୟ ସୁରକ୍ଷା ଯୋଜନା ଏସବୁର ଗୋଟିଏ ଗୋଟିଏ ଉଦାହରଣ ହୋଇ ରହିଛି।
ସ୍ମରଣଥାଉକି, କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ସାମାଜିକ ଅର୍ଥନୈତିକ ଗଣନା ରିପୋର୍ଟ ଅନୁସାରେ ପକ୍କା ଘର ଦେଇଥାନ୍ତି। ଏ କ୍ଷେତ୍ରରେ ୱେଟିଂ ଲିଷ୍ଟ ବା ଅପେକ୍ଷା ତାଲିକା ସମ୍ପୂର୍ଣ୍ଣ ହୋଇଯାଇଛି। ମିଳୁଥିବା ଖବର ଅନୁସାରେ, ପ୍ରାରମ୍ଭିକ ପର୍ଯ୍ୟାୟରେ ଓଡ଼ିଶାର ୩୦ଟି ଜିଲ୍ଲାର ୧୪ଲକ୍ଷ ୯୪ହଜାର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାକୁ ରାଜ୍ୟ ସରକାର ଦାବି କରିଥିଲେ। ଫନି ପରବର୍ତ୍ତୀ ପରିସ୍ଥିତିରେ କେନ୍ଦ୍ର ସରକାର ୧୪ଟି ଜିଲ୍ଲାର ୮ଲକ୍ଷ ୧୭ ହଜାର ଘରକୁ ଅନୁମୋଦନ ଦେଇଛନ୍ତି। ଏ ମଧ୍ୟରେ ଫନି ପ୍ରଭାବିତ ୭ଲକ୍ଷ ୮୭ ହଜାର ପରିବାର ସେବେ ଥିବା କୁହାଯାଉଥିଲା। ରାଜ୍ୟ ସରକାର ଜିଦ୍ କରିଛନ୍ତି ଯେ ଅବଶିଷ୍ଟ ୧୬ଜିଲ୍ଲା ପାଇଁ କେମିତି ଅବିଚାର କରାଯିବ? ୬ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ କେନ୍ଦ୍ର ସରକାର କାହିଁକି ଓ କେଉଁ ପରିସ୍ଥିତିରେ ବାଦ୍ ଦେବେ? ଆଜି ପର୍ଯ୍ୟନ୍ତ ୧୨ ହଜାର ଆଦିମ ଅଧିବାସୀଙ୍କୁ ଘର ମିଳିନି। ସେମାନଙ୍କୁ କେନ୍ଦ୍ର ସରକାର ଘର ଦେବେନାହିଁ?
ରାଜ୍ୟ ସରକାରଙ୍କ ଏଭଳି ଯୁକ୍ତିକୁ ପୂର୍ବରୁ ଭିନ୍ନ ଢଙ୍ଗରେ କେନ୍ଦ୍ର ଗ୍ରହଣ କରିଥିଲା। ବିେଜପିର ରାଜ୍ୟ ନେତା ଓ ସାଂସଦ ସେବେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ଆବାସ କେଳେଙ୍କାରୀ ଅଭିଯୋଗ ଆଣିଥିଲେ ଓ ତଦନ୍ତ ଦାବି କରିଥିଲେ। ସାଂସଦମାନଙ୍କ ଅଭିଯୋଗ କ୍ରମେ ୭ଜଣିଆ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସି ତଦନ୍ତ ବି କଲେ। କେନ୍ଦ୍ର-ରାଜ୍ୟ ସରକାରଙ୍କ ମଧ୍ୟରେ ଛକାପଞ୍ଝା ଏବଂ ବିଜେଡି-ରାଜ୍ୟ ବିଜେପି କଳି ଭିତରେ ଏତେ ସଂଖ୍ୟକ ଲୋକଙ୍କ ଭାଗ୍ୟ ଏବେ ଦୁର୍ବିସହ ଭିତରେ ପଡ଼ିଛି। ନା କେନ୍ଦ୍ର ସରକାର ସମସ୍ତ ହିତାଧିକାରୀଙ୍କୁ ଘର ପ୍ରଦାନ ଲାଗି ସମ୍ମତି ଦେଉଛନ୍ତି ନା ରାଜ୍ୟ ସରକାର ବିକଳ୍ପ କୌଣସି ରାସ୍ତା କାଢ଼ୁଛନ୍ତି। ସରକାରୀ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୪ଲକ୍ଷ ୯୪ ହଜାର ପରିବାର ଘର ପାଇଁ ଯୋଗ୍ୟ ବୋଲି ପ୍ରଥମେ ଚିହ୍ନଟ କରାଯାଇଥିଲା। ୨୦୧୯ ମାର୍ଚ୍ଚ ୧୭ ତାରିଖରେ କେନ୍ଦ୍ର ସରକାର ତାଲିକା ପ୍ରସ୍ତୁତ କରିବା ପାଇଁ କହିଥିଲେ। ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କାରଣରୁ ଏହା ସ୍ଥଗିତ ହୋଇଥିଲା। ନିର୍ବାଚନ ପରେ ଏଥିରେ କେନ୍ଦ୍ର ସରକାର ୮ଲକ୍ଷ ୧୭ ହଜାର ଘର ଅନୁମୋଦନ କରିଛନ୍ତି। ଏଥିରେ ଫନି ପ୍ରଭାବିତ ବି ଅଛନ୍ତି। କିନ୍ତୁ ଏତେ ସଂଖ୍ୟକ ଘର ସିନା ଅନୁମୋଦନ ହେଲା, ମାତ୍ର ୫ଲକ୍ଷ ୬୫ ହଜାର ହିତାଧିକାରୀଙ୍କ ନାମ ରହିଛି।
ରାଜ୍ୟ ସରକାର ଯେଉଁ ୧୪ଲକ୍ଷରୁ ଅଧିକ ଲୋକଙ୍କୁ ଚିହ୍ନଟ କରିଥିଲେ, ସେମାନଙ୍କ ମଧ୍ୟରୁ ଅନେକ ଅଯୋଗ୍ୟ ବୋଲି ଅଭିଯୋଗ ଉଠିଥିଲା। ସୁତରାଂ ରାଜ୍ୟ ସରକାର ସାନି ଯାଞ୍ଚ କରି ଏହି ସଂଖ୍ୟାକୁ ୧୨ଲକ୍ଷ ପାଖାପାଖିକୁ ଖସାଇ ଆଣିଛନ୍ତି। ଏ ସମସ୍ତ ତାଲିକା ରାଜ୍ୟ ସରକାରଙ୍କ ୱେବ୍ସାଇଟ୍ରେ ଛାଡ଼ିଦିଆଯାଇଛି। ରାଜ୍ୟ ସରକାର ବାରମ୍ବାର ଦାବି କରୁଛନ୍ତି ଯେ କେନ୍ଦ୍ର ଏହି ତାଲିକାକୁ ଅନୁମୋଦନ ଦେଇ ଆବଶ୍ୟକ ଘର ପ୍ରଦାନ କରୁ। ହେଲେ କେନ୍ଦ୍ର ସରକାର ଅନୁମୋଦିତ ତାଲିକାରେ ନୂଆ ନାମ ଯୋଗ କରୁନାହାନ୍ତି କି ବଳକା ତାଲିକାକୁ ବି ଅନୁମୋଦନ ଦେଉନାହାନ୍ତି। କେନ୍ଦ୍ର ସରକାର ବର୍ତମାନ ପର୍ଯ୍ୟନ୍ତ ନୂଆ ୱେଟିଂ ଲିଷ୍ଟ ବା ଅପେକ୍ଷା ତାଲିକା ସଂଯୋଗ ପାଇଁ ଅନୁମତି ଦେଇନାହାନ୍ତି। ଯେହେତୁ ପଶ୍ଚିମ ଓଡ଼ିଶା ସମେତ ଅବଶିଷ୍ଟ ୧୬ଟି ଜିଲ୍ଲାର ହିତାଧିକାରୀ ଘର ପାଉନାହାନ୍ତି, ଏଣୁ ସରକାର ଏ କ୍ଷେତ୍ରରେ ଆଗକୁ ଯାଉନାହାନ୍ତି। ଆହୁରି ବଡ କଥା ହେଲା, ସମାନ ଘଟଣାରେ କେନ୍ଦ୍ର ସରକାର କର୍ଣ୍ଣାଟକକୁ ଅନୁମତି ଦେଉଥିବା ବେଳେ ଓଡ଼ିଶାକୁ କାହିଁକି ଦେଉନାହାନ୍ତି, ବୁଝାପଡ଼ୁନାହିଁ।
ଏବେ ଦେଖିବା କଥା ଯେ ରାଜ୍ୟ-କେନ୍ଦ୍ର ମଧ୍ୟରେ ଛକାପଞ୍ଝା ଭିତରେ ଆଉ କେତେଦିନ ରାଜ୍ୟର ୧୨ଲକ୍ଷରୁ ଅଧିକ ପରିବାର ଖୋଲା ଆକାଶ ତଳେ ଜୀବନ ବିତାଇବେ? ଲୋକଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ମୁଣ୍ଡ ପିଟୁଥିବା ରାଜନୈତିକ ନେତାମାନେ କେତେଦିନ ଲୋକଙ୍କ କଷ୍ଟକୁ ଉପଭୋଗ କରି ନିରବ ରହିବେ? ନେତାମାନେ ବାସ୍ତବରେ କାହା ସ୍ବାର୍ଥରେ ଅଛନ୍ତି? ସର୍ବୋପରି ଫନି ବାତ୍ୟାରେ ଯେଉଁ ସବୁ ପରିବାରର ଜୀବନ ଅସ୍ତବ୍ୟସ୍ତ ହୋଇଗଲା, ସେମାନଙ୍କ ସହିତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କେତେ ଦିନ ଖେଳ ଖେଳିବେ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/2019-fani-cyclone-file-photo-2.jpg)