ଚାକିରି ନାଁରେ ୧୨ ଲକ୍ଷ ଠକିଲେ, ବିଶାଖାପାଟଣାରୁ ୪ ନକଲି ନୌସେନା ଅଧିକାରୀ ଗିରଫ

ପାରଳାଖେମୁଣ୍ଡି: ନୌସେନାରେ ଚାକିରି ପାଇବା ନାଁରେ ଗଜପତି ଜିଲ୍ଲାର କିଛି ଯୁବକ ଠକେଇର ଶିକାର ହୋଇଛନ୍ତି। ୪ ଜଣ ଠକ ନିଜକୁ ନୌସେନା ଅଧିକାରୀ ବୋଲି ପରିଚୟ ଦେଇ ଏହି ଯୁବକଙ୍କ ଠାରୁ ପ୍ରାୟ ୧୨ ଲକ୍ଷ ଠକି ନେଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ଗଜପତି ପୁଲିସର ସ୍ବତନ୍ତ୍ର ଟିମ୍‌ ବିଶାଖାପାଟଣାରେ ଚଢ଼ଉ କରି ୪ ଠକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଅଧୀନ ଜଗନ୍ନାଥପୁର ଗ୍ରାମର ଆର.ବିନୋଦ କୁମାର, ବାଡାପୁ ରାକେଶ, କୋଟନାଲୁ ଶ୍ରୀକାନ୍ତ ଓ କୋଟାନାଲୁ ସୁଶାନ୍ତ।

ଅଭିଯୁକ୍ତମାନେ ନିଜକୁ ଭାରତୀୟ ନୌସେନା ଅଧିକାରୀ ଭାବେ ପରିଚୟ ଦେଇ ଆସି ପାରଳାରେ ରହୁଥିଲେ। ସ୍ଥାନୀୟ ଯୁବକଙ୍କୁ ନୌସେନାରେ ଚାକିରି କରାଇଦେବା ବାହାନାରେ ଫସାଇ ଲକ୍ଷାଧିକ ଟଙ୍କା ଠକିଥିବା ଜଣାପଡ଼ିଛି। ଏଭଳିକି ସେମାନେ ଜାଲ୍ ନିଯୁକ୍ତିପତ୍ର ମଧ୍ୟ ଦେଇଥିଲେ। ପୁଲିସ କେସ୍‌ ନଂ ୧୪୫/୨୨ ପ୍ରକାରେ ଆଇପିସିର ଧାରା ୪୧୯, ୪୨୦ ଓ ୪୬୮ରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ସମ୍ବାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ଏସ୍‌ଡିପିଓ ରାମକୃଷ୍ଣ ପତି ଓ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି। ତେବେ ପୁଲିସ ନିକଟରେ ଠକେଇର ଶିକାର ହୋଇଥିବା ଅଳ୍ପ କିଛି ବ୍ୟକ୍ତିଙ୍କ ଅଭିଯୋଗ ରହିଥିବା ବେଳେ ଠକେଇର ଶିକାର ହୋଇଥିବା ଯୁବକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ଏହା ହେଲେ ଠକେଇ ଅର୍ଥର ପରିମାଣ ଅହୁରି ଅଧିକ ହେବ।

ପାରଳାଖେମୁଣ୍ଡି ରେଳଷ୍ଟେସନ୍‌ ନିକଟ ଶାନ୍ତି ନଗରର ଆନନ୍ଦ ପ୍ରଧାନଙ୍କ ପୁଅ ଆଶିଷ କୁମାର ପ୍ରଧାନ ଏବଂ ତାଙ୍କର କିଛି ସହଯୋଗୀଙ୍କୁ ଚାକିରି ଲାଳସା ଦେଖାଇଥିଲେ ଏହି ଠକ ଦଳ।‌ ବିଶ୍ବାସ ଜନ୍ମାଇବା ଉଦ୍ଦେଶ୍ୟରେ ନୌସେନାର ଅନେକ ଦସ୍ତାବିଜ ମଧ୍ୟ ସେମାନଙ୍କୁ ଦେଇଥିଲେ। ଏପରିକି ଗତବର୍ଷ ଅଗଷ୍ଟ ମାସରେ ସୁମିତ ଉଶାଲିୟା ନାମକ ଜଣେ ଯୁବକଙ୍କୁ ବିଶାଖାପାଟଣା ନୌସେନା କେନ୍ଦ୍ରରେ ଚାକିରି ପାଇଥିବା ନେଇ ନିଯୁକ୍ତିପତ୍ର ଦେଇଥିଲେ। ସୁମିତ ଏହି ନିଯୁକ୍ତିପତ୍ର ଧରି ବିଶାଖାପାଟଣା ନୌସେନା କେନ୍ଦ୍ରକୁ ଯିବା ପରେ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ପୁଲିସର ଆଶ୍ରୟ ନେଇଥିଲେ। ଅଭିଯୋଗ ପାଇବା ପରେ ଗଜପତି ଏସ୍‌.ପିଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଓ ଏସ୍‌ଆଇ ସୁନୀଲ କୁମାର ସେଠୀଙ୍କ ନେତୃତ୍ବରେ ପୁଲିସର ଏକ ଟିମ୍‌ ଠକଙ୍କୁ ଟ୍ରକ୍‌ କରି ବିଶାଖାପାଟଣାରୁ ଚାରି ଅଭିଯୁକ୍ତଙ୍କୁ କାବୁ କରିଥିଲେ। ସେମାନଙ୍କ ନିକଟରୁ ନୌସେନାର ପୋଷାକ ସହ ନୌସେନା ଅଧିକାରୀ ବେଶରେ ଫଟୋ, ସେନା ୟୁନିଫର୍ମ ସାମଗ୍ରୀ ଓ ମୋବାଇଲ୍‌ ଫୋନ୍‌ ଓ ବହୁ ନକଲି ଦସ୍ତାବିଜ ଜବତ ହୋଇଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର